ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୋର ୪ରୁ ପହଣ୍ଡି, ୧୨ଟା ୪୫ରୁ ଗଜବେଶ, ସଂଧ୍ୟା ୬ରୁ ସାହାଣ ମେଲା ଦର୍ଶନ

ପୁରୀ : ମଙ୍ଗଳବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ସ୍ନାନଯାତ୍ରା। ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦିରୁ ଦର୍ଶନ ଦେବେ। ଦୁଇବର୍ଷ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର ୪ଟାରୁ ଶ୍ରୀଜିଉଙ୍କ ପହଣ୍ଡି(ଧାଡ଼ି ପହଣ୍ଡି) ଆରମ୍ଭ ହେବ। ସକାଳ ୬ଟା ସୁଦ୍ଧା ପହଣ୍ଡି ଶେଷପରେ ସ୍ନାନ ନୀତି ଆରମ୍ଭ ହେବ। ଛେରା ପହଁରା ପରେ ୧୨ଟା ୪୫ରୁ ଗଜ ବେଶ ଆରମ୍ଭ ହେବ। ଏହିସମୟରେ ଭକ୍ତମାନେ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ୍‌ ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପରେ ସଂଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ରାତି ସାଢ଼େ ୯ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୦ଟାରେ ବାହୁଡ଼ା ପହଣ୍ଡି (ଗୋଟି ପହଣ୍ଡି) ଆରମ୍ଭ ହେବ। ଏଥିପାଇଁ ସ୍ନାନବେଦିକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

ସ୍ନାନବେଦି ଉପରେ ଚାନ୍ଦୁ୍ଆ ଲଗାଯାଇଛି। ପହଣ୍ଡି ପୂର୍ବରୁ ଦଇତାପତି ନିଯୋଗ ଓ କୋଠ ସୁଆଁସିଆଙ୍କ ଜରିଆରେ ବାହୁଟ କଣ୍ଟ, ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ଶେଷ ହୋଇଛି। ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ଶେଷ ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨ଟା ୧୫ରେ ଛେରା ପହଁରା ପରେ ୧୨ଟା ୪୫ରୁ ସାଢ଼େ ୨ଟା ଭିତରେ ଶ୍ରୀଜିଉ ଗଜବେଶ ହେବେ। ଗଜ ବେଶ ଶେଷ ପରେ ଅପରାହ୍ନ ୩ଟା ୧୫ରେ ମହନ୍ତ ଶାଢ଼ୀବନ୍ଧା, ସାଢ଼େ ୩ଟାରୁ ୫ଟା ଘଣ୍ଟଛତା ସକାଳଧୂପ ଅନୁଷ୍ଠିତ ହେବ। ପରେ ସଂଧ୍ୟା ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଗଜ ବେଶ ଓଲାଗି ପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ହୋଇ ରାତି ସାଢ଼େ ଗୋଟାଏରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର