ସାବଧାନ! କାଳ ସର୍ପ ରୂପରେ ଜଗିଛି ମୃତ୍ୟୁ

ଭୁବନେଶ୍ବର : ସାପ..। କେବଳ ଏଇ ଶବ୍ଦଟି କାନରେ ପଡ଼ିବା କ୍ଷଣି ମଣିଷ ‌ଅତର୍କିତ ଭାବେ ଦୌଡ଼େ। ବିକଳରେ ଚିତ୍କାର କରେ। ଆଉ ଯଦି ବିଷଧର ସାପଟିଏ କାମୁଡ଼ିଦିଏ ତେବେ କଥା ସରିଯାଏ। ବର୍ଷାରେ ସାପଙ୍କ ଦୌରାତ୍ମ୍ୟ ବଢ଼ିଯାଇଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ା ଜନିତ ମୃତ୍ୟୁ ନିତିଦିନିଆ ଘଟଣା ପାଲଟିଛି। ଓଡ଼ିଶାରେ ପ୍ରତିବର୍ଷ ସାପ କାମୁଡ଼ା ଜନିତ ମୃତ୍ୟୁ ବଢ଼ି ବଢ଼ି ଚାଲିଛି। ସୂଚନା ମୁତାବକ, ୨୦୧୫ ଏପ୍ରିଲ୍‌ରୁ ୨୦୨୦ ପ୍ରାରମ୍ଭିକ ବର୍ଷ ପର୍ଯ୍ୟନ୍ତ ସାପ କାମୁଡ଼ାରେ ୩୫୬୫ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହେଲାଣି। ଗତ ୫ ବର୍ଷ ଭିତରେ ମୟୂରଭଞ୍ଜରେ ସର୍ବାଧିକ ସର୍ପାଘାତ ଜନିତ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଦ୍ବିତୀୟ ସ୍ଥାନରେ ରହିଛି।

ମୁଖ୍ୟତଃ ନାଗ, ତମ୍ପ, ଅହିରାଜ, ବୋଡ଼ା, ଚିତି, ରଣା ଭଳି ବିଷାକ୍ତ ସାପ କାମୁଡ଼ିବା ଯୋଗୁଁ ଲୋକଙ୍କ ମୃତ୍ୟୁ ହେଉଛି। ଏହି ବିଷଧର ସାପଗୁଡ଼ିକ ୩୦ରୁ ୬୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଉଥିବା ବେଳେ ଏବେ ପ୍ରଜନନ ଋତୁରେ ଅଣ୍ଡାରୁ ସାପ ଛୁଆ ଫୁଟିବାର ସମୟ। ପୁଣି ସାପ ରହୁଥିବା ଗାତରେ ପାଣି ପଶିଯିବାରୁ ସେମାନେ ବାହାରେ ଚଳପ୍ରଚଳ କରୁଥିବା ବ‌େଳେ ମଣିଷ ହାବୁଡ଼ରେ ପଡ଼ୁଛନ୍ତି। ଏହା ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟାକୁ ବଢ଼ାଇ ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କରୋନା କାୟା ମେଲାଇ ଚାଲିଥିବାରୁ ସାପ କାମୁଡ଼ିଲେ ଅବସ୍ଥା ସଙ୍ଗିନ ହୋଇପାରେ। ସରକାରୀ ହସ୍ପିଟାଲ୍‌ରୁ ନେଇ ଅଧିକାଂଶ ଘରୋଇ ହସ୍ପିଟାଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ‌େଳେ ଆଇସିୟୁ ମଧ୍ୟ ଫାଙ୍କା ରହୁନାହିଁ। ତେଣୁ ସଂପ୍ରତି ସାପ କାମୁଡ଼ାଠାରୁ ନିଜକୁ ଦୂରେଇ ରଖିବା ପାଇଁ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଉଚିତ। ବିଶେଷକରି ରାତିରେ ବିଷଧର ସାପଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ କେତେକ ସଚେତନତା ଆପଣାଇବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି।

Medical Xpress

ସାବଧାନ ହେଲେ ଟଳିପାରିବ ବିପଦ
ସାପମାନେ ନିଜର ଶିକାର ଖୋଜିବା ପାଇଁ ଏବଂ ନିଜକୁ ଲୁଚେଇ ରଖିବା ପାଇଁ ଘାସ ଆଢ଼ୁଆଳରେ ଛପି ରୁହନ୍ତି। ତେଣୁ ସାପ କାମୁଡ଼ା ଜନିତ ମୃତ୍ୟୁ ମୁଖରୁ ବର୍ତିବା ପାଇଁ ପ୍ରଥମେ ନିଜ ବାରି ଓ ଆଖପାଖ ପରିବେଶକୁ ସଫାସୁତରା ରଖିବା ଆବଶ୍ୟକ। ବିଶେଷକରି ନିଜ ଘର ଚତୁଃପାର୍ଶ୍ବରେ ମାଛ ଜାଲ ବାନ୍ଧିଦେବା ଉଚିତ। ଫଳରେ ସାପଟି ପରିସରକୁ ପ୍ରବେଶ କରିବା ବେଳେ ଲାଖି ରହିବ। ଏହା ବ୍ୟତୀତ ଘରେ ବେଙ୍ଗ, ମୂଷା, ଝିଟିପିଟି ଚଳପ୍ରଚଳ କରୁଥିଲେ କିମ୍ବା ମାଛ ଓ ପୋଷା ଚଢ଼େଇ ରହୁଥିଲେ ସାପ ଖାଦ୍ୟ ଅନ୍ବେଷଣରେ ଘର ଭିତରକୁ ପଶିଯାଏ। ତେଣୁ ଏଥିପ୍ରତି ସତର୍କ ରହିବା ଉଚିତ। ଏହା ବ୍ୟତୀତ ଶୋଇବା ବେଳେ ଖଟ ବ୍ୟବହାର କରିବା ସହ ମଶାରି ବ୍ୟବହାର କରିବା ଦ୍ବାରା ସାପ କାମଡ଼ାରୁ ବର୍ତିହୁଏ ବୋଲି କହିଛନ୍ତି ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। ଯଦି ବାଡ଼ିରେ କିଛି ଲଟା ଜନିତ ପରିବା ଚାଷ କରି ତାକୁ ଛାତ କିମ୍ବା ଆଜବେଷ୍ଟସ ଉପରକୁ ଛାଡ଼ି ଦିଆଯାଇଥାଏ ‌ତେବେ ତାହା ସାପ ଘର ମଧ୍ୟକୁ ପ୍ରବେଶ ପାଇଁ ବାଟ ଖୋଲିଯିବ।

Evening Standard

ସାପ କାମୁଡ଼ିବାର ୧ ଘଣ୍ଟାରେ ହସ୍ପିଟାଲରେ ପହଞ୍ଚିବା ଗୁରୁତ୍ବପୂର୍ଣ୍ଣ
ବିଷଧର ସାପ କାମୁଡ଼ିବାର ଏକମାତ୍ର ଚିକିତ୍ସା ହେଉଛି ସ୍ନେକ୍‌ ଆଣ୍ଟି ଭେନମ। ତେବେ କାମୁଡ଼ିଥିବା ସାପଟି କେତେ ପରିମାଣରେ ବିଷ ମଣିଷ ଦେହରେ ଛାଡ଼ିଛି ଏବଂ ସର୍ପାଘାତ ହୋଇଥିବା ଲୋକର ବୟସ ଓ ତା’ ଦେହରେ ଥିବା ଅନ୍ୟାନ୍ୟ ରୋଗକୁ ନେଇ ଲୋକଟି ମୃତ୍ୟୁମୁଖରୁ ବର୍ତିଯିବା କଥା ବିଚାର କରାଯାଇପାରେ ବୋଲି ଏମ୍‌ସ ଭୁବନେଶ୍ବର ଫରେନ୍‌ସିକ୍‌ ମେଡିସିନ୍‌ ଆଣ୍ଡ ଟକ୍ସିକୋଲୋଜିର ସହଯୋଗୀ ପ୍ରଫେସର ଡାକ୍ତର ସୁଦୀପ୍ତ ରଂଜନ ସିଂହ କହିଛନ୍ତି। ଡ. ସିଂହ ସାପ କାମୁଡ଼ିବା ପରେ ଝଡ଼ାଫୁଙ୍କା ସମ୍ପର୍କରେ କହିଛନ୍ତି, ଓଡ଼ିଶାରେ ଯେତେ ସାପ ଦେଖାଯାଆନ୍ତି ସେମାନଙ୍କ ମଧ୍ୟରେ ୪-୫ ପ୍ରକ‌ାରର ‌ସାପ ବେଶି ବିଷାକ୍ତ। ତେବେ ଅନେକ ସମୟରେ କିଛି ଲୋକ କୁହନ୍ତି ଗୁଣିଆ ବିଷ ଝାଡ଼ିଦେଲା। ଏହା ପଛର କାରଣ ହେଲା, ବେଳେବେଳେ କିଛି ବିଷାକ୍ତ ସାପର କାମୁଡ଼ା ‘ଡ୍ରାଏ ବାଇଟ୍‌’ ଥାଏ। ଅର୍ଥାତ ସାପଟି କାମୁଡ଼ିଥିଲେ ବି ବିଷ ଛାଡ଼ିନଥାଏ। ସେସବୁ କ୍ଷେତ୍ରରେ ଚିକିତ୍ସା ନକଲେ ମଧ୍ୟ ଲୋକେ ବଞ୍ଚିଯାଆନ୍ତି।

ସାପ କାମୁଡ଼ା ପରେ ପୁଲିସ ତଦନ୍ତ ହେବା ଉଚିତ
ସାପ କାମୁଡ଼ିବା ପରେ ଚିକିତ୍ସିତ ହୋଇ ବ୍ୟକ୍ତିଟି ସୁସ୍ଥ ହେବା ପରେ ସର୍ଜରି ଗୁରୁତ୍ବପୂର୍ଣ୍ଣ। ନଚେତ ବହୁ ଅଙ୍ଗରେ ହାନି ପହଞ୍ଚିବାର ଆଶଙ୍କା ଥାଏ। ସେହିଭଳି ଅନେକ ସାପ କାମୁଡ଼ିଥିବା ସ୍ଥାନକୁ ଦଉଡ଼ିରେ ବାନ୍ଧି ଦିଅନ୍ତି। ମାତ୍ର ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଉଥିବାରୁ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯିବାର ନଜିର ରହିଛି। ‌ସେହିଭଳି ସାପ ଚିହ୍ନିବା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଯେଉଁମାନେ ସାପ ଚିହ୍ନିବା ପାଇଁ ଚାହୁଁଛନ୍ତି ସେମାନେ ସ୍ନେକ୍ ହେଲପ୍‌ଲାଇନ୍‌କୁ ଯୋଗାଯୋଗ କରିପାରିବେ। ଦୁର୍ଘଟଣାବଶତଃ ସାପ କାମୁଡ଼ିବା ବ୍ୟତୀତ ସାପ ଛାଡ଼ି ହତ୍ୟା କରାଯିବା ଭଳି ଘଟଣା ମଧ୍ୟ ଘଟିଛି। ତେଣୁ କେବଳ ତହସିଲଦାରଙ୍କ ଜରିଆରେ ୪ଲକ୍ଷ ଟଙ୍କା କ୍ଷତିପୂରଣ ନଦେଇ ପୁଲିସ୍‌ ଏହାର ତଦନ୍ତ କରି ଭେରିଫିକେସନ ରିପୋର୍ଟ ଦେବା ପରେ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର