ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି। ରାତି ତ ରାତି, ଦିନରେ ବି ଶୀତବସ୍ତ୍ର ନ ପିନ୍ଧିଲେ ଦେହ କାଲୁଆ ହୋଇଯାଉଛି। ଶିମିଳିପାଳରେ ସୂର୍ଯ୍ୟାସ୍ତ ହେଉ ହେଉ ବାଘ ପରି ମାଡ଼ିଆସୁଛି ଜାଡ଼। ୧୨ ଦିନ ହେଲା ମୟୂରଭଞ୍ଜରେ ଶୀତ ଲହରି ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖାସ୍ କରି ଶିମିଳିପାଳରେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ୧୨ ତାରିଖ ଦିନ ଶିମିଳିପାଳରେ ସର୍ବନିମ୍ନ ୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ଆଉ ଆଜି ପାରଦ ଖସି ୩ ଡିଗ୍ରିରେ ପହଞ୍ଚିଛି।
ବାର୍ହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ଥିବା ବେଳେ ଚହଲାରେ ୪ ଡିଗ୍ରି, ବରେହିପାଣିରେ ୭ ଡିଗ୍ରି, ରାମତୀର୍ଥରେ ୧୦ ଡିଗ୍ରି, ଗୁଡ଼ୁଗୁଡ଼ିଆରେ ୭ ଡିଗ୍ରି ଓ କିଆଝରିରେ ୧୨ ଡିଗ୍ରି ରେକର୍ଡ କରାଯାଇଛି। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ବାରହାକାମୁଡ଼ାର ୨ଟି ସ୍ଥାନରେ ଆଜି ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ସକାଳେ ଗଛଲତା, ଘାସ ଓ ଅନ୍ୟ ଜିନିଷ ଉପରେ ବରଫର ପତଳା ଆସ୍ତରଣ ପଡ଼ିଥିବା ନଜରକୁ ଆସିଛି। ତେବେ ହଠାତ୍ ଶୀତର ପ୍ରକୋପ ବଢ଼ି ଯାଇଥିବାରୁ ଶିମିଳିପାଳରେ ରହୁଥିବା ବନବାସୀ ଦହଗଞ୍ଜ ହେଉଛନ୍ତି। ବୟସ୍କ, ଛୋଟ ପିଲା, ନିରାଶ୍ରୟ, ଦିନମଜୁରିଆ ଲୋକେ କଷ୍ଟ ସହୁଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଯାହା ଜଣାପଡ଼ିଛି; ଆସନ୍ତା ୫ ଦିନ ଯାଏ ଜାଡ଼ରୁ ନିସ୍ତାର ମିଳିବନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/14/JDBhWNF5DsQ6hSMc6skK.jpg)