ଏବେସୁଦ୍ଧା ୪ ଲକ୍ଷ ୨୫ ହଜାର ମେଟ୍ରିକ୍‌ ଟନ୍‌ ରବି ଧାନ ସଂଗ୍ରହ

ଭୁବନେଶ୍ବର : ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ୍‌ସ୍‌ ଜରିଆରେ ୧୪ଟି ଜିଲ୍ଲାରେ ୬୩ ହଜାର ୮୨୭ ଜଣ ଚାଷୀଙ୍କଠାରୁ ଏବେସୁଦ୍ଧା ୪ ଲକ୍ଷ ୨୫ ହଜାର ମେଟ୍ରିକ୍‌ ଟନ୍‌ ରବି ଧାନ ସଂଗ୍ରହ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୭୯୩ କୋଟି ଟଙ୍କା। ଆଜି ଏକ ପ୍ରେସ୍‌ ଇସ୍ତାହାର ଜାରି କରି ଏହି ତଥ୍ୟ ରଖିଛି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। କୋଭିଡ ନିୟମ ଅନୁପାଳନ ପୂର୍ବକ ଧାନ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ବାରାନ୍ବିତ କରିବାକୁ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ରବି ଧାନ ସଂଗ୍ରହରେ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨ ଲକ୍ଷ ୨୦ ହଜାର ୨୪୩ ଜଣ ଚାଷୀମାନଙ୍କର ଜମିଜମା ବାବଦ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ୍‌, ଆଧାର କାର୍ଡ଼, ଜଳସେଚିତ ଜମିର ପରିମାଣ ଇତ୍ୟାଦିର ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ରବି ଧାନ ସଂଗ୍ରହ କାର୍ଯ୍ୟ ୧ ହଜାର ୨୦ଟି ମଣ୍ଡି ଜରିଆରେ କରାଯାଉଛି। ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଧାନ ସଂଗ୍ରହ କରାଯାଉଛି। ଖୁବଶୀଘ୍ର କୋରାପୁଟ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାରେ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ। ଚଳିତମାସରୁ ଆରମ୍ଭ ହୋଇଥିବା ଏହି ଧାନ ସଂଗ୍ରହ କାର୍ଯ୍ୟ ଆସନ୍ତାମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର