କଲେଜରେ ସାପ ଧରା ଭିଡିଓ ଭାଇରାଲ, ବନ ବିଭାଗର ତନାଘନା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ରେକୁଟିଆ କୁଶଳେଶ୍ବର କଲେଜରେ ଶହଶହ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସାପ ଧରିବା ପାଇଁ ତାଲିମ ଦିଆଯାଉଥିଲା। ସ୍ଥାନୀୟ ଏକ ବେସରକାରୀ ସ୍କୁଲ୍‌ର ଅଧ୍ୟକ୍ଷ ଏହି ତାଲିମ ଦେଉଥିବା ସମୟରେ ଜଣେ ଛାତ୍ରୀ ସର୍ପ ଦଂଶନରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ବିପଜ୍ଜନକ ତାଲିମର ଏକ ଭିଡିଓ ଭାଇରାଲ ହେବା ପରେ ବନ ବିଭାଗ ତନାଘନା ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, କୁଶଳେଶ୍ବର କଲେଜରେ ଶହଶହ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଏକ ବିଦ୍ୟାଳୟର ଅଧ୍ୟକ୍ଷ ଆକାଶ ରଥ ନାଗସାପ ଆଣି ସାପ ଧରିବା କୌଶଳ ସମ୍ପର୍କରେ ତାଲିମ ଦେଉଥିଲେ। ଛାତ୍ରଛାତ୍ରୀ ମଧ୍ୟ ଆଗ୍ରହର ସହ ତାଲିମ ନେଉଥିଲେ। ଧରିଥିବା ସମୟରେ ସାପଟି ଜଣେ ଛାତ୍ରୀଙ୍କୁ ଚୋଟ ମାରିବା ପାଇଁ ଲମ୍ଫ ଦେଇଥିଲା। ଛାତ୍ରୀଜଣଙ୍କ ସାପଟିକୁ ଛାଡ଼ି ଦେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବନ ବିଭାଗ ପକ୍ଷରୁ ଘଟଣାର ତନାଘନା ଆରମ୍ଭ ହୋଇଛି।

କଲେଜ କର୍ତ୍ତୃପକ୍ଷ ଶ୍ରୀ ରଥଙ୍କୁ ସାପ ଧରା ତାଲିମ ଦେବାକୁ ଅନୁମତି ପ୍ରଦାନ କରିଥିଲେ। ସାପଟି ବିଷମୁକ୍ତ ଥିବା କଲେଜ ଅଧ୍ୟକ୍ଷ ଡ. ଗୋଲକ ବିହାରୀ ଆଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ଶହଶହ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସାପ ଧରିବା କୌଶଳ ପ୍ରଦର୍ଶନ କରିବା ବେଆଇନ ‌ବୋଲି ଆନନ୍ଦପୁର ଡିଏଫ୍‌ଓ ଅଜିତ କୁମାର ଶତପଥୀ କହିଛନ୍ତି। ତେବେ ସମ୍ପୃକ୍ତ ବ୍ୟକ୍ତି ନାଗସାପ କେଉଁଠାରୁ ଆଣିଲେ ଓ ବିଷ କିପରି ଝାଡ଼ିଲେ ତାହାର ତଦନ୍ତ ଚାଲିଛି ବୋଲି ଡିଏଫ୍‌ଓ କହିଛନ୍ତି।

ସମ୍ବନ୍ଧିତ ଖବର