ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

୬ ନିଯୋଗ ସହ ମୁଖ୍ୟ ପ୍ରଶାସକଙ୍କ ବୈଠକ
ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
ଶୃଙ୍ଖଳିତ ନୀତିକାନ୍ତି ପାଇଁ ନିଷ୍ପତ୍ତି

ପୁରୀ : ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। କୋଭିଡ୍ କଟକଣା ଯୋଗୁ ଦୁଇବର୍ଷ ହେବ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାରୁ ବଞ୍ଚିତ ଥିବା ଭକ୍ତଙ୍କୁ ଏଥର ଏହି ଦିବ୍ୟଲୀଳା ଦର୍ଶନ କରିବାର ସୁଯୋଗ ମିଳିବ। ଏଥିସହ ସ୍ନାନମଣ୍ଡପ ନିକଟକୁ ଯାଇ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରିପାରିବେ। ଭକ୍ତମାନଙ୍କୁ ଏହି ସୁ‌ଯୋଗ ଦୁଇଘଣ୍ଟା ମିଳିବ। ତେବେ ସ୍ନାନବେଦିରେ ଚତୁର୍ଦ୍ଧା ବିଗ୍ରହଙ୍କୁ କେହି ସ୍ପର୍ଶ କରିପାରିବେ ନାହିଁ। ଦୁଇବର୍ଷ ବିନା ଭକ୍ତରେ ସ୍ନାନ ଯାତ୍ରା ହେଉଥିବା ବେଳେ ଏଥର ଭକ୍ତଙ୍କୁ ସୁଯୋଗ ମିଳୁଥିବାରୁ ଭକ୍ତଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ତେଣୁ ବିପୁଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ ଗୁରୁତ୍ବାରୋପ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଆଜି ୬ଟି ନିଯୋଗର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି।

ଆସନ୍ତା ଜୁନ୍‌ ୧୪ ତାରିଖରେ ହେବାକୁ ଯାଉଥିବା ସ୍ନାନପୂର୍ଣ୍ଣିମା ଶୃଙ୍ଖଳାରେ ସମାପନ କରିବା ପାଇଁ ଶ୍ରୀ ଯାଦବ ଦଇତାପତି, ପୁଷ୍ପାଳକ, ପ୍ରତିହାରୀ, ପୂଜାପଣ୍ଡା, ସୁଆର ମହାସୁଆର ଓ ଖୁଣ୍ଟିଆ ନିଯୋଗ ସହ ଆଜି ପୃଥକ ଭାବେ ଆଲୋଚନା କରିଥିଲେ। ଆସନ୍ତା ୨୩ ତାରିଖରେ ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହେବାପୂର୍ବରୁ ଆଜି ଏହି ବୈଠକ କରାଯାଇଥିଲା। ଦୁଇବର୍ଷ ହେଲା ଭକ୍ତମାନେ ମହାପ୍ରଭୁଙ୍କ ସ୍ନାନଲୀଳା ଦେଖିବାରୁ ବଞ୍ଚିତ ଥିବାରୁ ଏଥର ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି। ତେଣୁ ଠିକ୍‌ ସମୟରେ ନୀତିକାନ୍ତି ସମାପନକୁ ଗୁରୁତ୍ବ ଦିଆଯାଇଛି। ସ୍ନାନପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି, ମହାପ୍ରଭୁଙ୍କ ପହଣ୍ଡି, ଜଳ ବିଜେ, ଜଳଲାଗି ଓ ହାତୀବେଶ କିଭଳି ଶୃଙ୍ଖଳିତ ଭାବେ କରାଯିବ, ସେନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା।

ମହାପ୍ରଭୁ ସ୍ନାନବେଦିରେ ସ୍ନାନ କରୁଥିବାବେଳେ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତ ଏହି ଦିବ୍ୟଲୀଳା ଦର୍ଶନ କରିଥା’ନ୍ତି। ମାତ୍ର କରୋନା କଟକଣା ଯୋଗୁ ଗତ ଦୁଇବର୍ଷ ଧରି ଏହା ବିନା ଭକ୍ତରେ ହୋଇଥିଲା। ତେବେ ଚଳିତବର୍ଷ ଯେପରି ଦର୍ଶନ ବେଳେ କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ବିଶେଷକରି ସେବାୟତମାନେ ଯେପରି ଚତୁର୍ଦ୍ଧା ବିଗ୍ରହଙ୍କ ସମ୍ମୁଖରେ ଛିଡ଼ା ହେବେନାହିଁ, ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ଏହାବ୍ୟତୀତ ଶ୍ରୀମନ୍ଦିର ମଧ୍ୟରେ ମହାପ୍ରଭୁ ସ୍ନାନବେଦିକୁ ପହଣ୍ଡି ହୋଇ ଆସୁଥିବାବେଳେ ଏହା ଦର୍ଶନ କରିବା ଲାଗି ୨୦୧୯ ମସିହା ଭଳି ପାରିମାଣିକ ଟିକେଟ୍‌ କାଟି ଭକ୍ତମାନେ ଦେଖିପାରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର କହିଛନ୍ତି। ସେହିପରି ହାତୀବେଶ ଦର୍ଶନ ପାଇଁ କେଉଁବାଟ ଦେଇ ଭକ୍ତମାନେ ସ୍ନାନମଣ୍ଡପ ନିକଟକୁ ଯିବେ ଏବଂ କେଉଁବାଟେ ଫେରିବେ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ପୂଜାପଣ୍ଡାଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର