ଚନ୍ଦ୍ରଶେଖରପୁର : କରୋନା ପ୍ରଭାବ ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡ଼ିଛି। ଏବେ ସମସ୍ତେ ଗୃହବନ୍ଦୀ। କିଏ ଘରୁ ବାହାରି ଆମୋଦ ପ୍ରମୋଦ କରି ନ ପାରି ମାନସିକ ଚାପରେ ରହୁଛି ତ କିଏ ପେଟ ପାଇଁ ଦୁଇ ମୁଠା ଦାନା ଯୋଗାଡ଼ କରି ନ ପାରି ଭୋକରେ ଆଉଟୁ ପାଉଟୁ ହେଉଛି। ଏପରି ସସୟରେ ରାସ୍ତାକଡ଼ରେ ଭିକ୍ଷାବୃତ୍ତି କରୁଥିବା ଲୋକମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ। ଏମାନଙ୍କ ଦୟାରୁ ଭିକ୍ଷୁକମାନଙ୍କୁ ଦିନକୁ ଦୁଇ ବେଳା ଖାଦ୍ୟ ମିଳି ଯାଉଛି। ଫଳରେ ଏପରି ଏକ ଘଡ଼ିସନ୍ଧି ସମୟରେ ଖାଦ୍ୟ ପାଇ ସେମାନଙ୍କର ଏକପ୍ରକାର ଜୀବନ ବଂଚି ଯାଉଛି। ତଥାପି ଏମିତି ଅନେକ ଅସହାୟ ଅଛନ୍ତି, ଯେଉଁମାନେ କାହା ଆଗରେ ହାତ ନ ପତାଇ ସ୍ବାଭିମାନକୁ ଜାବୁଡ଼ି ଧରି ହନ୍ତସନ୍ତ ହେଉଛନ୍ତି। କିଛି ନା କିଛି କାମ କରି ପରିବାର ପାଇଁ ଖାଦ୍ୟ ସଂଗ୍ରହ ଲାଗି ଉଦ୍ୟମ କରୁଛନ୍ତି। କିଏ ସଫଳ ହେଉଛି ତ, ଆଉ କେହି ବିଫଳ ହେଉଛି। ସେଭଳି ଅସହାୟଙ୍କ ମଧ୍ୟରେ ରହି ଯାଇଛନ୍ତି ମୁଣ୍ଡପୋତା ଓ ସାପୁଆ କେଳା।

Advertisment

ଗତ କିଛି ଦିନ ଲକ୍‌ଡାଉନ୍‌ ଫଳରେ ଏହି ଦୁଇ ଗୋଷ୍ଠୀ କଳାକାର ଏବେ ବାଧ୍ୟହୋଇ ଭିକ୍ଷାବୃତ୍ତିକୁ ଆଦରି‌ ନେଉଛନ୍ତି। ମାତ୍ର ଘର ଘର ବୁଲି ସାପ ଖେଳ କରି ନ ପାରି ‌ହାତପତାଇ ଦୁଇ ମୁଠା ଖାଇବା ପାଇଁ କାକୁତି ମିନତି ହେଉଛନ୍ତି। ଏହି ଗୋଷ୍ଠୀର ଲୋକ‌ମାନେ ସାଧାରଣତଃ ପଟିଆ କେଳାସାହି ଓ ରୋକଟ ଇଟାଭାଟି ଅଞ୍ଚଳରେ ରହିଥାନ୍ତି। ସାପଖେଳ ଦେଖାଇ ଓ ମାଟିରେ ଗାତ କରି ମୁଣ୍ଡପୋତି ଏମାନେ ଖେଳ ଦେଖାଇ ଦିନକୁ ପ୍ରାୟ ଶହେ ଟଙ୍କା ପର୍ଯ୍ୟନ୍ତ ଆୟ କରିଥାନ୍ତି। ଏହି ଶ୍ରେଣୀର ଲୋକଙ୍କ ନିକଟରେ କେହି ବଦାନ୍ୟ ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ପହଞ୍ଚି ପାରୁ ନ ଥିବାରୁ ବସ୍ତିରୁ ବାହାରି ସେମାନେ ଏବେ ଲକ୍ଡ଼ାଉନ୍ ସମୟରେ ବି ଘରୁ ବାହାରି ଘରଘର ବୁଲି ଖାଦ୍ୟ ଭିକ୍ଷା କରୁଛନ୍ତି। ଆବଶ୍ୟକ ସ୍ଥଳେ ପେଡ଼ିରୁ ସାପ ବାହାର କରି ଲୋକଙ୍କୁ ଦେଖାଇ ଭିକ୍ଷା ମାଗୁଛନ୍ତି। ସହର ଭିତର ରାସ୍ତାକଡ଼ର ଭିକାରି ସମସ୍ତଙ୍କ ଫୋକସରେ ଥିବା ବେଳେ ଗ୍ରାମାଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଏହିପରି ଅସହାୟ ବ୍ୟକ୍ତି ଭୋକ ଉପାସରେ ଦିନ କାଟୁଛନ୍ତି। ହାତ ପତାଇବା ପାଇଁ କୁଣ୍ଠାବୋଧ କରି କୌଳିକ ବୃତ୍ତିକୁ ଆପଣାଇଥିବା ଲୋକମାନେ ଏବେ ଏଭଳି ଏକ ଦୁର୍ଦ୍ଦିନ ବେଳେ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହେଲେଣି।