ସ୍ନାନଯାତ୍ରାରେ ବଡ଼ଦାଣ୍ଡକୁ ଆସିପାରିବେନି ଭକ୍ତ

ବଡ଼ଦାଣ୍ଡ ଦୁଇ ପାର୍ଶ୍ବ କୋଠାରେ ଲାଗିବ କଟକଣା, ଛାତ ଉପରେ ହୋଇପାରିବନି ବାହାର ଲୋକଙ୍କ ପାଇଁ ବ୍ୟବସ୍ଥା

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାକୁ କଟକଣା ଭିତରେ ପାଳନ କରାଯିବ। ଏଥି ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ ଆସନ୍ତା ଜୁନ ୫ ତାରିଖରେ ପଡ଼ୁଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାର ପୂର୍ବ ଦିନ ରାତିରୁ ବଡ଼ଦାଣ୍ଡ‌ରେ କଟକଣା ଲାଗୁ ହେବ। ବଡ଼ଦାଣ୍ଡକୁ କୌଣସି ଭକ୍ତ ଆସିପାରିବେ ନାହିଁ। ଏପରିକି ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ ‌ହେବ। ସବୁ ପ୍ରବେଶ ପଥରେ କଟକଣା ରହିବ। ଏଥର କୋଭିଡ-୧୯ ପାଇଁ ପୂର୍ବ ବର୍ଷ ଭଳି ଅଧିକ ପୁଲିସ ବଦଳରେ କମ୍‌ ସଂଖ୍ୟକ ପୁଲିସଙ୍କୁ ମୁତୟନ କରାଯିବ। ସ୍ନାନପୂର୍ଣ୍ଣିମାରେ ଭକ୍ତଙ୍କୁ ଅନୁମତି ନ ଥିବାରୁ ଡାକବାଜି ଯନ୍ତ୍ର ମଧ୍ୟ ଲାଗିବ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶରେ ବଡ଼ଦାଣ୍ଡର ଦୁଇ ପାର୍ଶ୍ବ କୋଠା, ଲଜ୍‌ରେ କଟକଣା ଲାଗୁ ହେବ। ବିଶେଷ କରି ଯଦି ମହାପ୍ରଭୁଙ୍କ ରଥଯାତ୍ରା ହୁଏ, ତେବେ ଏହି କଟକଣାକୁ ଅଧିକ କଡ଼ାକଡ଼ି କରାଯିବ।

ଦୁଇ ପାର୍ଶ୍ବରେ ଥିବା କୋଠାରେ କେବଳ ସେହି ଘରର ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଛାତ ଉପରେ କୌଣସି ବ୍ୟବସ୍ଥା କରାଯାଇପାରିବ ନାହିଁ। ଏହାକୁ ନେଇ ଏସ୍ଓ‌ପି ଜାରି ହେବ। ପୁଲିସ ପ୍ରଶାସନ ପୂର୍ବରୁ ଏ ନେଇ ଘର, ଲଜ୍‌ ଓ ହୋ‌ଟେଲ ମାଲିକଙ୍କୁ ସୂଚିତ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍ନାନଯାତ୍ରା ସୀମିତ ‌ସେବକଙ୍କୁ ନେଇ କରାଯିବାକୁ ଯୋଜନା ହୋଇଛି। ତେବେ ସମସ୍ତ ସେବକଙ୍କୁ ଅନୁମତି ଦେବାକୁ ସେବକଙ୍କ ପକ୍ଷରୁ ଦାବି ହୋଇଛି। ସ୍ନାନଯାତ୍ରାରେ ତ୍ରିସ୍ତରୀୟ ସୁରକ୍ଷ‌ା ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର