ଭୁବନେଶ୍ୱର : ଲାଇଭ୍ ଷ୍ଟ୍ରିମିଙ୍ଗ୍ ଆପ୍ ‘ଭିଗୋ’ ଭିଡିଓରେ କେତେକ ଯୁବତୀ ସାପକୁ ଚୁମା ଦେଉଥିବାର ଦୃଶ୍ୟକୁ ନେଇ ତନାଘନା ହେବା ପରେ ଅପ୍ଲୋଡ୍କାରୀ ବରଗଡ଼ର ଅଶୋକ ମେହେର ଓରଫ ରୋହିତ ଗିରଫ ହୋଇଛି। ବନବିଭାଗ ତଦନ୍ତ କଲା ବେଳେ ଏହି ଭିଡିଓ ଅପ୍ଲୋଡ୍ ପଛର ଅନେକ ରହସ୍ୟ ପଦାକୁ ଆସିଛି। ସାପ ସହ ଯୁବତୀମାନଙ୍କ ଏହି ଖେଳର ଭିଡିଓ ବେଶ୍ ଆଦୃତି ଲାଭ କରିଥିବାରୁ ଅପ୍ଲୋଡ୍କାରୀ ଗୋଟିଏ ଭିଡିଓରୁ ୮ ହଜାର ଟଙ୍କା ରୋଜଗାର କରିଥିବା ପ୍ରମାଣ ମିଳିଛି। ତା’ ସହିତ ଭିନ୍ନଭିନ୍ନ ନାମରେ ଆକାଉଣ୍ଟ ଖୋଲାଯାଇ ସାପର ଭିଡିଓ ଅପ୍ଲୋଡ୍ ହୋଇଛି। କେଉଁ ଆକାଉଣ୍ଟକୁ କେତେ ଟଙ୍କା ଆସିଛି, ଆଉ କିଏ କିଏ ଏଭଳି ଭିଡିଓ ଅପ୍ଲୋଡ୍ କରି ଅନ୍ଲାଇନ୍ରେ ଅର୍ଥ ରୋଜଗାର କରିଛନ୍ତି ତାହାର ତଦନ୍ତ ହୋଇ ନାହିଁ। ଏଭଳି ଅର୍ଥନୈତିକ କାରବାର ତଦନ୍ତ ବନବିଭାଗ ପରିସରଭୁକ୍ତ ହୋଇନଥିବାରୁ ଏହାର ତଦନ୍ତ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କରିବା ପାଇଁ ଅବୖତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ ଦାବି କରିଛନ୍ତି। ଏ ନେଇ ସେ ବନବିଭାଗକୁ ଚିଠି ଲେଖିବେ ବୋଲି କହିଛନ୍ତି।
ଅନ୍ୟପଟେ ଅଭିଯୁକ୍ତକୁ ଗିରଫ କରାଯାଇଥିଲେ ମଧ୍ୟ ଭିଡିଓଗୁଡ଼ିକ ଗୁଗୁଲ କ୍ଲାଉଡ୍, ଫେସ୍ବୁକ୍, ଭିଗୋରୁ ଡିଲିଟ୍ କରାଯାଇ ନାହିଁ। ଏଣୁ ପୂର୍ବବତ୍ ଭିଡିଓକୁ ଲୋକେ ପସନ୍ଦ ସହିତ ସେୟାର ଓ ପ୍ଲେ କରୁଛନ୍ତି। ଏଣୁ ସେହି ଅନୁପାତରେ ଅପ୍ଲୋଡ୍ କରିଥିବା ଲୋକର ଆକାଉଣ୍ଟକୁ ଟଙ୍କା ଆସିବା ସୁଯୋଗ ରହିଛି। ସବୁକିଛି ଅନ୍ଲାଇନ୍ରେ ହେଉଥିବାରୁ ଅପ୍ଲୋଡ୍କାରୀ ଜେଲ୍ରେ ରହୁ କି ବାହାରେ, ତା’ର ଆକାଉଣ୍ଟକୁ ଟଙ୍କା ଆସିବାରେ କୌଣସି ସମସ୍ୟା ରହୁନାହିଁ। ତା’ ସହିତ ଅନ୍ୟ କେତେକ ଯୁବତୀ ମଧ୍ୟ ନିଜ ନିଜ ଆକାଉଣ୍ଟରେ ଏହାକୁ ଅପ୍ଲୋଡ୍ କରିଛନ୍ତି। ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଶୁଭେନ୍ଦୁ ବନବିଭାଗକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ଭଦ୍ରକେର ଏଭଳି ଜଣେ ଆପଲୋଡକାରୀ ଅଛନ୍ତି, ହେଲେ ତାଙ୍କୁ ଗିରଫ କରାଯାଇ ନାହିଁ। ଉଲ୍ଲେଖନୀୟ, ସେ ବନବିଭାଗକୁ ଚିଠି ଲେଖି ଅଭିଯୋଗ କରିବା ପରେ ପିସିସିଏଫ୍ ସମସ୍ତ ଡିଏଫ୍ଓଙ୍କୁ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। କେବଳ ବରଗଡ଼ ଡିଏଫ୍ଓ ନିର୍ଦ୍ଦେଶକୁ ଗମ୍ଭୀରତାର ସହ ନେଇ ଅପ୍ଲୋଡ୍କାରୀକୁ ଗିରଫ କରିଥିବା ବେଳେ ପ୍ରମାଣ ଥାଇ ମଧ୍ୟ ଅନ୍ୟ ସମସ୍ତ ଅଧିକାରୀ ନିରବ ବସିଛନ୍ତି।
ସୂଚନା ମୁତାବକ, ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ନାଗସାପ ସଂରକ୍ଷିତ ଜୀବ ହୋଇଥିବାରୁ ଏହାକୁ ବ୍ୟବହାର କରି ଅର୍ଥ ଉପାର୍ଜନ କରିବା ଧର୍ତ୍ତବ୍ୟ ଅପରାଧ। ଯାହାକୁ ଆଧାର କରି ସାପୁଆ କେଳାଙ୍କୁ ସାପ ଖେଳାଇବାରୁ ନିବୃତ୍ତ କରାଯାଇଛି। ଆଇନ ନ ମାନି ସାପ ଖେଳାଇଥିବାରୁ କେତେକ ସାପୁଆ କେଳାଙ୍କୁ ଗିରଫ ମଧ୍ୟ କରାଯାଇଛି। ନିକଟରେ ଲାଇଭ୍ ଷ୍ଟ୍ରିମିଙ୍ଗ୍ ଆପ୍ ‘ଭିଗୋ’ ଭିଡିଓରେ କେତେକ ଯୁବତୀ ସାପକୁ ଚୁମା ଦେଉଥିବାର ଦୃଶ୍ୟକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତନାଘନା ହୋଇଥିଲା। ଏଭଳି ଅପ୍ଲୋଡ୍କାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିଏଫ୍ ସମସ୍ତ ଡିଏଫ୍ଓମାନଙ୍କୁ ନିର୍ଦ୍ଦେଶ ଦେବା ପରେ ଅଶୋକ ମେହେର(ରୋହିତ)କୁ ବରଗଡ଼ରୁ ବନବିଭାଗ ଗିରଫ କରିଥିଲା।