ସ୍କୁଟିରୁ ବାହାରିଲା ନାଗସାପ, ଗ୍ରାହକ-ସୋ’ରୁମ ମାଲିକ ଭୟଭୀତ

ନିଆଳି: ସ୍କୁଟି ଭିତରୁ ନାଗସାପ ବାହାରିଛି। ସୋ’ରୁମ୍‌ରେ ଅଚାନକ ନାଗସାପକୁ ଦେଖି ଉଭୟ ମାଲିକ ଓ ଗ୍ରାହକମାନେ ଭୟଭୀତ ହୋଇପଡ଼ିଛନ୍ତି। କଟକ ଜିଲ୍ଲାର ନିଆଳି ବଜାରରେ ଥିବା ଏକ ସୋ’ରୁମ୍‌ରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ନିଆଳି ମୁଖ୍ୟ ବଜାରରେ ଅଛି ୟାମାହା ସୋ’ରୁମ। ଆଜି ଦିନ ୧୦ଟା ୪୫ରେ ସ୍କୁଟି କିଣିବାକୁ କିଛି ଗ୍ରାହକ ସୋ’ରୁମ୍‌ରେ ପହଞ୍ଚିଥିଲେ। ସୋ’ରୁମ୍‌ରେ ମୋଟ ୧୫ଟି ଦୁଇ ଚକିଆ ବାହନ ଥିବା ବେଳେ ସେଥିରେ ୭ଟି ସ୍କୁଟିଥିଲା। ଏଗୁଡ଼ିକ ବିକ୍ରି ପାଇଁ ମାଲିକ ଶେଖ ହସନ୍‌ ଗତକାଲି ସୋ’ରୁମ୍‌କୁ ଆଣିଥିଲେ। ତେଣୁ ସ୍ଥାନୀୟ ଅଞ୍ଚଳର ଗ୍ରାହକମାନେ ଆଜି ନୂଆ ସ୍କୁଟି କିଣିବା ପାଇଁ ସୋ’ରୁମ୍‌କୁ ଯାଇଥିଲେ।

ସ୍କୁଟି କିଣିବା ପୂର୍ବରୁ ଗ୍ରାହକମାନେ ସୋ’ରୁମ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଗାଡ଼ିର ରଙ୍ଗ ଓ ମଡେଲ ଦେଖୁଥିବା ବେଳେ ଗୋଟିଏ ସ୍କୁଟିର ତଳପଟରୁ ଏକ ନାଗସାପ ମୁଣ୍ଡ ହଲାଇଥିଲା। ପ୍ରଥମେ ଜଣେ ଗ୍ରାହକ ସାପର ମୁଣ୍ଡକୁ ଦେଖିବା ପରେ ସେ ଅନ୍ୟମାନଙ୍କୁ ଏ ବାବଦରେ କହିଥିଲେ। ଅଳ୍ପ ସମୟ ପରେ ସାପର ପୂରା ଶରୀର ଦେଖିବାକୁ ମିଳିଥିଲା। ତେବେ ସ୍କୁଟି ଭିତରେ ନାଗସାପକୁ ଅଚାନକ ଦେଖି ଗ୍ରାହକମାନେ ଓ ମାଲିକ ଶେଖ ହସନ୍‌ ଭୟଭୀତ ହୋଇ ଯାଇଥିଲେ। ପରେ ସେଠାରେ ହୋହାଲ୍ଲା ହୋଇଥିଲା। ଭିଡ଼ ମଧ୍ୟରେ ନାଗସାପଟି ଗାଡ଼ି ଛାଡ଼ି ବାହାରକୁ ପଳାୟନ କରୁଥିବା ବେଳେ ଉପସ୍ଥିତ ଲୋକେ ତାକୁ ପିଟିପିଟି ମାରି ଦେଇଥିଲେ। ପରେ ଗ୍ରାହକମାନେ ସ୍କୁଟି ନ କିଣି ଘରକୁ ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର