ବିନା ଭକ୍ତ ସମାଗମରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଂପନ୍ନ ହେଲା ଶ୍ରୀଜିଉଙ୍କ ସ୍ନାନଯାତ୍ରା

ଭୁବନେଶ୍ୱର: ଓଡ଼ିଶାର ସାଂପ୍ରତିକ ଆଧ୍ୟାତ୍ମିକ ଇତିହାସରେ ଆଜି ଯୋଡ଼ି ହୋଇଛି ଏକ ନୂତନ ଫର୍ଦ୍ଦ। ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। କରୋନା ଭୂତାଣୁ ସଂକ୍ରମଣକୁ ଆଖିରେ ରଖି ପୁରୀରେ ଭକ୍ତମାନଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି। ଫଳରେ ଆଜି ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଶ୍ରୀମନ୍ଦିର ସ୍ନାନମଣ୍ଡପରେ କେବଳ କତିପୟ ସେବକ ନୀତି ସଂପନ୍ନ କରୁଥିବା ବେଳେ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଜନମାନବ ଶୂନ୍ୟ ଥିଲ।

ଚାରିଆଡେ ଏକପ୍ରକାର ଖାଁ ଖାଁ ପରିବେଶ ଦେଖିବାକୁ ମିଳିଥିଲା। ସ୍ନାନ ଯାତ୍ରା ଜାରିଥିବା ବେଳେ ଶ୍ରୀଜଗନ୍ନାଥଙ୍କର ଏକ ଭିନ୍ନ ଶୈଳୀର ଛବି ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି ସତେ ଅବା ଭକ୍ତକୁ ଗହଣରେ ନପାଇ ଚକାଆଖି ଛଳଛଳ ହୋଇଯାଇଛି। ଯେହେତୁ ସେ ଭକତର ଭାବରେ ବନ୍ଧା ତେଣୁ ନିଜ ଗହଣରେ ଭକ୍ତଙ୍କୁ ନଦେଖି ବ୍ୟତିଥ ହୋଇପଡ଼ିଛନ୍ତି କି? ଶ୍ରୀକ୍ଷେତ୍ର ପୁରୀ ସହିତ ରାଜ୍ୟ ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ବିନା ଭକ୍ତସମାଗମରେ ସ୍ନାନଯାତ୍ରା ସମାହିତ ହୋଇଛି। ସ୍ନାନଯାତ୍ରା ପରେ ଚତୁର୍ଦ୍ଧାମୂର୍ତ୍ତି ହାତୀବେଶରେ ଦର୍ଶନ ଦେଇଛନ୍ତି। ଯଦିଓ ଭକ୍ତ-ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଶ୍ରୀଜିଛଙ୍କ ସମୀପକୁ ଯାଇ ପାରି ନାହାନ୍ତି, ତଥାପି ଟେଲିଭିଜନ୍‌ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି।

ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ବିଶ୍ୱବାସୀଙ୍କୁ ଧଳା ଓ କଳା ହାତୀବେଶରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେଇଛନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିବା ପରେ ହାତୀବେଶରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ଓଡ଼ିଶାବାସୀ ଓ ଦେଶବିଦେଶର ଭକ୍ତ- ଶ୍ରଦ୍ଧାଳୁ ଟେଲିଭିଜନ ପରଦାରେ ମହାପ୍ରଭୁଙ୍କ ଏହି ଦିବ୍ୟଲୀଳା ଦେଖିବାର ସୁଯୋଗ ପାଇଛନ୍ତି।

ଏସବୁ ଭିତରେ ଭାବବିହ୍ଵଳ ମହାପ୍ରଭୁ ସ୍ନାନଯାତ୍ରା ସମୟରେ ଭକ୍ତଙ୍କୁ ନଦେଖି କାନ୍ଦି ପକାଥିବା କୁହାଯାଉଛି। ଭକ୍ତ ବି ଶ୍ରୀଜିଉଙ୍କ ସ୍ନାନ ଯାତ୍ରାକୁ ଟେଲିଭିଜନ ମାଧ୍ୟମରେ ଦେଖି ଭାବବିହ୍ଵଳ ହୋଇଯାଇଥିଲେ। ଖୁବ୍‌ଶୀଘ୍ର ଏହି କରୋନା ମହାମାରୀରୁ ଜଗତକୁ ଉଦ୍ଧାର କରନ୍ତୁ ବୋଲି ଭକ୍ତ ମହାପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ମହାପ୍ରଭୁଙ୍କ ହାତୀ ବେଶ ସମ୍ପନ୍ନ ହୋଇଛି। ଏଠାରେ ବି ୧୪୪ଧାରା ଜାରି କରାଯାଇଥିଲା। କୌଣସି ଭକ୍ତଙ୍କୁ ଆସିବାର ଅନୁମତି ଦିଆ ଯାଇ ନ ଥିଲା।

ଏଥିସହିତ ବାଲେଶ୍ୱରରେ, ରାଉରକେଲା ସେକ୍ଟର ୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିରରେ ବି ସ୍ନାନଯାତ୍ରା ସଂପନ୍ନ ହୋଇଛି। କୋରାପୁଟ ଜୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ସ୍ନାନପଣ୍ଡପରେ ବି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରସ୍ଥିତ ଇସ୍କନ ମନ୍ଦିରଠାରେ ଓ ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ବି ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି।

ସମ୍ବନ୍ଧିତ ଖବର