ପୁରୀ : ପୁରୀ ଜିଲ୍ଲା ଚନ୍ଦନପୁର ଥାନା କପାଠେଙ୍ଗ ଗାଁ ମୁଣ୍ଡରେ ଥିବା ଏକ କୁକୁଡ଼ା ଫାର୍ମରେ ଆଜି ଏକ ନାଗ ସାପ ୬ କୁକୁଡ଼ା ଛୁଆଙ୍କୁ ଗିଳି ଦେବା ସହ ୧୦ ଛୁଆଙ୍କୁ ଦଂଶି ମାରିଛି। ଏହି ଦୃଶ୍ୟ ଦେଖିବାକୁ ସେଠାରେ ପ୍ରବଳ ଭିଡ଼ ହୋଇଥିଲା। ସ୍ନେକ ହେଲ୍ପ ଲାଇନ୍ର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ନାଗ ସାପକୁ ଧରିବା ପରେ ଆତଙ୍କର ଅନ୍ତ ଘଟିଥିଲା। ପ୍ରାୟ ୫ ଫୁଟ୍ ଲମ୍ବର ଏହି ନାଗ ସାପକୁ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି।
ସୂଚନା ମୁତାବକ, ଚନ୍ଦନପୁର ଥାନା ଦାଣ୍ଡସାହି ନିକଟ କପାଠେଙ୍ଗର ଦିଲ୍ଲୀପ କୁମାର ମହାନ୍ତି ଏକ କୁକୁଡ଼ା ଫାର୍ମ କରିଛନ୍ତି। କିଛି ଦିନ ତଳେ ସେ ଫାର୍ମରେ କୁକୁଡ଼ା ଚିଆଁ ଛାଡ଼ିଥିଲେ। ଆଜି ଅପରାହ୍ଣ ପ୍ରାୟ ୨ଟା ବେଳକୁ ଏକ ନାଗ ସାପ କୁକୁଡ଼ା ଫାର୍ମରେ ପଶି ଗୋଟିଏ ପରେ ଗୋଟିଏ କୁକୁଡ଼ା ଚିଆଁ ଗିଳିବାକୁ ଲାଗିଥିଲା। ଏହି ସମୟରେ ନାଗଠୁ ଚୋଟ ଖାଇ ଗୋଟିଏ ପରେ ଗୋଟିଏ ଚିଆଁ ମରିବାରେ ଲାଗିଥିଲେ। କୁକୁଡ଼ା ଛୁଆମାନଙ୍କର ଚିଁଚାଁ ଶଦ୍ଦ ଶୁଣି ଦିଲ୍ଲୀପ ଫାର୍ମରେ ପହଞ୍ଚିଲା ବେଳକୁ ଏକାଧିକ ଚିଆଁଙ୍କୁ ଗିଳି ସାରିଥିଲା ସାପ। ସଙ୍ଗେ ସଙ୍ଗେ ସେ ଦୁଆର ବନ୍ଦ କରି ସ୍ନେକ ହେଲ୍ପ ଲାଇନ୍କୁ ଯୋଗାଯୋଗ କରିଥିଲେ। ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ନିହାର ରଂଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଧରିଥିଲେ। ସେତେବେଳେକୁ ସାପଟି ୬ଟି କୁକୁଡ଼ା ଚିଆଁଙ୍କୁ ଗିଳି ସାରିଥିବା ବେଳେ ୧୦ ଛୁଆଙ୍କୁ ଦଂଶି ମାରି ସାରିଥିଲା। ଧରାଯିବା ପରେ ନାଗ ୬ଟି ମଲା କୁକୁଡ଼ା ଚିଆଁ ଓଗାଳିଥିଲା।