୧୩ବର୍ଷ ହେବ ଆଡଜେଷ୍ଟମେଣ୍ଟରେ ଚାଳିଛି ଏସଏନସିୟୁ : ଖୋଲିପାରିନି ନବଜାତ ଶିଶୁ ଆଇସିୟୁ

ଜୟପୁର: ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ(ଏସଏନସିୟୁ ) ଆରମ୍ଭର ୧୩ବର୍ଷ ପରେ ବି ଏହାର ଭିତ୍ତିଭୁମି, ଆନୁସଙ୍ଗିକ ବ୍ୟବସ୍ଥା ସଜାଡାଯାଇ ପାରିନି। ଧାଯ୍ୟ ସଂଖ୍ୟକ ଶିଶୁ ବିଶେଷଜ୍ଞ ଡାକ୍ତର, ଷ୍ଟାଫନର୍ସ ପଦବୀ ପୁରଣ ହୋଇ ପାରିନି। ମାତ୍ର ୨ଜଣ ଡାକ୍ତର ୧୧ଜଣ ଷ୍ଟାଫ ନର୍ସଙ୍କୁ ନେଇ ଚାଳିଛି ୟୁନିଟ। ଗତ ଦେଢ଼ ବର୍ଷ ହେବ ଏଠାରେ ଥିବା ଜଣେ ଡାକ୍ତରଙ୍କୁ କୋଭିଡ୍ କେୟାରର ଦାୟିତ୍ବ ଦେବା ପରେ ଜଣେ ହିଁ ଏସଏନସିୟୁ ଓ ୱାର୍ଡ ଆଦି ସମ୍ଭାଳୁଛନ୍ତି। ଜଣେ ଡାକ୍ତରଙ୍କୁ ଏସଏନସିୟୁରେ କାମ କରିବା ସହ ଶିଶୁ ଅନ୍ତଃ ୱାର୍ଡ, ବର୍ହିଃୱାର୍ଡ, ଶବ ବ୍ୟବଚ୍ଛେଦ ସହ ବିଭିନ୍ନ ବୈଠକରେ ବି ଯୋଗ ଦେବାକୁ ପଡ଼ୁଛି। କେବଳ ଏହି ୧୩ ବର୍ଷ ମଧ୍ୟରେ କିଛି ପୁରୁଣା ଯନ୍ତ୍ରପାତି ବଦଳିଛି । ଏହା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରହିଥିଲେ ହେଁ ଶଯ୍ୟା ସଂଖ୍ୟା ୧୩ବର୍ଷ ତଳର ହିଁ ରହିଛି।

ସଂପ୍ରତି କରୋନା ଭଳି ମହାମାରୀ ଭୂତାଣରୁ ୨ଟି ଲହର ଦେଖା ଦେଇଥିବା ଏବଂ ତୃତୀୟ ଲହର ଆସୁଥିବା ବେଳେ ବି ଏଠାରେ ନବଜାତ ଶିଶୁ ଆଇସିୟୁ (ନିକୁ) ଖୋଲାଯାଇନି। ଗତ ୧୩ବର୍ଷ ମଧ୍ୟରେ ୧୪ହଜାର ୨୦୦ରୁ ଉର୍ଦ୍ଧ୍ବ ଶିଶୁ ଏଠାରେ ଭର୍ତ୍ତି ହୋଇଥିଲେ। ୧୦ହଜାର ଶିଶୁ ଏଠାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରାୟ ୨ହଜାର ଶିଶୁ ଅନ୍ୟ ଡାକ୍ତରଖାନାକୁ ଏଠାରୁ ରେଫରାଲ କରାଯାଇଥିବା ବେଳେ ୨ହଜାରରୁ ଉର୍ଦ୍ଧ୍ବ ଶିଶୁଙ୍କର ମୃତ୍ୟୁ ହୋଇଛି। ନିକୁ ଖୋଲିବା ପାଇଁ ଗତ ଦେଢ଼ ବର୍ଷ ହେବ ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ଆସିଥିଲେ ହେଁ ଏହା ଖୋଲାଯାଇନି। ଏସବୁ ଗୋଦାମରେ ପଡି ରହି ଖତ ଖାଉଛି।

ସାଢ଼େ ଦୁଇ ବର୍ଷ କୋରାପୁଟରୁ ଜୟପୁରକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲା। ମାତୃ ଓ ଶିଶୁ ବିଭାଗରେ ଏହାକୁ ଆରମ୍ଭ କରାଯାଇଥିଲା। ପୁରୁଣା ଡାକ୍ତରଖାନାରୁ ଏଠାକୁ ଏସଏନସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ଓ ଷ୍ଟାଫ ନର୍ସ ପଦବୀ ପୂରଣ କରିବା ସହ ଭିତ୍ତିଭୂମିକୁ ସଜାଡିବା, ସମସ୍ତଙ୍କୁ ସମୟାନୁକ୍ରମେ ତାଲିମ, ବୈଷୟିକ ପ୍ରଶିକ୍ଷଣ ଆଦି ପ୍ରଦାନ ସହ ନବଜାତ ଶିଶୁ ଆଇସିୟୁ (ନିକୁ) ତୁରନ୍ତ ଖୋଲାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ୨ଜଣ ଶିଶୁ ବିଶେଷଜ୍ଞଙ୍କ ମଧ୍ୟରେ ଜଣକୁ କୋଭିଡ୍ କେୟାର ଦାୟିତ୍ବ ଦିଆଯାଇଛି। ଜଣେ ବରିଷ୍ଠ ଶିଶୁ ବିଶେଷଜ୍ଞ ହିଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁ ୱାର୍ଡ ଓ ଏସଏନସିୟୁ ସମ୍ଭାଳିଛନ୍ତି ବୋଲି କହିଛନ୍ତି ଡିଏମଓ ଡ.ଆରଏନ୍ ମିଶ୍ର। ଅଧିକା ରୁମର ଆବଶ୍ୟକତା ଥିବାରୁ ନିକୁ ଖୋଲାଯାଇନି। ସେଭଳି ବହୁ ଯନ୍ତ୍ରପାତି ଲଗାଇବା ପାଇଁ ବି ସ୍ଥାନ ଅଭାବ ରହିଛି। ନୂଆ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିର୍ମାଣ ହେଲେ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଛନ୍ତି ଡିଏମଓ ଡ. ମିଶ୍ର।

ସମ୍ବନ୍ଧିତ ଖବର