କେନ୍ଦୁଝର: କେନ୍ଦୁଝରରେ ବଢ଼ୁଛି ସାପ କାମୁଡ଼ା ମୃତ୍ୟୁସଂଖ୍ୟା। ସାପ କାମୁଡ଼ାରେ ଜିଲ୍ଲାରେ ଗତ ୯ ବର୍ଷରେ ଗଲାଣି ୫୭୨ଜଣଙ୍କ ଜୀବନ। ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିଭେନମ ଇଞ୍ଜେକ୍ସନ ମହଜୁଦ ଥିବା ସତ୍ତ୍ବେ ସଚେତନତା ଅଭାବରୁ ପ୍ରତିବର୍ଷ ଶତାଧିକ ଲୋକେ ସାପ କାମୁଡ଼ାରେ ପ୍ରାଣ ହରାଉଛନ୍ତି।

Advertisment

ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟରେ କେନ୍ଦୁଝର ଜିଲ୍ଲାରେ ଘଟିଥିବା ଦୁଇଟି ସାପ କାମୁଡ଼ା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କେନ୍ଦୁଝର ସହର ଉପକଣ୍ଠ ଗୁମୁରା ଗ୍ରାମରେ ଥିବା ଏକ ଘରୋଇ ହଷ୍ଟେଲରେ ରାତିରେ ଛାତ୍ରମାନେ ଖାଇପିଇ ଶୋଇଥିଲେ। ଚିତିସାପ କାମୁଡ଼ିବା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ହଷ୍ଟେଲରେ ଲାଗିଥିବା ସିସିଟିଭିର ଫୁଟେଜ୍‌ ଭାଇରାଲ ହେବା ପରେ ଏହା ଚର୍ଚ୍ଚା ସୃଷ୍ଟି କରିଥିଲା। ଏହାର ଠିକ୍‌ ୧୦ ଦିନ ପରେ ଝୁମ୍ପୁରା ବ୍ଲକ୍‌ ନିଶ୍ଚିନ୍ତପୁର ଗ୍ରାମରେ ଥିବା ଏକ ଘରୋଇ ‌ହଷ୍ଟେଲରେ ସାପ କାମୁଡ଼ାରେ ତିନିଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସମଗ୍ର ରାଜ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁରେ କେନ୍ଦୁଝର ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ୨୦୧୫-୧୬ରେ ସର୍ପାଘାତରେ କେନ୍ଦୁଝର ଜିଲ୍ଲାରେ ୫୫ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୧୬-୧୭ରେ ୪୮ ଜଣ, ୨୦୧୭-୧୮ରେ ୫୬ଜଣ, ୨୦୧୮-୧୯ରେ ୭୦ଜଣ, ୨୦୧୯-୨୦ରେ ୭୫ଜଣ, ୨୦୨୦-୨୧ରେ ୭୨ଜଣ, ୨୦୨୧-୨୨ରେ ୭୦ ଜଣ ଏବଂ ୨୦୨୨-୨୩ରେ ୭୫ଜଣଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ଏଯାଏଁ ୫୧ଜଣଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।

ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ସାପ କାମୁଡ଼ାରେ ଲୋକଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟି‌ରେ ରଖି ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆଣ୍ଟିଭେନମ ଇଞ୍ଜେକ୍ସନ ଗଚ୍ଛିତ ରହିଛି। ହେଲେ ଅଧିକାଂଶ ସମୟରେ ସାପ କାମୁଡ଼ିବା ପରେ ରୋଗୀଙ୍କୁ ଡାକ୍ତରଖାନା ଅଣାନଯାଇ ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କା କରାଯାଉଛି। ଏଭଳି ଅନ୍ଧବିଶ୍ବାସ ଯୋଗୁଁ ଡାକ୍ତରୀ ଚିକିତ୍ସା ନପାଇ ରୋଗୀଟି ପ୍ରାଣ ହରାଉଛି। ଆଦିବାସୀ ବହୁଳ ଏହି ଜିଲ୍ଲାରେ ଲୋକଙ୍କୁ ସଚେତନ କରାଗଲେ ସାପ କାମୁଡ଼ା ଜନିତ ମୃତ୍ୟୁକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କୁହାଯାଉଛି।