ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଏତେ ଅନୁକମ୍ପା! ସରକାର ଚୁପ୍ କାହିଁକି ?

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ ରହିଛି ସାଂଘାତିକ ଅଭିଯୋଗ। ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାରେ କୁଳପତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ନୀତି ଓ ଦୁର୍ବ୍ୟବହାର ଭଳି ଅଭିଯୋଗ ରହିଛି। ଦୁର୍ନୀତି ସଂପର୍କିତ ଅଭିଯୋଗର ତଦନ୍ତ ଆରମ୍ଭ ବି ହୋଇନାହିଁ। ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଅନେକ ନଜିର ରହିଥିବା ବେଳେ କୁଳପତିଙ୍କ କ୍ଷେତ୍ରରେ କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଗତ ୨୦ ଏପ୍ରିଲରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ଦ୍ବାରା ଅପମାନିତ ହେବା ପରେ ତାଙ୍କ ପ୍ରକୋଷ୍ଠ ଆଗରେ ଆତ୍ମଦାହ କରିଥିଲେ। ଆତ୍ମଦାହ ପୂର୍ବରୁ ଲେଖିଥିବା ଚିଠିରେ ସମଗ୍ର ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ। କୁଳପତିଙ୍କ ଘନିଷ୍ଠ ବ୍ୟକ୍ତି ଛାତ୍ରାବାସରୁ ଚୋରିରେ ସଂପୃକ୍ତ ଥିବା ନେଇ ସେ ଅଭିଯୋଗ ଆଣିଥିଲେ। ସରକାରଙ୍କ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ତାଙ୍କ ପାଇଁ ମହଂଗା ପଡ଼ିଲା। ଏପଟେ ଦୀନବନ୍ଧୁଙ୍କ ଆତ୍ମଦାହ ଘଟଣାର ୧୨ ଦିନ ପୂର୍ବରୁ ଗତ ୮ ଏପ୍ରିଲରେ କୁଳସଚିବ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ସୀତାରାମ ପଟେଲ ଓ ବରିଷ୍ଠ ଓଏଫ୍‌ଏସ୍‌ ଅଧିକାରୀ ପି.କେ.ନାୟକ ମିଳିତ ଭାବେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ୮ଟି ଅଭିଯୋଗ ଉପରେ ୨ ପୃଷ୍ଠାର ଏକ ‌ଚିଠି ଲେଖିଥିଲେ। ଏଥିରେ ସେମାନେ ବିଭିନ୍ନ ଘଟଣା ସଂପର୍କରେ ଉଲ୍ଲେଖ କରିଥିଲେ। ଯେଉଁଥିରେ କୁଳପତିଙ୍କ ମନମୁଖୀ, କର୍ମଚାରୀଙ୍କ ଦୁର୍ବବ୍ୟହାର ସହିତ ଦୁର୍ନୀତିକୁ ପ୍ରଶ୍ରୟ ଦେବା ଭଳି କାର୍ଯ୍ୟକଳାପ ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା।

‘କୁଳପତିଙ୍କ ଚାପ ଓ ମାନସିକ ନିର୍ଯାତନା ଭିତରେ ତଥା ଅସ୍ବାସ୍ଥ୍ୟକର ପରିସ୍ଥିତିରେ ସେମାନେ କାମ କରିପାରିବେ ନାହିଁ, ସେମାନଙ୍କୁ ମୂଳ ବିଭାଗକୁ ଫେରାଇ ନିଆଯାଉ’ ବୋଲି କୁଳସଚିବ ଶ୍ରୀ ପଟେଲ ଏବଂ ବିତ୍ତ ନିୟନ୍ତ୍ରକ ଶ୍ରୀ ନାୟକ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଅନୁରୋଧ କରିଥିଲେ। ଅପରପକ୍ଷରେ ଏଭଳି କେତେକ ଦୁର୍ନୀତି ପ୍ରସଂଗରେ ଜଣେ ପୂର୍ବତନ କୁଳପତି ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶ୍ବବିଦ୍ୟାଳୟ ‌ଷ୍ଟେଚ୍ୟୁଟ୍‌ ଉଲ୍ଲଂଘନ, ଆର୍ଥିକ ଅନିୟମିତା, ସରକାରୀ ନିୟମର ଉଲ୍ଲଂଘନ, ବେଆଇନ ଗଛକଟା ଭଳି କେତେକ ସାଂଘାତିକ ଅଭିଯୋଗ ଆଣିଥିଲେ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଇତିମଧ୍ୟରେ ଅନେକ ଦିନ ବିତି ଯାଇଛି। ହେଲେ ତଦନ୍ତ ଆରମ୍ଭ ହୋଇନାହିଁ। ଦୁଇ ବରିଷ୍ଠ ଅଧିକାରୀଙ୍କ ଆବେଦନ ଉପରେ ବି ସରକାର ଚୁପ ରହିଛନ୍ତି।

ଅପରପକ୍ଷରେ ପୁଲିସ ପ୍ରଶାସନ ମଧ୍ୟ କୁଳପତି ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ କେତେକ ଆଇନଜୀବୀ ଓ ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍‌ ଓ ସିନେଟ୍ ସଭ୍ୟ ୨ ଥର ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିସାରିଲେଣି। ମୃତ୍ୟୁକାଳୀନ ଜମାନବନ୍ଦୀ, ଆତ୍ମଦାହ ପୂର୍ବରୁ ଚିଠି ଭଳି ବଳିଷ୍ଠ ପ୍ରମାଣ ରହିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ ନାହିଁ ବୋଲି ସେମା‌ନେ ଏଥିରେ ଉଲ୍ଲେଖ ରହିଥିଲେ। ସମ୍ବଲପୁର ଦୌରା ଜଜ୍ ଗତ ୨୪ ତାରିଖ ଦିନ କୁଳପତି ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିବା ସତ୍ତ୍ବେ ପୁଲିସ ସେମାନଙ୍କୁ ଗିରଫ ନକରିବା ନିନ୍ଦନୀୟ ବୋଲି କହିଥିଲେ। ଦୀନବନ୍ଧୁଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସମ୍ବଲପୁର ପୁଲିସକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେମାନେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ ବୁଧବାର ଦିନ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତାଙ୍କ ନେତୃତ୍ବରେ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ ରଥ, ଉପସଭାପତି ଚନ୍ଦ୍ରକାନ୍ତ ମହାନ୍ତି, ସାଧାରଣ ସଂପାଦକ ରବି ପୂଜାରୀ, ସହ ସଂପାଦକ ଅନୁପ ପଟ୍ଟନାୟକ, ନାଗରିକ କଲ୍ୟାଣ ସମିତିର ଅଧ୍ୟକ୍ଷ ମହେନ୍ଦ୍ର ମିଶ୍ର, ‌ସାମାଜିକ କର୍ମୀ ମହେଶ ସାଏତା ପ୍ରମୁଖ ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏଭଳି ସ୍ପର୍ଶକାତର ମାମଲାରେ ରାଜ୍ୟ ସରକାରଙ୍କ ନିରବତା ପଛରେ କି ରହସ୍ୟ ରହିଛି, ତାହା ବୁଝି ହେଉ ନାହିଁ।

ସମ୍ବନ୍ଧିତ ଖବର