ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୋର୍‌ ୪ରୁ ପହଣ୍ଡି, ୧୨ଟା ୪୫ରୁ ଗଜବେଶ, ସନ୍ଧ୍ୟା ୬ରୁ ସାହାଣ ମେଲା ଦର୍ଶନ

ପୁରୀ : ରବିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ସ୍ନାନଯାତ୍ରା। ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦିରୁ ଦର୍ଶନ ଦେବେ। ବଡ଼ଦାଣ୍ଡରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ସ୍ନାନଯାତ୍ରା ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତଙ୍କ ବାଲୁକା କଳା

ନୀତିକାନ୍ତି ଅନୁଯାୟୀ, ରାତି ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ସହ ଭୋର୍‌ ୪ଟାରୁ ଶ୍ରୀଜିଉଙ୍କ ପହଣ୍ଡି(ଧାଡ଼ି ପହଣ୍ଡି) ଆରମ୍ଭ ହେବ। ସକାଳ ୬ଟା ସୁଦ୍ଧା ପହଣ୍ଡି ଶେଷପରେ ସ୍ନାନ ନୀତି ଆରମ୍ଭ ହେବ। ପହଣ୍ଡି ଶେଷପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟା ୧୫ରେ ଛେରାପହଁରା ପରେ ୧୨ଟା ୪୫ରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ଗଜବେଶ ହେବେ। ଗଜବେଶ ଶେଷପରେ ଅପରାହ୍ନ ୩ଟା ୧୫ରେ ମହନ୍ତ ଶାଢ଼ୀବନ୍ଧା, ସାଢ଼େ ୩ଟାରୁ ୫ଟା ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ପରେ ସନ୍ଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଗଜବେଶ ଓଲାଗି ପରେ ରାତି ୧୦ଟାରୁ ୧ଟା ଭିତରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ଶେଷ ହେବ। ରାତି ସାଢ଼େ ଗୋଟାଏରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।

ସ୍ନାନଯାତ୍ରା ଶୃଙ୍ଖଳା ଦାୟିତ୍ବରେ ୬୦ ପ୍ଲାଟୁନ୍‌ ଫୋର୍ସ ସାଙ୍ଗକୁ ୩ଶହ ଅଧିକାରୀ, ୫୫୦ ହୋମ୍‌ଗାର୍ଡ ଓ କନେଷ୍ଟବଳ, ଶହେ ସୁପରଭାଇଜିଂ ଅଫିସର, ୩ଜଣ କମାଣ୍ଡାଣ୍ଟ୍‌ଙ୍କୁ ନିୟୋଜିତ କରାଯାଇଛି। ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ତିନି ଥାକିଆ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଯାଉଥିବା ଭକ୍ତଙ୍କ ପାଇଁ ଭିନ୍ନ ବାରିକେଡ୍‌ କରାଯାଇଥିବା ବେଳେ ଶ୍ରୀମନ୍ଦିର ବାହାରୁ ଦର୍ଶନ କରୁଥିବା ଭକ୍ତଙ୍କ ପାଇଁ ଭିନ୍ନ ବାରିକେଡ୍‌ କରାଯାଇଛି। ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ବାହାର ଭକ୍ତଙ୍କ ଦର୍ଶନ ପାଇଁ ସେଡ୍‌ ବ୍ୟବସ୍ଥା କରଯାଇଛି।

ସମ୍ବନ୍ଧିତ ଖବର