ଭୁବନେଶ୍ବର/ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ ପତିଙ୍କ ପତ୍ନୀ ସ୍ନେହଲତା ପତି(୯୩)ଙ୍କର ଶନିବାର ସକାଳ ୬ଟା ୪୫ରେ ଭୁବନେଶ୍ବରର ଶ୍ରୀ ହସ୍‌ପିଟାଲ୍‌ରେ ପରଲୋକ ହୋଇଯାଇଛି। ଶେଷ ଜୀବନରେ ଭୁବନେଶ୍ବର ବିଜେବି ନଗର ବାସଭବନରେ ଅବସ୍ଥାନ କରୁଥିବା ସ୍ନେହଲତା ୩ ଦିନ ତଳେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ୪ ପୁଅ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ ଉପ-ମହାପ୍ରବନ୍ଧକ ଈଶ୍ଵର ପ୍ରସାଦ ପତି, ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଅବସରପ୍ରାପ୍ତ କାର୍ମିକ ନିର୍ଦ୍ଦେଶକ ହିମାଂଶୁ ଶେଖର ପତି, ଇଞ୍ଜିନିୟର ରାଜକିଶୋର ପତି, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ

Advertisment

ଆଶିଷ ପତିଙ୍କ ସମେତ ବୋହୂ, ନାତିନାତୁଣି ଓ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ। ସ୍ନେହଲତା ଜଣେ ସୁଗୃହିଣୀ ହେବା ସହିତ ସମାଜସେବୀ ମଧ୍ୟ ଥିଲେ। ପ୍ରଫେସର ପ୍ରଫୁଲ୍ଲ ପତି ରେଭେନ୍ସା କଲେଜରେ ଅଧ୍ୟାପକ ଥିବାବେଳେ ସେଠାରେ ରମାଦେବୀଙ୍କ ସଂସ୍ପର୍ଶରେ ଆସି ସ୍ନେହଲତା ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଥିଲେ। ସେ ଶେଷ ପର୍ଯ୍ୟନ୍ତ ସମାଜସେବାରେ ବ୍ରତୀ ଥିଲେ। ଭୁବନେଶ୍ବର ସତ୍ୟନଗରସ୍ଥିତ ଶ୍ମଶାନରେ ସ୍ନେହଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ ଈଶ୍ବର ମୁଖାଗ୍ନି ଦେଇଥିଲେ। ତାଙ୍କ ବଡ଼ ପୁତୁରା ପ୍ର. ଶଂକର ପ୍ରସାଦ ପତି ଏବଂ ସାମ୍ବାଦିକ ହେମନ୍ତ ମହାପାତ୍ର ମଧ୍ୟ ଅନ୍ତିମ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ସମ୍ବଲପୁର ଡେଭ୍‌ଲପ୍‌ମେଣ୍ଟ ଫୋରମ୍ ଏବଂ ନୃସିଂହ ଗୁରୁ ସ୍ମୃତି କମିଟି ପକ୍ଷରୁ ‌ଗଭୀର ଶୋକବ୍ୟକ୍ତ କରାଯାଇଛି।