ମହାପ୍ରଭୁଙ୍କ ସ୍ନାନଯାତ୍ରା ଆଜି

ରାତି ଗୋଟାଏରୁ ପହଣ୍ଡି, ପୂର୍ବାହ୍ଣ ୧୧ରୁ ହାତୀବେଶ

ପୁରୀ : ଆସନ୍ତାକାଲି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଶ୍ୱବାସୀଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଏହି ଉପଲକ୍ଷେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟି ଲାଗି ସହ ଅନ୍ୟାନ୍ୟ ନୀତି ଶେଷ ହୋଇଛି। ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ସଜେଇ ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନା କୂଅର ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଆଜି ଦୟଣା ମାଳି ସେବକଙ୍କ ଦ୍ବାରା ଏହାର ଶୋଧ କାର୍ଯ୍ୟ ଶେଷ ହୋଇଛି। କରୋନା କଟକଣା ଭିତରେ ସ୍ନାନଯାତ୍ରା ସେବା କାର୍ଯ୍ୟ ପାଇଁ ସେବକଙ୍କୁ ନିର୍ଦ୍ଦେଶ ରହିଛି। ସେପଟେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ଅନୁଯାୟୀ, ରାତି ‌ଗୋଟାଏରୁ ଭୋର ୪ଟା ମଧ୍ୟରେ ପହଣ୍ଡି ଆରମ୍ଭ ହେବ।

ଦିନ ୧୧ଟା ରୁ ହାତୀବେଶ ଆରମ୍ଭ ହେବ ଓ ୧୨ଟା ଭିତରେ ବେଶ ଶେଷ ହୋଇ ମହାପ୍ରଭୁ ହାତୀ ବେଶରେ ଦର୍ଶନ ଦେବେ।

କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ଭକ୍ତ ଦର୍ଶନ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। କଟକଣା ଭିତରେ ନୀତିକାନ୍ତି ସହ ସିଧାପ୍ରସାରଣ ଜରିଆରେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ଦୃଶ୍ୟ ଭକ୍ତଙ୍କ ଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ସେପଟେ ଆଇନଶୃଙ୍ଖଳା ପାଇଁ ୩୮ ପ୍ଲାଟୁନ ଫୋର୍ସ ସହ ୨୨୮ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳିକନ୍ଦିକୁ ସିଲ୍‌ କରି ଦିଆଯାଇଛି। ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଛି।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ନୀତି ଅନୁଯାୟୀ, ୪ ତାରିଖ ରାତି ଗୋଟାଏରେ ମଙ୍ଗଳାର୍ପଣ, ରାତି ୧ଟା ରୁ ୪ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ହୋଇ ପହଣ୍ଡି ଆରମ୍ଭ ହେବ। ଭୋର ସାଢ଼େ ୪ଟା ରୁ ୫ଟା ଭିତରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ସାଢ଼େ ୫ଟାରେ ଅଧରପୋଛା, ୬ଟାରେ ଅବକାଶ, ସାଢ଼େ ୬ଟାରେ ରୋଷହୋମ, ୬ଟା ୪୫ ରେ ସୂର୍ଯ୍ୟପୂଜା, ୭ଟା ରେ ବେଶଶେଷ ଓ ଦ୍ବାରପାଳ ପୂଜା, ସାଢ଼େ ୭ଟା ରୁ ସାଢ଼େ ୯ଟା ମଧ୍ୟରେ ଜଳବିଜେ, ପୂଜା, ସ୍ନାନ, ପୂର୍ବାହ୍ଣ ୧୦ଟା ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ।

ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରାପହଁରା ନୀତି ପରେ ପୂର୍ବାହ୍ଣ ୧୧ଟା ରୁ ୧୨ଟା ଭିତରେ ହାତୀବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟା ରେ ମହନ୍ତ ଶାଢ଼ୀବନ୍ଧା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ଗୋଟାଏରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା, ସକାଳଧୂପ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୪ଟା ରେ ହାତୀବେଶ ମଇଲମ, ସାଢ଼େ ୪ଟା ରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୫ଟା ରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ନୀତି ଅନୁଷ୍ଠିତ ହେବ। ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ, ରାତି ୯ଟା ରୁ ୧୨ଟା ଭିତରେ ତାଟିବନ୍ଧା, ରାତି ସାଢ଼େ ୧୨ଟା ରେ ଦଶାବତାର ବିଜେ ନୀତି ଅନୁଷ୍ଠିତ ହେବ।

ରାତି ଗୋଟାଏରେ ମହାସ୍ନାନ ହେବ। ରାତି ସାଢ଼େ ଗୋଟାଏରେ ମଇଲମ, ବେଶ, ୨ଟା ରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ସାଢ଼େ ୩ଟା ରେ ଦକ୍ଷିଣୀଘର ଭୋଗ, ଜୟ-ବିଜୟ ଦ୍ବାର ବନ୍ଦ, ବେହେରଣ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ଭୋର ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ, ୫ଟାରେ ବେହେରଣ ଦ୍ବାର ବନ୍ଦ ଓ ଜୟ-ବିଜୟ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର