ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ୧୪୪ ଧାରା ମଧ୍ୟରେ ବିନା ଭକ୍ତରେ ଶେଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା

ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ରତ୍ନସିଂହାସନରୁ ଅଣସରପିଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି
ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଘିଅର ମାନକୁ ନେଇ ନୀତି ବିଳମ୍ବିତ

ବାରିପଦା : ମହାପ୍ରଭୁ ଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଆଦ୍ୟ ଯାତ୍ରା ଭାବେ ପ୍ରତିପାଦିତ । ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ଯାତ୍ରା ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ବାରିପଦା ମନ୍ଦିରରେ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ମହାପ୍ରଭୁ ଏବଂ ବାଣ୍ଠିଆ(ସାନ) ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନ ତ୍ୟାଗକରି ସୁନ୍ଦର ଟାହିଆରେ ସୁସଜ୍ଜିତ ହୋଇ ଧୀରେ ଧୀରେ ଅପୂର୍ବ ଛନ୍ଦରେ ଗୋଟି ପହଣ୍ଡିରେ ପାହୁଣ୍ଡ ପକାଇ ଖୋଳ, କରତାଳ, ଘଣ୍ଟ ଘଣ୍ଟା ଧ୍ୱନୀ ଓ ହୁଳହୁଳି, କାହାଳୀ ବଜାଇ ଢ଼ଳି ଢ଼ଳି ସ୍ନାନ ମଣ୍ଡପକୁ ବିଜେ ହୋଇଥିଲେ । ଏହାପରେ ୧୦୮ ଗରା ଚନ୍ଦନ, କର୍ପୁର, ତୁଳସୀ ବଓ କସ୍ତୁରୀ ଆଦି ସୁବାସୀତ ପାଣିରେ ଐଶ୍ୱର୍ଯ୍ୟମୟ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୂ ବଳଭଦ୍ର, ମା ସୁଭଦ୍ରା ଓ ସୁଦର୍ଶନ କରିଥିଲେ ଭବ୍ୟସ୍ନାନ। ଦର୍ଶନ ମାତ୍ରକେ ସହସ୍ର ଜନ୍ମର ପାପ ଧୋଇ ଯିବା ସହ ଶହଶହ ପୁର୍ନଜନ୍ମ ଟଳିଯିବା ଓ ମୋକ୍ଷର ଅକ୍ଷୟମାଳ ସରାଗରେ ଆତ୍ମା ପିନ୍ଧି ନେଉଥିବାର ବିଶ୍ୱାସ ରଖିଥାନ୍ତି ଭକ୍ତମାନେ। ସେହିପରି ସ୍ନାନ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତିର ଆଦି ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଗଣପତି, ମହାପ୍ରଭୂ ବଳଭଦ୍ର ଖଦିର ଗଣପତି ଓ ଦେବୀ ସୁଭଦ୍ରା ମାତଙ୍ଗୀ ବେଶ ଧାରଣ କରିଥିଲେ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୂ ଗଜାନନ ବେଶ ଧାରଣ ପୂର୍ବକ ଭକ୍ତମାନଙ୍କୁ ଦର୍ଶନ ଦେବା ପଛରେ ଐତିହାସିକ ସତ୍ୟ ଅପେକ୍ଷା ଅଧିକ କିମ୍ବଦନ୍ତୀ ପ୍ରସୂତ, ଯାହା ପ୍ରାଣକୁ ସ୍ପର୍ଶ କରିଯିବା ଭଳି।

ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗଣପତ୍ୟ ସମ୍ପ୍ରଦାୟର ଶ୍ରୀଗଣପତି ଭଟ୍ଟ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଇଷ୍ଟ ଗଣପତି ହୋଇନଥିବା କାରଣରୁ ମହାପ୍ରଭୂଙ୍କୁ ପ୍ରଣିପାତ ନକରି ନିରାଶ ହୋଇ ଶ୍ରୀକ୍ଷେତ୍ର ତ୍ୟାଗ କରି ମୁକ୍ତେଶ୍ୱର ପର୍ଯ୍ୟନ୍ତ ଚାଲିଯାଇଥିଲେ । ଭାବଗ୍ରାହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତ ଶ୍ରୀଗଣପତି ଭଟ୍ଟଙ୍କ ହୃଦୟର ଆବେଗକୁ ବୁଝିବାରେ ବିଳମ୍ବ ନକରି ତାଙ୍କୁ ଶ୍ରୀକ୍ଷେତ୍ର ଫେରି ଆସିବାକୁ ସ୍ୱପ୍ନାଦେଶ ହେବାରୁ ସେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରରେ ପହଁଞ୍ଚି ସ୍ନାନବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ କଳାଗଣେଶ ଓ ମହାପ୍ରଭୂ ବଳଭଦ୍ର ଧଳାଗଣେଶ ବେଶକୁ ଦର୍ଶନ କରିବା ସହ ଭକ୍ତିରସରେ ଆତ୍ମବିଭୋର ହୋଇପଡ଼ିଥିଲେ । କିନ୍ତୁ ମହାପ୍ରଭୂଙ୍କର ଏହି ପବିତ୍ର ଦେବସ୍ନାନ ଓ ଗଜାନନ ବେଶକୁ ଦର୍ଶନ କରିବା ନିମନ୍ତେ କୌଣସି ଭକ୍ତ ନ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାତଃ ୫ରୁ ରାତି ୭ ପର୍ଯ୍ୟନ୍ତ ଜାରି ହୋଇଥିବା ୧୪୪ ଧାରା ବାଧକ ସାଜିଥିଲା । କୋଭିଡ଼-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିବାକୁ ବାଧ୍ୟ ହୋଇଥିଲେ।

ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିର ନିକଟଦେଇ ଯାଇଥିବା ମୁଖ୍ୟ ରାସ୍ତାକୁ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରୁ ଥାନା ଏବଂ ବାଣ୍ଠିଆ(ସାନ) ଜଗନ୍ନାଥ ମନ୍ଦିର ସମ୍ମୁଖ ଦେଇ ଯାଇଥିବା ରାସ୍ତାକୁ ଟ୍ରାଫିକ୍ ଛକ ନିକଟରୁ ତାରିଣୀ ମନ୍ଦିର ଛକ ପର୍ଯ୍ୟନ୍ତ ସିଲ କରିଦିଆଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୁଲିସ ବିଭାଗର ୨୫ ଜଣ ଅଧିକାରୀ ଓ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ବ୍ୟାକୁଳ ହୋଇ ବିଭିନ୍ନ ରାସ୍ତା ଦେଇ ଭିତରକୁ ପ୍ରବେଶ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ ଚଳାଇ ଶେଷରେ ନୈରାଶ୍ୟ ମନୋଭାବରେ ଫେରିଯାଉଥିବାର ପରିଲକ୍ଷିତ ହୋଇଥିଲା । ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ ମନ୍ଦିରର ନୀତିକାନ୍ତି ବିଧି ବ୍ୟବସ୍ଥା ଅନୁସାରେ ଜୁନ ୪ ରାତି ୮ରେ ଚକାଛଡ଼ା ନୀତି ସହି ସମ୍ପନ୍ନ ହେବା ପରେ ବଡ଼ସିଂହାରବେଶ, ଆଜି ଭୋର ୪ରେ ମହାପଭୁଙ୍କ ନିକଟରେ ମଙ୍ଗଳ ଆଳତୀ ଲାଗି ହେବା ପରେ ୪.୧୦ରେ ସ୍ନାନ ବେଦୀକୁ ଗୋଟି ପହଣ୍ଡିରେ ବିଜେ, ୫.୩୦ରେ ସ୍ନାନ, ୭.୩୦ରେ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ଏହି ସମୟରେ ମହାପ୍ରଭୁଙ୍କୁ ସୋଲ ଜରି ଜମ୍ବୁରା କଦଳୀ ପଟୁଆରେ ତରାସ ଚୂଳ ସାଙ୍ଗକୁ ଫୁଲମାଳ ଆଦିରେ ଫୁଲଚୁଳିଆ ବେଶରେ ସୁସଜ୍ଜିତ କରାଯାଇଥିଲା । ସେହିପରି ରାତି ସାଢ଼େ ୭ରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାପରେ ରାତି ୯ ଭିତରେ ଅଣସର ଗୃହକୁ ପ୍ରବେଶ କରିଥିଲେ।

