ରାଜ୍ୟରେ ବଢ଼ୁଛି ସର୍ପାଘାତ ମୃତ୍ୟୁ

ସର୍ପାଘାତ ଓ ପାଣିରେ ବୁଡ଼ିଯିବା ଘଟଣା ବାଲେଶ୍ୱରରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ସର୍ପାଘାତ ଯୋଗୁଁ ପ୍ରତିବର୍ଷ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ବର୍ଷରେ ସର୍ପାଘାତ ଯୋଗୁଁ ରାଜ୍ୟରେ ୧୭୧୬ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ଗତ ୩ବର୍ଷରେ ୪୬୮୯ଜଣ ପ୍ରାଣ ହରାଇଥିବା ବେଳେ ଏଥିରେ ସର୍ପାଘାତରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୩୭ପ୍ରତିଶତ। ସର୍ପାଘାତର ପରେ ପାଣିରେ ବୁଡ଼ିଯିବା ଓ ବଜ୍ରାଘାତରେ ମଧ୍ୟ ମୃତକଙ୍କ ସଂଖ୍ୟା ବହୁତ ଅଧିକ ରହିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ୮ଟି ପ୍ରାକୃତିକ ବିପର୍ଯ୍ୟୟକୁ ସ୍ୱୀକୃତି ଦିଆଯାଇଛି। ଏଥିରେ ସର୍ପାଘାତ, ପାଣିରେ ବୁଡ଼ିଯିବା, ବଜ୍ରାଘାତ, ନିଅାଁରେ ପୋଡ଼ିଯିବା, ଅଂଶୁଘାତ, ବାତ୍ୟା, ବନ୍ୟା, କାଳବୈଶାଖୀ ଓ ଡଙ୍ଗା ବୁଡ଼ିଯିବା ଭଳି ବିପର୍ଯ୍ୟୟ ରହିଛି। ସୂଚନା ଅନୁଯାୟୀ, ୨୦୧୫/୧୬ରେ ସର୍ପାଘାତରେ ୪୪୬ଜଣ ପ୍ରାଣ ହରାଇଥିବା ବେଳେ ୨୦୧୬/୧୭ରେ ୫୭୪ ଓ ୨୦୧୭/୧୮ରେ ୬୯୬ଜଣଙ୍କ ସାପ କାମୁଡ଼ା ଯୋଗୁଁ ଜୀବନ ଯାଇଛି। ବାଲେଶ୍ୱର ଜିଲ୍ଲାରେ ଗତ ୩ବର୍ଷରେ ସର୍ବାଧିକ ୧୬୪ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମରେ ୧୪୭ ଓ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୧୪୫ଜଣ ଲେଖାଏଁ ସାପ କାମୁଡ଼ା ଯୋଗୁଁ ପ୍ରାଣ ହରାଇଛନ୍ତି।

ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ୍‌ରେ ୩୩, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୨୮ ଓ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ୍‌ରେ ୨୬ଜଣ ସର୍ପଘାତ ଯୋଗୁଁ ପ୍ରାଣ ହରାଇଛନ୍ତି। ବିଶେଷକରି ଚାଷୀମାନେ ସାପ କାମୁଡ଼ାର ଅଧିକ ଶିକାର ହେଉଥିବା ରେକର୍ଡ କରାଯାଇଛି। ଦେଶର କେତେକ ରାଜ୍ୟରେ କୃଷକମାନଙ୍କ ରେଡିଏସନ୍‌ ଷ୍ଟିକ୍‌ ବଣ୍ଟନ କରାଯାଉଛି। ଯାହାଫଳରେ ରେଡିଏସନ୍‌ ଯୋଗୁଁ ସେହି ଅଞ୍ଚଳକୁ ସାପ ଆସିପାରି ନ ଥାନ୍ତି। ମାତ୍ର ଓଡ଼ିଶାରେ କୃଷକମାନଙ୍କ ପାଇଁ ଏଭଳି କିଛି ବ୍ୟବସ୍ଥା ନ ଥିବାରୁ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି।

