ମହଙ୍ଗା ପଡ଼ିଲା ସ୍ନାନଯାତ୍ରା ବିଶୃଙ୍ଖଳା : ବିଧାୟକଙ୍କୁ ନେଇଥିଲେ, ନୋଟିସ୍ ପାଇଲେ

ସିସିଟିଭି ଯାଞ୍ଚ ପରେ ପ୍ରକ୍ରିୟା ଆରମ୍ଭ, ରଥଯାତ୍ରା ପୂର୍ବରୁ କାର୍ଯ୍ୟାନୁଷ୍ଠାନ କ୍ଷୀଣ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବିଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବିଶୃଙ୍ଖଳାକାରୀ ସେବାୟତ ଓ ଅନ୍ୟମାନଙ୍କ ବିରୋଧରେ ନୋଟିସ୍ ଜାରି କରିଛି। ଏହାର ଜବାବ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ସବୁଠୁ ବଡ଼ କଥା ହେଲା, ବିଧାୟକଙ୍କୁ ସ୍ନାନମଣ୍ଡପକୁ ନେଇଥିବା ବହୁ ସେବାୟତ ଏହା ଭିତରେ ରହିଛନ୍ତି। ଏଣୁ ବିଧାୟକ ବି ଏହି ତାଲିକାରେ ଥିବା ନେଇ ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ପ୍ରଶାସନ ଏମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଦେଖିବାକୁ ବାକି ରହିଛି।

ପରିଚାଳନା କମିଟିରେ ଅନୁମୋଦନ ପରେ ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଥିଲା। ଯେଉଁଥିରେ ୩୫ଟି ନିର୍ଦ୍ଦିଷ୍ଟ ସର୍ତାବଳୀ ରହିଥିଲା। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା କି ସ୍ନାନଯାତ୍ରା ସମୟରେ ନୀତି ସହ ସଂପୃକ୍ତ ସେବକମାନେ ହିଁ ମଣ୍ଡପକୁ ଯାଇପାରିବେ। କିନ୍ତୁ ଏହାକୁ ଉଲ୍ଲଙ୍ଘନ କରି ଅନେକ ଅଣସ୍ବୀକୃତ ସେବାୟତ ମଣ୍ଡପ ଉପରକୁ ଚଢ଼ିବା ସହ ଠାକୁରଙ୍କୁ ସ୍ପର୍ଶ କରିଥିଲେ। ଏପରିକି ନିଜେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସେବା ନଥାଇ ସ୍ନାନମଣ୍ଡପ ଉପରକୁ ଏକାଧିକ ଥର ଚଢ଼ିଥିଲେ। ତାହା ପୁଣି ପାଇଜାମା ପିନ୍ଧି। ଯାହାକୁ ନେଇ ଏବେ ବି ଚର୍ଚ୍ଚା ଥମିନି। ଅନ୍ୟପଟେ ବିଧାୟକଙ୍କୁ ସ୍ନାନ ମଣ୍ଡପକୁ ନେବା ପଛରେ ବହୁ ସେବାୟତଙ୍କ ହାତ ରହିଥିବାରୁ ସିସିଟିଭି ଆଧାରରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହା ଛଡ଼ା କେତେକ ସେବାୟତ ସ୍ନାନମଣ୍ଡପ ଉପରୁ ସ୍ନାନଜଳ, ତୁଳସୀ ଆଦି ବାଣ୍ଟିବା ସହ ମଣ୍ଡପ ପାର୍ଶ୍ବ କାନ୍ଥରେ ବସି ଭକ୍ତି ଭାବନାକୁ ଆଘାତ ଦେଇଥିଲେ। ଏହାକୁ ବି ଗୁରୁତ୍ବର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ଏହି ବିଶୃଙ୍ଖଳାକାରୀ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରି ତ୍ବରିତ୍‌ ଜବାବ ରଖିବାକୁ ନିର୍ଦେଶ ଦେଇଛି। ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ କାରଣ ଦର୍ଶାଅ ନୋଟିସ୍ କଥାକୁ ସ୍ବୀକାର କରିଥିଲେ ବି ନୋଟିସ୍ ହୋଇଥିବା ସେବାୟତଙ୍କ ନାମ ଗୋପନ ରଖିଛନ୍ତି।

ସମ୍ବନ୍ଧିତ ଖବର