ଭଂଜନଗରରେ ସ୍କୁଟିରୁ ଉଦ୍ଧାର ହେଲା ବିଷଧର ସାପ

ଭଂଜନଗର: ଗାଡି ଧରି ବାହାରକୁ ଯାଉଛନ୍ତି କି? ସାବଧାନ! ଗାଡ଼ି ଭିତରେ ଥାଇପାରେ ବିଷଧର ସାପ। ବର୍ତ୍ତମାନ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇ ଯାଇଥିବା ବେଳେ ବିଷଧର ସର୍ପ ବିଭିନ୍ନ ଜନଗହଳି ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଂଜନଗର ଉପଖଣ୍ଡ ଚିକିତ୍ସାଳୟ ନିକଟରେ ଥିବା ଏକ ଔଷଧ ଦୋକାନ ସାମ୍ନାରେ।

ଭଂଜନଗରରେ ଜଣେ ଔଷଧ ଦୋକାନ ମାଲିକ ଦ୍ୱାରିକା ପାତ୍ରଙ୍କ ସ୍କୁଟି ଭିତରୁ ବାହାରିଛି ଏକ ବିଷଧର ନାଗସାପ। ବ୍ୟବସାୟୀ ଜଣଙ୍କ ତାଙ୍କ ଦୋକାନ ସାମ୍ନାରେ ସ୍କୁଟିଟି ରଖି ଘର ଭିତରକୁ ଯାଇଥିଲେ। କୌଣସି କାମରେ ଗାଡି ବାହାର କରିବା ସମୟରେ ଦେଖିଲେ ଗାଡିରେ ନାଗ ସାପଟି ରହିଛି। ହଠାତ୍‌ ସେଠାରୁ ଦୂରେଇ ଯାଇ ସାପଟିକୁ ଘଉଡାଇବା ପାଇଁ ଚେଷ୍ଟା କରିଥିବା ବେଳେ ସାପଟି ଗାଡି ଭିତରକୁ ପଶିଯାଇଥିଲା। ଏହାପରେ ବନ ବିଭାଗର ସାପ ଉଦ୍ଧାର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।

ସ୍କୁଟି ଭିତରେ ପଶି ଯାଇଥିବାରୁ ସାପଟିକୁ ବାହାର କରିବା ପାଇଁ ନୟାନ୍ତ ହୋଇପଡିଥିଲେ। ଶେଷରେ ଗାଡିର ଯନ୍ତ୍ରାଂଶ ବାହାର କରିବା ପରେ ସାପଟିକୁ ଉଦ୍ଧାର କରାଯାଇଥିଲା। ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀଙ୍କ ଉପସ୍ଥିତିରେ ସ୍ନେକ୍‌ ରେସକ୍ୟୁ ଟିମ୍‌ର ସଞ୍ଚୟ ସ୍ୱାଇଁ ଏବଂ କେଦାର ମଲ୍ଲିକ ସ୍କୁଟିରୁ ସାପଟିକୁ ଉଦ୍ଧାର କରିଥଲେ। ଏହାପରେ ସାପଟିକୁ ଉଦ୍ଧାର କରି ଏକ ଡବା ଭିତରେ ଜଙ୍ଗଲରେ ନେଇ ଛାଡିଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର