କେନ୍ଦୁଝର : ଆବାସିକ କୋଚିଂ ସେଣ୍ଟରରେ ଛାତ୍ରମାନେ ଶୋଇଥିବା ବେଳେ ଘଟିଛି ଅଘଟଣ। ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ହରିଚନ୍ଦନପୁର ବ୍ଲକ୍‌ ବାଇଲୋବେଡ଼ା ଗ୍ରାମର ଦୀନବନ୍ଧୁ ମହାନ୍ତଙ୍କ ପୁଅ ରଶ୍ମିରତନ ମହାନ୍ତ (୧୫)। ସେ ନରସିଂହ ସ୍ବାଇଁ ପୁଲିସ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ସେହିପରି ଗୁରୁତର ଛାତ୍ର ଜଣଙ୍କ ହେଲେ ସମୀର ମହାନ୍ତ (୧୫)। ସେ ଡିଏନ୍‌ ହାଇସ୍କୁଲରେ ଦଶମ‌ ଶ୍ରେଣୀରେ ପଢ଼ୁଥିଲେ।

Advertisment

କେନ୍ଦୁଝର ଟାଉନ ଥାନା ମଣ୍ଡୁଆ ପଞ୍ଚାୟତ ଗୁମୁରା ଗ୍ରାମରେ ଥିବା ମାନସୀ କୋଚିଂ ସେଣ୍ଟରରେ ହଷ୍ଟେଲ ରହିଛି। ଏଠାରେ ଡିଏନ୍ ହାଇସ୍କୁଲ, ନରସିଂହ ସ୍ୱାଇଁ ପୁଲିସ ହାଇସ୍କୁଲ, ବ୍ରାହ୍ମଣୀ ଗାଁ ନୋଡାଲ ସ୍କୁଲ, ବାପୁଜୀ ଆଦର୍ଶ ସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟର ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧୦ଜଣ ଛାତ୍ରଛାତ୍ରୀ ରହୁଛନ୍ତି। ଗତକାଲି ରାତି ପ୍ରାୟ ୩ଟାବେ‌ଳେ ଏକ ବିଷାକ୍ତ ଚିତିସାପ ଖଟ ଉପରେ ଶୋଥିବା ରଶ୍ମିରତନ ଓ ସମୀରଙ୍କୁ କାମୁଡ଼ିଥିଲା। ଆଜି ସକାଳେ ଉଭୟଙ୍କ ନିଦ ଭାଙ୍ଗିବା ପରେ ସେମାନଙ୍କୁ ବାନ୍ତି ଲାଗିଥିଲା। କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନନେଇ ହଷ୍ଟେଲରେ ଚିକିତ୍ସା କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସକାଳ ସାଢ଼େ ୭ଟାବେଳେ ଦୁଇ ଛାତ୍ରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସକାଳ ୯ଟାବେଳେ ରଶ୍ମିରତନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପରେ ସମୀରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମଧ୍ୟ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଚିକିତ୍ସାରେ ବିଳମ୍ବ ଯୋଗୁଁ ରଶ୍ମିରତନଙ୍କ ମୃତ୍ୟୁ ହେଲା ବୋଲି ତାଙ୍କ ମଉସା କୀର୍ତ୍ତନ ବିହାରୀ ମହାନ୍ତ ଓ ମାମୁ ଦୟାନିଧି ମହାନ୍ତ ଅଭିଯୋଗ କରିଛନ୍ତି। ଏହା ବିରୋଧରେ ସେମାନେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।