ବହଳଦା: ଗୁଣି ଗାରେଡ଼ି, ଡାଆଣି, ଭୂତପ୍ରେତ ଭଳି ଅନ୍ଧବିଶ୍ବାସ ଦୂର ପାଇଁ ସରକାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଗାଁ ଗାଁରେ ସଚେତନତା ସଭା କରାଯାଉଛି। ହେଲେ, ଏବେ ବି ଲୋକଙ୍କ ମନରୁ ଅନ୍ଧ ବିଶ୍ବାସର ମୋହ ତୁଟିନି। ସାପ କାମୁଡ଼ାରେ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିବାବେଳେ ଡାକ୍ତରଖାନା ନେବା ପରିବର୍ତ୍ତେ ଝଡ଼ାଫୁଙ୍କା କରିବା ହେଉଛି ଏହାର ଏକ ଜ୍ବଳନ୍ତ ଉଦାହରଣ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୁଇଦିନ ହେବ ଝଡ଼ାଫୁଙ୍କା କରୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ବହଳଦା ଥାନା ଶଶ ପଞ୍ଚାୟତ ବାରୁଡିହି ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗତକାଲି ପୂର୍ବାହ୍ନରେ ଗ୍ରାମର ଚୈତନ୍ୟ ଟୁଡୁଙ୍କ ପୁଅ କାନ୍ଦରା ଟୁଡୁ (୪୫) ବିଲକୁ ଗୋରୁ ଚରାଇବାକୁ ଯାଇଥିବାବେଳେ ଏକ ବିଷଧର ଗୋଖର ସାପ ତାଙ୍କୁ କାମୁଡ଼ି ଦେଇଥିଲା। କାମୁଡ଼ିଥିବା ସତ୍ତ୍ବେ କାନ୍ଦ୍ରା ସାପଟିକୁ ବାଡ଼ି ସାହାଯ୍ୟରେ ପିଟି ମାରି ଦେଇଥିଲେ। ତେବେ, ବିଷଜ୍ବାଳାରେ ଯନ୍ତ୍ରଣା ପାଉଥିଲେ ହେଁ ସେ ସାପଟିକୁ ଧରି ଘରେ ପହଞ୍ଚି ଘଟଣା ସଂପର୍କରେ କହିଥିଲେ। କ୍ରମେ କାନ୍ଦ୍ରା ଗୁରୁତର ହୋଇ ଅଚେତ ହୋଇପଡ଼ିଥିଲେ। ଉଦ୍ବେଗଜନକ ବିଷୟ ହେଉଛି, ପରିବାରବର୍ଗ ଏବଂ ଗ୍ରାମବାସୀ କାନ୍ଦ୍ରାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଗୁଣିଆର ଆଶ୍ରୟ ନେଇଥିଲେ। ଝଡ଼ାଫୁଙ୍କାରେ କାନ୍ଦ୍ରା ସୁସ୍ଥ ହୋଇଯିବ ବିଶ୍ବାସ ରଖି ଗ୍ରାମବାସୀ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଝଡ଼ାଫୁଙ୍କାରେ ଲାଗି ରହିଛନ୍ତି। ତେବେ, ଘଟଣା ସଂପର୍କରେ ଜାଣିବାପରେ ଗ୍ରାମର କିଛି ସଚେତନ ନାଗରିକ କାନ୍ଦ୍ରାଙ୍କୁ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ହେଲେ, ସେମାନେ ଏଥିପ୍ରତି ଗୁରୁତ୍ବ ନଦେଇ ପ୍ରଥମେ ଝାଡ଼ା ଫୁଙ୍କା ପରେ ମେଡିକାଲକୁ ନିଆଯିବ ବୋଲି କହିଥିଲେ।