ସାପ କାମୁଡ଼ାରେ ସାପ ଧରାଳିଙ୍କ ମୃତ୍ୟୁ

ବୌଦ୍ଧ: ଜଣେ ସାପ ଧରାଳିଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବୀର ନରସିଂହପୁର ଗ୍ରାମ ପଞ୍ଚାୟତର ଡୁମୁରିମୁଣ୍ଡା ଗ୍ରାମରେ ଘଟିଛି ଏହି ଅଘଟଣ।

ମିଳିଥିବା ସୂଚନା ଅନୁଯାୟୀ ବୀର ନରସିଂହପୁର ଗ୍ରାମ ପଞ୍ଚାୟତର ସୁବଳୟା ଗ୍ରାମରେ ଗତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ଗୋଖର ନାଗ ସାପ ବାହାରିଥିଲା । ଖବର ପାଇ ସାପ ଧରୁଥିବା ଡୁମୁରିମୁଣ୍ଡା ଗ୍ରାମର ପ୍ରଶାନ୍ତ ମେହେର (୩୦ ବର୍ଷ) ରାତିରେ ସୁବଳୟା ଗ୍ରାମରେ ପହଞ୍ଚି ସାପକୁ ଧରି ନିଜ ଘରକୁ ଆଣିଥିଲେ।

ଭୋର ପ୍ରାୟ ୪ଟା ୩୦ ମିନିଟ ସମୟରେ ସାପକୁ ଗୋଟିଏ ପ୍ଲାଷ୍ଟିକ ଡବାରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିବା ପାଇଁ ନେଉଥିବା ବେଳେ ତାଙ୍କୁ ସାପ ଚୋଟ ମାରିଥିଲା। ସାପ କାମୁଡ଼ା ଯୋଗୁଁ ତାଙ୍କର ଶରୀରରେ ବିଷ ପ୍ରବାହିତ ହୋଇଥିଲା। ସେ ଅଚେତ ହୋଇଯିବା ପରେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନସକୁ ଫୋନ୍ କରିଥିଲେ ମଧ୍ୟ ଆମ୍ବୁଲାନସ୍ ଟିକିଏ ଡେରିରେ ପହଞ୍ଚିଥିଲା । ସକାଳ ପ୍ରାୟ ୯ଟା ସମୟରେ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ଘଟଣା ପ୍ରଚାରିତ ହେବା ପରେ ବୀର ନରସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର