ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଦେଇଛି। ଜିଲ୍ଲାରେ ଚଳିତ ବର୍ଷ ସାପ କାମୁଡ଼ାରେ ବର୍ତ୍ତମାନ ସୁଦ୍ଧା ଅର୍ଥାତ୍ ଗତ ୬ ମାସରେ ୮ଜଣଙ୍କର ପ୍ରାଣ ହରାଇଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଗତ ୨୦୨୦ ମସିହାରେ ଜିଲ୍ଲାରେ ସାପ କାମୁଡ଼ାରେ ୧୭ଜଣ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୧ ମସିହାରେ ୨୮ଜଣଙ୍କର ମୃତ୍ୟୁ ଘଟିଛି। ୨୦୨୨ ମସିହାରେ ୧୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସାପ କାମୁଡା ତଥ୍ୟରୁ ଜଣାଯାଇଛି ଯେ, ବାରକୋଟ ଓ ରିଆମାଳ ବ୍ଲକ୍ରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ହେଉଥିବା ଲୋକଙ୍କ ସଂପର୍କୀୟଙ୍କୁ ରାଜ୍ୟ ସରକାର ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଉଛି। ଦେଶୀ ଗୁଣି ଗାରେଡ଼ି ବଦଳରେ ତୁରନ୍ତ ଡାକ୍ତରଖାନାରେ ନେଇ ଚିକିତ୍ସା କରିବାକୁ ଲୋକଙ୍କୁ କୁହାଯାଉଛି।
ଅନ୍ୟପଟେ ଜିଲ୍ଲାର ଯେଉଁ ଯେଉଁ ଅଂଚଳରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ସେହି ସ୍ଥାନରେ ଲୋକମାନଙ୍କୁ ସ୍ବତନ୍ତ୍ର ସଚେତନତା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଯୋଜନା କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି। ବିଶେଷ କରି ପାହାଡ଼ି ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ସରକାରଙ୍କ ସଚେତନତା ବାର୍ତ୍ତା ପହଞ୍ଚି ପାରୁ ନଥିବା ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/snake.jpg)