ସାପ କାମୁଡ଼ା ମୁକାବିଲା: ଖୁବଶୀଘ୍ର ୩ଟି ରାଜ୍ୟକୁ ଯିବେ ଟିମ୍

ଭୁବନେଶ୍ବର : ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ଚିନ୍ତାଜନକ ସ୍ଥିତିରେ ରହିଛି। ଏହାକୁ ହ୍ରାସ କରିବା ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ସାପ କାମୁଡ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ୩ଟି ରାଜ୍ୟକୁ ଟିମ୍‌ ପଠାଯିବ। ଏହି ଟିମ୍‌ ସେଠାରେ ସାପ କାମୁଡ଼ା ଜନିତ ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ଦେଶରେ ଆସାମ, ତାମିଲନାଡ଼ୁ ଓ କେରଳ ସାପ କାମୁଡ଼ା କ୍ଷେତ୍ରରେ ବେଶ୍‌ ଭଲ କାମ କରୁଛନ୍ତି। ତେଣୁ ଏସବୁ ରାଜ୍ୟରେ ସାପ କାମୁଡ଼ାର କିଭଳି ମୁକାବିଲା କରାଯାଉଛି ତାହା ଜାଣିବା ଲାଗି ମନୋଜ ନୈୟାରଙ୍କ ନେତୃତ୍ବରେ ଟିମ୍ ଗଠନ କରାଯାଇଛି।

ଚଳିତବର୍ଷ ଡିସେମ୍ବର ୨୦ତାରିଖ ସୁଦ୍ଧା ରାଜ୍ୟରେ ସାପ କାମୁଡ଼ାରେ ୭୪୨ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି। ଏଥିରେ କେନ୍ଦୁଝରରେ ସର୍ବାଧିକ ୫୮, ମୟୂରଭଞ୍ଜ ୫୬, ବାଲେଶ୍ବରରେ ୫୫, ଗଞ୍ଜାମ ୫୨, କଟକ ୪୩, ପୁରୀ ୪୨, ମାଲକାନଗିରିରେ ୪୦, ଢେଙ୍କାନାଳରେ ୩୩ଜଣ ପ୍ରାଣ ହରାଇଛନ୍ତି। ରାୟାଗଡ଼ାରେ ସର୍ବନିମ୍ନ ୪ଜଣ, ବଲାଙ୍ଗୀର ୬ ଓ ଗଜପତି, ଜଗତସିଂହପୁର, ଝାରସୁଗୁଡ଼ାରେ ୭ଜଣଙ୍କ ମୃତ୍ୟୁ ହୋଇଛି। ସାପ କାମୁଡ଼ା ପାଇଁ ଆବଶ୍ୟକ ଆଣ୍ଟି ସ୍ନେକ ଭେନମ ଟିକା ଉପଲବ୍ଧ ରହିଛି। ତେଣୁ ପ୍ରାଥମିକ/ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ତାଲିମ ଦେବାକୁ ପଡ଼ିବ। ଏହାସହ ସାପ କାମୁଡ଼ାକୁ ନେଇ ଲୋକମାନଙ୍କ ମଧ୍ୟରେ ଯେଉଁ ଅନ୍ଧବିଶ୍ବାସ ରହିଛି ତାହାକୁ ଦୂର କରିବା ପାଇଁ ବ୍ୟାପକ ଜନସଚେତନତା କରାଯିବ। ଅପରପକ୍ଷରେ ପାଣିରେ ବୁଡ଼ିବା କାରଣରୁ ହେଉଥିବା ମୃତ୍ୟୁକୁ ରୋକିବା ଲାଗି ଲାଇଫ୍‌ ଜ୍ୟାକେଟ୍‌ର ବ୍ୟବସ୍ଥା କରାଯାଇଛି। ଏହାସହ ପ୍ରତ୍ୟେକ ଡଙ୍ଗାକୁ ବୀମାମୁକ୍ତ କରାଯିବା ସହିତ ବ୍ୟାପକ ସଚେତନତା କାର୍ଯ୍ୟ କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର