ଜଳେଶ୍ବର/ଓଲମରା: ବାଲେଶ୍ବର ଜଳେଶ୍ବର ବ୍ଲକ ଅଧୀନ ଓଲମରା ପଞ୍ଚାୟତ ରାଜନଗର ୟୁଜିଏମ୍ଇ ସ୍କୁଲ ପରିସର ଆଜି ରଣକ୍ଷେତ୍ର ପାଲଟିଥିଲା। ଗତକାଲି ସ୍କୁଲରେ ଶ୍ରେଣୀ ଭିତରେ ପାଠପଢ଼ା ଚାଲିଥିବା ବେଳେ ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରକୁ ସାପ କାମୁଡ଼ି ଦେଇଥିଲା। ତେବେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ କେତେକ ଗ୍ରାମବାସୀ ଶିକ୍ଷକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବା ପରି ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ, ରାଜନଗର ଗ୍ରାମର ଦୀପୁ ନାୟକଙ୍କ ପୁଅ ଅକ୍ଷୟ ରାଜନଗର ୟୁଜିଏମଇ ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପଢ଼ନ୍ତି। ଗତକାଲି ଶ୍ରେଣୀ ଭିତରେ ଶିକ୍ଷକ ଗଜେନ୍ଦ୍ର ମଲ୍ଲିକ ପଢ଼ାଉଥିବା ବେଳେ ଅକ୍ଷୟ କାନ୍ଥରେ ଥିବା ଏକ ଫାଟ ଭିତରେ ହାତ ପୂରେଇ ଦେଇଥିଲେ। ଏହି ସମୟରେ ସେହି ଫାଟ ଭିତରେ କୌଣସି ଏକ ବିଷଧର ସାପ ଅକ୍ଷୟକୁ କାମୁଡ଼ି ଦେଇଥିଲା। ତେବେ ପ୍ରଧାନଶିକ୍ଷକ ଶ୍ରୀହରି ଚରଣ ଦାସ ତୁରନ୍ତ ଛାତ୍ର ଅଭିଭାବକଙ୍କୁ ଡାକି କିଛି ଆର୍ଥିକ ସହାୟତା ଦେବା ସହ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବାକୁ କହିଥିଲେ। ମାତ୍ର ଅଭିଭାବକ ଜଣକ ଅକ୍ଷୟଙ୍କୁ ପ୍ରଥମେ ଗୁଣିଆ ପାଖକୁ ନେଇଯାଇଥିବା ବେଳେ ବହୁ ବିଳମ୍ବରେ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ କର୍ତ୍ତୃପକ୍ଷ ଅକ୍ଷୟକୁ ମୃତ ଘୋଷଣା କରିଥିଲେ। ଏହି ମୃତ୍ୟୁକୁ ନେଇ ଆଜି ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଏନେଇ ସ୍କୁଲ ପରିଚାଳନା ବୋର୍ଡ ଓ କେତେକ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷକମାନଙ୍କୁ ମାଡ଼ ମାରିଥିଲେ। ସିଆରସିସି ଗୋପାଳ ସେନାପତି ମଧ୍ୟ ସେଥିରୁ ବାଦ୍ ପଡ଼ି ନ ଥିଲେ। ବିଳମ୍ବରେ ରାଇବଣିଆ ପୁଲିସ ସ୍କୁଲରେ ପହଞ୍ଚି ଶିକ୍ଷକମାନଙ୍କୁ ଉଦ୍ଧାର କରିଥିଲା। ଓଆଇସି ରବୀନ୍ଦ୍ର କୁମାର ବେହେରା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ପାଠପଢ଼ାବେଳେ ସାପ ଦଂଶିଲା, ଛାତ୍ର ମୃତ, ସ୍କୁଲ୍ ପାଲଟିଲା ରଣକ୍ଷେତ୍ର
ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ
/sambad/media/post_attachments/wp-content/uploads/2019/03/Snake-Bite-on-Student_Dies_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)