ମହାପ୍ରଭୁଙ୍କ ସ୍ନାନ ବେଦୀରେ ଟଣା ହେବ ପରଦା!

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର, ବୈଠକରେ ଦଇତା ସେବକଙ୍କ ବିରୋଧ

ପୁରୀ : ଚଳିତ ବର୍ଷ କରୋନା କଟକଣା ପାଇଁ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସଙ୍କଟ ଦେଖାଦେଇଛି। ରଥଯାତ୍ରା ‌ହେବ ହେବ କି ନାହିଁ ଏଭଳି ଆଶଙ୍କା ରହିଛି। ତେବେ କେନ୍ଦ୍ର ସରକାର ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିବାରୁ ଏହାକୁ ନେଇ ରାଜ୍ୟ ସରକାର ଅକଳରେ ପଡ଼ିଯାଇଛନ୍ତି। ରଥଯାତ୍ରା କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି କହି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଧର୍ମ ସଙ୍କଟରେ ପକାଇଛନ୍ତି। ରଥ ନ କଲେ ଭକ୍ତଦ୍ରୋହୀ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏବେ ଏହାକୁ ନେଇ ଚିନ୍ତାରେ ଅଛନ୍ତି।

ତେବେ ରଥଯାତ୍ରା ପୂର୍ବରୁ ଥିବା ବିଧିକୁ କିଭଳି ପାଳନ କରାଯିବ ସେ ନେଇ ବିଚାରବିମର୍ଷ ଆରମ୍ଭ ହୋଇଛି। ଆସନ୍ତା ଜୁନ ୫ ତାରିଖରେ ପଡ଼ୁଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଅଣସର ମହାପ୍ରଭୁଙ୍କ ପାଇଁ ଅପରିହାର୍ଯ୍ୟ ଥିବାରୁ ଏଥିରେ କୌଣସି ବ୍ୟତିକ୍ରମ ହୋଇପାରିବ ନାହିଁ। ତେବେ ସ୍ନାନବେଦୀରେ ସାମାଜିକ ଦୂରତା ରକ୍ଷା କରି କି ଭଳି ସ୍ନାନଯାତ୍ରା ହେବ, ଗହଳିକୁ କିଭଳି ଏଡ଼ାଯାଇ ପାରିବ ଏଥି ପାଇଁ ଯୋଜନା ଆରମ୍ଭ ହୋଇଛି। ଏଥର ସ୍ନାନ ଯାତ୍ରାରୁ ଭକ୍ତମାନଙ୍କୁ ବଂଚିତ ରଖିବା ପାଇଁ ଯୋଜନା ହୋଇଛି। କରୋନା ଯୋଗୁଁ ପ୍ରଥମ ଥର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ହେବ, ଅର୍ଥାତ ସ୍ନାନବେଦୀ‌ରେ ଏକ ପରଦା ଟାଣିବାକୁ ବ୍ୟବସ୍ଥା ହେଉଥିବା ଆଲୋଚନା ହୋଇଛି। ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବା ହାତୀ ବେଶ ଦେଖିବା ପାଇଁ ବଡ଼ଦାଣ୍ଡ‌ରେ ରୁଣ୍ଡ ହୋଇଥାନ୍ତି। ମାତ୍ର ଏଥର ଭକ୍ତଗଣ ଦର୍ଶନରୁ ବଞ୍ଚିତ ହେବେ।

ମେଘନାଦ ପ୍ରାଚୀରକୁ ଲାଗି ଏହି ପରଦା ଟଣା ହେବ। ପରଦା ପଛ ପଟେ ସେବା ଓ ରୀତିନୀତି ହେବ। ଏହା ଦ୍ବାରା ସ୍ନାନଯାତ୍ରାକୁ ଭକ୍ତ ଦେଖିପାରିବେ ନାହିଁ। କୌଣସି ବାହାର ଫଟୋ ବା ଭିଡିଓ ଗଣମାଧ୍ୟମ ନେଇପାରିବେ ନାହିଁ। କେବଳ ସ୍ବୀକୃତି ପାଇଥିବା ଚ୍ୟାନେଲ ( ସମ୍ଭବତଃ ମେଘନାଦ ପ୍ରାଚୀର ଆରପଟେ ଏହାର ସିଧା ପ୍ରସାରଣ) ପାଇଁ ଯୋଜନା ହେବ। ପହଣ୍ଡି ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦିଆଯିବ। ତେବେ ପ୍ରଶାସନର ଏ ପ୍ରକାର ନିଷ୍ପତ୍ତିକୁ କିଛି ବରିଷ୍ଠ ଦଇତା ସେବକ ବିରୋଧ କରିଛନ୍ତି। ଗତକାଲି ଦଇତାଙ୍କ ସହିତ ପ୍ରଶାସନର ହୋଇଥିବା ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା। ଜଣେ ବରିଷ୍ଠ ଦଇତାପତି ଏହାକୁ ବିରୋଧ କରିଥିଲେ। ଭକ୍ତର ଭଗବାନଙ୍କୁ ଭକ୍ତଙ୍କ ଠାରୁ ଅଲଗା କରାନଯାଉ। ଏହା ପରମ୍ପରାର ବ୍ୟତିକ୍ରମ ହେବ ବୋଲି ସେ କହିଥିଲେ। ଜଣେ ପରିଚାଳନା କମିଟି ସଦସ୍ୟଙ୍କ ଏଭଳି ପ୍ରସ୍ତାବକୁ ବରିଷ୍ଠ ଦଇତାପତି ସେବକ ଜଣକ ବିରୋଧ କରିଥିଲେ।

ଅନ୍ୟ ପକ୍ଷରେ ମହାପ୍ରଭୁଙ୍କ ନିକଟରେ ସାମାଜିକ ଦୂରତା ରକ୍ଷା ସମ୍ଭବ ନୁହେଁ ବୋଲି ଦଇତା ସେବକ ଜଣଙ୍କ କହିଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ବେଳେ କି ଭଳି ସାମାଜିକ ଦୂରତା ରହିବ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ବିଶ୍ବନିୟନ୍ତାଙ୍କ ପାଖରେ କୌଣସି ଭୟ ନାହିଁ। କରୋନା ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ପରଦା ଟାଣି ଅବରୋଧ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ପ୍ରଶାସନର ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକ ଆଲୋଚନା ବେଳେ ଏହାକୁ ବିରୋଧ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର