କୋଇଡ଼ା/ହେମଗିର : କୋଇଡ଼ା ଖଣି ଅଞ୍ଚଳରେ ତାପମାତ୍ରା କମିବାରେ ଲାଗିଛି। ଗତ ତିନି ଦିନ ମଧ୍ୟରେ ତାପମାତ୍ରା ୧୨ ଡିଗ୍ରିରୁ ଆଜି ୫ ଡିଗ୍ରିକୁ ଖସି ଆସିଛି। ପାହାଡ଼ ପର୍ବତ ଜଙ୍ଗଲଘେରା ଅଞ୍ଚଳରେ ୫ ଡିଗ୍ରି ତଳକୁ ପାରଦ ଖସି ୪.୫ ରହୁଥିବା ଜଣାପଡ଼ିଛି। ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବାବେଳେ ହଠାତ୍‌ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବା ସହ ଆଜି ତୁଷାରପାତ ଦେଖିବାକୁ ମିଳିଛି। ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରସା କରୁଥିବାବେଳେ ସନ୍ଧ୍ୟା ହେଲେ ନିଆଁକୁ ଭରସା। ଖଣି ଶ୍ରମିକ, ଗରିବ ଲୋକ ଏହି ହାଡ଼ ଭଙ୍ଗା ଥଣ୍ଡା ପାଇଁ ଡହଳ ବିକଳ ହେଲେଣି। ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ କିଛି ଛକ ମାନଙ୍କରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି। ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ସକାଳ ଭ୍ରମଣରେ ଯାଉଥିବା ବ୍ୟକ୍ତି ଥଣ୍ଡା ପାଇଁ ଘରୁ ପୂର୍ବଭଳି ବାହାରୁ ନାହାନ୍ତି। ସକାଳୁ ଚା'ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି। ସୂର୍ଯ୍ୟକିରଣ ପଡ଼ିବା ସ୍ଥାନରେ ଲୋକଙ୍କ ଖଟି ଅଧିକ ଦେଖୁବାକୁ ମିଳୁଛି।

Advertisment

ସେହିପରି ଶୁକ୍ରବାର ରାତିରେ ଅଚାନକ ତାପମାତ୍ରା ହ୍ରାସ ପାଇବାରୁ ହେମଗିର ଅଂଚଳରେ ଅନେକ ସ୍ଥାନରେ ତୁଷାରପାତ ହୋଇଛି। ଶନିବାର ସକାଳୁ ବିଭିନ୍ନ ସ୍ଥାନରେ ପାଳଗଦା, ଘାସ, ଗଛ ପତ୍ରରେ ବହଳିଆ ତୁଷାର ଜମିଥିବା ପରିଲକ୍ଷିତ ହୋଇଛି। ହେମଗିର ବ୍ଲକ୍‌ ଅଞ୍ଚଳର ଡୁଡୁକା, ଲଇକେରା, ବାଦିବାହାଲ, କୋଡବାହାଲ, ଲୁଆବାହାଲ, ବେଲଢିପା, ଚକ୍ରା, ନୂଆଡିହି, ପଣ୍ଡିଆପାଲି, କନ୍ଦାଧୂଡା, ଭୋଗ୍ରାକଚ୍ଛାର, ଲଟାପାଣି, ବିଜାହାନ, ଘୋଘରପାଲି, ବଡରାମ୍ପିଆ, ବେହେରାମୁଣ୍ଡା, କୁସୁମେଲ, ଲିପସପାଲି ସମେତ ଅନେକ ସ୍ଥାନରେ ତୁଷାରପାତ ହୋଇଛି। ଗତ କିଛି ଦିନରୁ ରାତିରେ ତାପମାତ୍ରା ପ୍ରାୟ ୧୫ ଡିଗ୍ରିରୁ ତଳେ ରହୁଥିବାବେଳେ ଅଚାନକ ଶୁକ୍ରବାର ରାତିରେ ତାପମାତ୍ରା ୮ ଡିଗ୍ରି ତଳକୁ ଖସିଛି। ଫଳରେ ଶୁକ୍ରବାର ରାତିରୁ ହେମଗିର ଅଂଚଳରେ ଶୀତର ପ୍ରକୋପ ଅଚାନକ ବୃଦ୍ଧି ପାଇଛି।