ଡାଲ୍‌ଡା ଘିଅରେ ପ୍ରସ୍ତୁତ ଲଡ଼ୁକୁ ନେଇ ସେବାୟତ ମହଲରେ ଅସନ୍ତୋଷ, ମହାପ୍ରଭୁଙ୍କ ରୀତିକାନ୍ତିରେ ବିଳମ୍ବ

ବାରିପଦା : ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୭୫(ଶକାବ୍ଦ ୧୪୯୮)ରେ ନିଜର ଗଡ଼ ବାରିପଦାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୁଙ୍କର ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା ହେବାର ପରବର୍ତ୍ତୀ ସମୟଠାରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ଓ ନିୟମ ଅନୁସାରେ ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଅଛି । ୧୯୪୯ ଜାନୁଆରୀ ପହିଲା ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହୋଇ ଜାନୁଆରୀ ୨ରୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବାର ପରବର୍ତ୍ତି ସମୟରେ ଭାରତ ସରକାର, ଓଡ଼ିଶା ସରକାର ଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିନାମାରେ ଅନୁସାରେ ଦରବାର ସମୟରେ ପ୍ରଚଳିତ ସମସ୍ତ ଦେବନୀତି ସରକାର ଅବ୍ୟାହତ ରଖିବେ। ତତ୍ଅନୁଯାୟୀ ରାଜଦରବାର ସମୟରେ ମଠ ମନ୍ଦିରରେ ପାଳନ କରାଯାଉଥିବା ସମସ୍ତ ଦୈନନ୍ଦିନ ନୀତି, ପାର୍ବଣୀ ନୀତିର ବିଷଦ ବିବରଣୀକୁ ଡ଼ଉଲ ରେଜିଷ୍ଟରରେ ପଞ୍ଜିକୃତ କରାଯାଇଛି । ଏଥି ନିମନ୍ତେ ମହାରାଜା ଛାଡ଼ି ଦେଇଯାଇଛନ୍ତି କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି । ମାତ୍ର ପରିଚାଳନାଗତ ଅପାରଗତା କାରଣରୁ ବିଭିନ୍ନ ସମୟରେ ମଠ ମନ୍ଦିରଗୁଡ଼ିକର ଠାକୁରମାନଙ୍କ ରୀତିକାନ୍ତି ବିଧି ବ୍ୟବସ୍ଥାରେ ବିଘ୍ନ ଘଟି ଆସୁଥିବା ବେଳେ ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ନିକଟରେ ସୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ଲଡ଼ୁ ଲାଗି ହେବା ବଦଳରେ ଡାଲ୍‌ଡା ଘିଅରେ ପ୍ରସ୍ତୁତ ଲଡ଼ୁ ଲାଗି ପାଇଁ ଆସିଥିଲା । ଯାହାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଫଳରେ ମହାପ୍ରଭୂଙ୍କ ସ୍ନାନରେ ରୀତିକାନ୍ତିରେ ପ୍ରାୟ ୨ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଥିଲା । ଖବରପାଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡ଼ିଏ ବସନ୍ତ କୁମାର ସେଠୀ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିରରେ ପହଁଞ୍ଚି ସେବାୟତମାନଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ସେବାୟତମାନେ ମହାପ୍ରଭୁଙ୍କ ସେବା କାର୍ଯ୍ୟ ଆରମ୍ଭ କରିଥିବାର ଜଣାପଡ଼ିଛି।

ସମ୍ବନ୍ଧିତ ଖବର