ସେହିପରି ରାଜ୍ୟରେ ପାଣିରେ ବୁଡ଼ିଯିବା ଭଳି ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୩ବର୍ଷର ପରିସଂଖ୍ୟାନରେ ରାଜ୍ୟରେ ୧୨୯୨ଜଣ ଏଥିରେ ପ୍ରାଣ ହରାଇଛନ୍ତି। ୨୦୧୫/୧୬ରେ ୨୪୬, ୨୦୧୬/୧୭ରେ ୪୨୮ ଓ ୨୦୧୭/୧୮ରେ ୬୧୮ଜଣଙ୍କର ପାଣିରେ ବୁଡ଼ିଯିବା ଯୋଗୁଁ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାରେ ୩ବର୍ଷରେ ୧୨୯ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଥିବା ବେଳେ ଭଦ୍ରକରେ ୧୧୮ ଓ ଯାଜପୁର ଜିଲ୍ଲାରେ ୧୦୩ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍‌ରେ ସର୍ବାଧିକ ୪୦ଜଣ ପ୍ରାଣ ହରାଇଥିବା ବେଳେ ସମ୍ବଲପୁର ଜିଲ୍ଲା ସମ୍ବଲପୁର ବ୍ଲକ୍‌ରେ ୩୪ ଓ ବସ୍ତା ଓ ମହାକାଳପଡ଼ା ବ୍ଲକ୍‌ରେ ୩୧ଜଣ ପ୍ରାଣ ହରାଇଛନ୍ତି।

ବଜ୍ରାଘାତ ଯୋଗୁଁ ୨୦୧୫/୧୬ରେ ୪ଶହ, ୨୦୧୬/୧୭ରେ ୩୯୮, ୨୦୧୭/୧୮ରେ ୪୬୦ଜଣ ଓ ୨୦୧୮/୧୯ରେ ଏପ୍ରିଲ ମାସ ମଧ୍ୟରେ ୮୨ଜଣ ପ୍ରାଣ ହରାଇଥିବା ରିପୋର୍ଟ କରାଯାଇଛି। ଗତ ୩ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ୧୩୦ଜଣ ବଜ୍ରାଘାତରେ ପ୍ରାଣ ହରାଇଥିବା ବେଳେ ବାଲେଶ୍ୱରରେ ୯୫ ଓ ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରେ ୮୯ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଭଦ୍ରକ ବ୍ଲକ୍‌ରେ ୧୮, କେମୋନାରେ ୧୭ ଓ ଜଳେଶ୍ୱର ଓ କେନ୍ଦୁଝର ଜିଲ୍ଲାର କେନ୍ଦୁଝର ବ୍ଲକ୍‌ରେ ୧୫ଜଣ ଲେଖାଏଁ ଗତ ୩ବର୍ଷରେ ବଜ୍ରାଘାତ ଯୋଗୁଁ ଜୀବନ ହରାଇଛନ୍ତି।

ସେହିପରି ନିଅାଁରେ ପୋଡ଼ିହୋଇ ପ୍ରାଣ ହରାଇବା ଘଟଣା ମଧ୍ୟ ରାଜ୍ୟରେ ବୃଦ୍ଧି ପାଇଛି। ୨୦୧୫/୧୬ରେ ୩୬, ୨୦୧୬/୧୭ରେ ୯୭, ୨୦୧୭/୧୮ରେ ୮୭ ଓ ଚଳିତ ମେ’ମାସ ୧୦ତାରିଖ ପର୍ଯ୍ୟନ୍ତ ୧୦ଜଣ ନିଅାଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଅଂଶୁଘାତ ଜନିତ ମୃତୁସଂଖ୍ୟା କମିବାରେ ଲାଗିଛି। ୨୦୧୫/୧୬ରେ ୭୦, ୨୦୧୬/୧୭ରେ ୬୭, ୨୦୧୭/୧୮ଜୁନ୍‌ ମାସରେ ୩୧ଜଣ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି। କାଳ ବୈଶାଖୀ ଯୋଗୁଁ ରାଜ୍ୟରେ ୨୦୧୫/୧୬ରେ ୫, ୨୦୧୬/୧୭ରେ ୭, ୨୦୧୭/୧୮ରେ ୮ ଓ ଚଳିତବର୍ଷ ଏ ପର୍ଯ୍ୟନ୍ତ ୯ଜଣ ପ୍ରାଣ ହରାଇଛନ୍ତି। ୨୦୧୫/୧୬ରେ ରାଜ୍ୟରେ ଡଙ୍ଗା ବୁଡ଼ିଯିବା ଘଟଣାରେ ୧୯ଜଣଙ୍କ ଜୀବନ ହାନୀ ହୋଇଥିବା ବେଳେ ୨୦୧୬/୧୭ରେ ୭ ଓ ୨୦୧୭/୧୮ରେ ୪ଜଣ ଏଥିରେ ପ୍ରାଣ ହରାଇଥିବା ସରକାରୀଭାବେ କୁହାଯାଇଛି।

ସମ୍ବନ୍ଧିତ ଖବର