ବ୍ୟବସ୍ଥାବଳୀକୁ ମାନିଲେନି ସେବାୟତ : ବୁଲିଲା ମାଳ ମାଳ ପିତଳ ଗରା, ଦାନଦକ୍ଷିଣା ବି ନେଲେ, ଭକ୍ତଙ୍କଠୁ ତୁଳସୀ ମାଳ ନେଲେ, ତୁଳସୀ ମାଳ ବି ବାଣ୍ଟିଲେ

ପୁରୀ : ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସଂପୃକ୍ତ ସେବାୟତମାନେ ଚତୁର୍ଦ୍ଧାମୂର୍ତିଙ୍କ ସମ୍ମୁଖରେ ଛିଡ଼ା ହେବେନି। ରୁପା ପିଙ୍ଗଣ ବିନା ଅନ୍ୟ କୌଣସିଥିରେ ମହାପ୍ରଭୁଙ୍କ ସ୍ନାନ କରାଇବେନି। ସ୍ନାନମଣ୍ଡପରୁ ଭକ୍ତଙ୍କଠାରୁ ତୁଳସୀ ମାଳ ନେବେନି କି ଭକ୍ତଙ୍କୁ ତୁଳସୀ ବାଣ୍ଟି ପାରିବେନି। ଦାନଦକ୍ଷିଣା ବି ନେଇ ପାରିବେନି। ଯଦି ଏଥିରେ କେହି ଖିଲାପ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର ପରିଚାଳନା କମିଟିରେ ଏପରି କିଛି ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଆଜି ଏହି ବ୍ୟବସ୍ଥାବଳୀକୁ କେହି ମାନିନାହାନ୍ତି। ସ୍ନାନବେଦି ପାର୍ଶ୍ୱ ଓ ସମ୍ମୁଖରେ ସିସି କ୍ୟାମେରା ଲାଗିବା ସାଙ୍ଗକୁ ସ୍ୱତନ୍ତ୍ର ଭିଡିଓ କ୍ୟାମେରାରେ ସମସ୍ତ ଦୃଶ୍ୟ ରେକର୍ଡ଼ିଂ ହୋଇଥିଲେ ବି ବ୍ୟବସ୍ଥାବଳୀକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀ ଅନୁଯାୟୀ, ପହଣ୍ଡି ବିଜେଠାରୁ ସାହାଣମେଲା ପର୍ଯ୍ୟନ୍ତ ସ୍ନାନମଣ୍ଡପ ତଳ ସମ୍ମୁଖ ଭାଗରେ ଥିବା ସ୍ଥାୟୀ ର‍୍ୟାମ୍ପରେ ଭକ୍ତମାନେ ନିରବଚ୍ଛିନ୍ନ ଭାବେ ଦକ୍ଷିଣପଟୁ ପ୍ରବେଶ କରି ଉତ୍ତର ଦ୍ଵାର ପଟେ ପ୍ରସ୍ଥାନ କରିବେ। ଭକ୍ତମାନେ ଦର୍ଶନ ସମୟରେ ପଇସା, ଫୁଲ ଆଦି ସ୍ନାନମଣ୍ଡପକୁ ଫିଙ୍ଗି ପାରିବେନି। ସେବକମାନେ ସ୍ନାନମଣ୍ଡପ ବାଡ଼ ପାର୍ଶ୍ୱରେ ଠିଆ ହୋଇ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରିବେନି କି ତୁଳସୀ ଆଦି ବାଣ୍ଟିବେନି। ଯେଉଁ ସେବକମାନେ ଏଥିରେ ବ୍ୟତିକ୍ରମ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ନାନମଣ୍ଡପ ମଧ୍ୟଭାଗରେ ଅବା ଶ୍ରୀଜିଉଙ୍କ ସମ୍ମୁଖରେ କେହି ଠିଆ ହୋଇ ଦର୍ଶନ ଅବରୋଧ କରିବେନି। ପ୍ରତିହାରୀ ଓ ଦଇତାପତି ନିଯୋଗ ଏହାକୁ ସୁନିଶ୍ଚିତ କରିବେ। ସାହାଣମେଲାର ଶେଷ ଅଧଘଣ୍ଟା ସେବକଙ୍କ ପରିବାରଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ସାହାଣମେଲା ଦର୍ଶନ ସମୟରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକମାନେ ସ୍ନାନ ମଣ୍ଡପରେ ରହିବେ। ସ୍ନାନବେଦିର ପ୍ରଭା ପଛପଟେ ରହି ବେଶ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ସାହାଣମେଲା ସମେତ ଅନ୍ୟ ସମୟରେ କୌଣସି ଦର୍ଶନାର୍ଥୀ ସ୍ନାନମଣ୍ଡପ ଉପରକୁ ଯାଇପାରିବେନି କି ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି। ଜଳଲାଗି ଆରମ୍ଭ ହେଲେ ପ୍ରତି ବାଡ଼ ପାଇଁ ପର୍ଯ୍ୟାୟ କ୍ରମେ ୪ ଜଣ ଲେଖା ଗରାବଡ଼ୁ ସେବକ ଜଳଗଡ଼ୁ ନେଇ ମେକାପ ଧରିଥିବା ରୁପା ପିଙ୍ଗଣରେ ଢ଼ାଳିବା ପରେ ସ୍ନାନମଣ୍ଡପରୁ ଓହ୍ଲାଇ ଆସିବେ। ମେକାପ ସେବକ ସେହି ପିଙ୍ଗଣକୁ ପୂଜାପଣ୍ଡାଙ୍କୁ ହାତକୁ ବଢ଼ାଇବେ ଓ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କୁ ସ୍ନାନ କରାଇବେ। ଦାନଦକ୍ଷିଣା ଉପରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଏହାକୁ ଭକ୍ତଙ୍କଠାରୁ ଗ୍ରହଣ ପାଇଁ ବି ବାରଣ କରାଯାଇଛି।

କିନ୍ତୁ ଆଜି ଶ୍ରୀମନ୍ଦିରର ଏହି ବ୍ୟବସ୍ଥାବଳୀକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କୁ ଜଳସ୍ନାନ ରୁପା ପିଙ୍ଗଣରେ ହେବାର ନିୟମ ରହିଥିଲେ ବି କେତେକ ସେବକ ଏହାରି ଭିତରେ ପିତଳ ପିଙ୍ଗଣରେ ମହାପ୍ରଭୁଙ୍କୁ ସ୍ନାନ କରୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଆଜି ସ୍ନାନମଣ୍ଡପରେ ମାଟି କଳସ ବ୍ୟତୀତ ମାଳମାଳ ପିତଳ ଗରା ବି ଦେଖିବାକୁ ମିଳିଥିଲା। ସେହିପରି ଦାନଦକ୍ଷିଣା ଉପରେ କଟକଣା ଜାରି କରାଯାଇଥିଲେ ବି ଆଜି ସେବାୟତମାନେ ଦାନଦକ୍ଷିଣା ନେଉଥିବାର ଦେଖିବାକୁ ମିଳିଥିଲା। ତୁଳସୀ ମାଳ ନେବା ଓ ବାଣ୍ଟିବା ଉପରେ କଟକଣା ଜାରି କରାଯାଇଥିଲେ ବି ବହୁ ସେବାୟତ ସ୍ନାନମଣ୍ଡପ ବାଡ଼ରେ ଛିଡ଼ା ହୋଇ ତୁଳସୀ ମାଳ ନେବା ଓ ତୁଳସୀ ଆଦି ବାଣ୍ଟିବାର ଦେଖିବାକୁ ମିଳିଥିଲା। ସ୍ନାନ ଜଳକୁ ବି ବୋତଲ ଓ ଜରିରେ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ନଡ଼ିଆ, ଭୋଗ ଆଦି ନେଇ ସ୍ନାନମଣ୍ଡପରେ ବାଡ଼େଇବା ଓ ପୂଜା କରିବାର ଦେଖିବାକୁ ମିଳିଥିଲା। ଆଉ ଏ ବାବଦକୁ ଭକ୍ତମାନଙ୍କଠାରୁ ସେବାୟତମାନେ ଦାନଦକ୍ଷିଣା ନେବାକୁ ଭୁଲିନଥିଲେ। ସିସିଟିଭି କ୍ୟାମେରା ସମ୍ମୁଖରେ ଏସବୁ ଘଟଣା ଘଟି ଯାଇଥିଲେ ବି କେହି ଏଥି ପ୍ରତି ମୁହଁ ନଖୋଲିବା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି। ସିସିଟିଭି କ୍ୟାମେରା ରେକର୍ଡିଂ ଓ ଭିଡିଓ ରେକର୍ଡ଼ିଂର କପି ସୁପ୍ରିମ୍‌କୋର୍ଟଙ୍କୁ ଦିଆଯିବାକୁ ସ୍ଥିର ହୋଇଥିବାବେଳେ ଆଜିର ଏହି ବିଶୃଙ୍ଖଳା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଭକ୍ତଙ୍କ ମହଲରେ ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର