ଶ୍ରୀଜିଉଙ୍କ ଆଗରେ ଠିଆହେବା ମନା: ସୀମିତ ରହିବ ସେବକ ସଂଖ୍ୟା, ପହଣ୍ଡି ବେଳେ ନୃତ୍ୟ ମନା

ଶ୍ରୀଅଙ୍ଗରେ ଭରାଦେଲେ କାର୍ଯ୍ୟାନୁଷ୍ଠାନ

ପୁରୀ: ସ୍ନାନଯାତ୍ରା ପାଇଁ ଲାଗୁ ହୋଇଛି ବ୍ୟବସ୍ଥାବଳୀ। କେଉଁ ବ୍ୟବସ୍ଥା ଅନୁପାଳନ ପୂର୍ବକ ନୀତି ସମ୍ପୃକ୍ତ ସେବକମାନେ ନୀତିକାନ୍ତି କରିବେ, ତାର ବିସ୍ତୃତ ତାଲିକା ପ୍ରସ୍ତୁତ ହୋଇଛି। ଭକ୍ତମାନଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ଶ୍ରୀଜିଉଙ୍କ ଆଗରେ ସେବକମାନେ ଛିଡ଼ାହେବା ବାରଣ କରାଯାଇଛି। ଅଧିକ ଭିଡ଼ ନ କରି ଆବଶ୍ୟକ ସୀମିତ ସଂଖ୍ୟକ ସେବକରେ ନୀତି କରିବାକୁ କୁହାଯାଇଛି।

ସୂଚନା ଅନୁସାରେ, ଦେବସ୍ନାନ ପୂର୍ଣ୍ଣିମାରେ ମଙ୍ଗଳାର୍ପଣ ସମୟରେ ନୀତି ସମ୍ପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଅଧିକାରୀମାନେ ଭିତର କାଠ ପାଖରେ ଉପସ୍ଥିତ ରହିବେ। ଶ୍ରୀଜିଉ ମନ୍ଦିର ବାହାରକୁ ବିଜେ ବେଳେ ଧାଡ଼ି ପହଣ୍ଡିରେ ଆସିବେ, ଏହିସମୟରେ କର୍ଡନ ଭିତରେ ଆବଶ୍ୟକ ସଂଖ୍ୟକ ଦଇତାପତି ରହିବେ। ପହଣ୍ଡି ବେଳେ ନୃତ୍ୟ ପ୍ରଦର୍ଶନରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଘଣ୍ଟୁ୍ଆ, ଓଲାର, ଛତାର, ଚାମର ନିଯୋଗ ସଭାପତି, ସଂପାଦକ, କର୍ତ୍ତବ୍ୟରତ ଅଧିକାରୀ ଓ କର୍ମଚାରୀ କର୍ଡନ ବାହାରେ ରହିବେ। କର୍ଡନ ଅନୁପ୍ରବେଶକାରୀଙ୍କୁ ପୁଲିସ ଓ ପ୍ରତିହାରୀ ସେବକ ଚିହ୍ନଟ କରିବେ। ସେହିପରି, ଭକ୍ତ ଯେଭଳି ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି, ସେଥିପ୍ରତି ଦଇତାପତି, ପ୍ରତିହାରୀ ସେବକଙ୍କ ସହ ପୁଲିସ ଦୃଷ୍ଟି ଦେବେ। ଭକ୍ତଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ସ୍ନାନମଣ୍ଡପ ପ୍ରବେଶ ପଥ ପାହାଚର ଡାହାଣ ପାର୍ଶ୍ବରେ ପିଣ୍ଡି ଉପରେ କୌଣସି ବ୍ୟକ୍ତି ଛିଡ଼ା ହୋଇପାରିବେନାହିଁ। ପହଣ୍ଡି ସମୟରେ କେବଳ ସୀମିତ ସଂଖ୍ୟକ ଘଣ୍ଟୁଆ ସ୍ନାନମଣ୍ଡପକୁ ଯିବେ, ବାକି ତଳେ ରହିବେ।

ପରିଚାଳନା କମିଟି ସଦସ୍ୟ ଏହାକୁ ତଦାରଖ କରିବେ। ରୁନ୍ଧା ବଢ଼ିବା ପରେ ଠାକୁରଙ୍କ ସମ୍ମୁଖ ଭାଗରେ ବି ସେବକମାନେ ରହି ପାରିବେନାହିଁ। ଶ୍ରୀବିଗ୍ରହଙ୍କ ଶ୍ରୀଭୁଜ ଭିତରେ କିମ୍ବା କୌଣସି ଅଙ୍ଗରେ ଭରା ଦେଇ ଛିଡ଼ା ହୋଇପାରିବେନାହିଁ। ଭୁଜ ବାହାରେ ଦୁଇପାର୍ଶ୍ବରେ ଦଇତାପତି ସେବକମାନେ ରହିବେ। ଅନ୍ୟପକ୍ଷରେ, ଶଙ୍କରାଚାର୍ଯ୍ୟ ୬ଜଣ ଶିଷ୍ୟଙ୍କୁ ନେଇ ସ୍ନାନବେଦିରେ ଶ୍ରୀଜିଉଙ୍କ ଦର୍ଶନ କରିବେ। କମାଣ୍ଡର ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଫେରିବା ପରେ ଗଜପତିଙ୍କ ଛେରାପହଁରା ଆରମ୍ଭ ହେବ।

୧୦ହଜାର ପହଣ୍ଡି ଟିକେଟ୍‌
ସ୍ନାନଯାତ୍ରା ପହଣ୍ଡି ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ହଜାର ପହଣ୍ଡି ଟିକେଟ୍‌ ବ୍ୟବସ୍ଥା କରାଯାଇଛି। ଟିକେଟ୍‌ ପିଛା ୧୫୦ ଟଙ୍କା ଦର ଧାର୍ଯ୍ୟ ହୋଇଛି। ସର୍ବସାଧାରଣଙ୍କ ପାଇଁ ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ଆଜି ଟିକେଟ୍‌ ବିକ୍ରୟ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର