ଫୁଲବାଣୀ: କନ୍ଧମାଳର ଜଙ୍ଗଲ ଏବେ ମାଫିଆଙ୍କ ପାପ ଦୃଷ୍ଟିରେ। ଦିନକୁ ଦିନ ଜଙ୍ଗଲ ସମ୍ପଦ ଓ ବନ୍ୟଜନ୍ତୁ ହ୍ରାସ ପାଇବାରେ ଲାଗିଛି। ଗତ ବର୍ଷକ ମଧ୍ୟରେ ଅନ୍ତଃରାଜ୍ୟ ଜଙ୍ଗଲ ମାଫିଆଙ୍କ ଠାରୁ ଯେଉଁ ପରିମାଣର ବାଘ ଓ ହରିଣ ଚମଡ଼ା, ସମ୍ବର ମାଂସ, ହରିଣ ଶିଙ୍ଗ ଓ ବଜ୍ରକାପ୍ତା ଆଦି ପଶୁପକ୍ଷୀଙ୍କ ଶରୀରର ଅଂଶବିଶେଷ ଜବତ ହୋଇଛି, ତାକୁ ଆକଳନ କରାଗଲେ, କନ୍ଧମାଳ ଜଙ୍ଗଲରେ କେଉଁ ହାରରେ ଶିକାର ଚାଲିଛି ତାହା ସ୍ପଷ୍ଟ ହେଉଛି। ଗତ ୩ ତାରିଖରେ ଫୁଲବାଣୀ ରେଞ୍ଜ୍‌ ଅନ୍ତର୍ଗତ ଗୁଦାରି ଏୟାରଷ୍ଟ୍ରିପ୍‌ ନିକଟରୁ ବନ ବିଭାଗ ଚଢ଼ଉ କରି ଦୁଇ ବାଘ ଛାଲ ସମେତ ବନ୍ଧୁକ, ହରିଣ ଶିଙ୍ଗ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ମାଫିଆ ଗିରଫ ହୋଇଥିଲେ।

Advertisment

ସେହିଭଳି ଗତ ମାସରେ ଫୁଲବାଣୀ ଏବଂ ଟିକାବାଲି ରେଞ୍ଜ୍‌ ଅଧିକାରୀଙ୍କ ଏକ ମିଳିତ ଟିମ୍‌ ଟିକାବାଲି ଅଞ୍ଚଳରୁ ୫ଟି ବାଘ ଛାଲ, ହରିଣ ଚମଡ଼ା ଓ ବନ୍ଧୁକ ଜବତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଜଙ୍ଗଲ ମାଫିଆ ଗିରଫ ହୋଇଥିଲେ। ଏହା ପୂର୍ବରୁ ସୁଡ଼୍ରୁକୁମ୍ପା ରେଞ୍ଜ ଅଞ୍ଚଳରୁ ସଦ୍ୟ କଟାଯାଇଥିବା ସମ୍ବର ଓ ହରିଣ ମାଂସ ସମେତ ବାଘ ଛାଲ ଏବଂ ଘୁ.ଉଦୟଗିରି ଅଞ୍ଚଳରୁ ଏସ୍‌ଟିଏଫ୍‌ ଚଢ଼ଉ କରି ବାଘ ଛାଲ ଜବତ କରିଥିଲା। ଗତ ବର୍ଷକ ମଧ୍ୟରେ ଏଭଳି ୭ଟି ଘଟଣାରେ ବନ ବିଭାଗ ଏବଂ ଏସ୍‌ଟିଏଫ୍‌ ପାଖାପାଖି ୧୫ଟି ବାଘ ଛାଲ, ବହୁ ସଂଖ୍ୟାରେ ହରିଣ ଚମଡ଼ା ଓ ହରିଣ ଶିଙ୍ଗ ଜବତ କରିଛି। 

ପ୍ରଶ୍ନ ଉଠୁଛି, କନ୍ଧମାଳ ଜଙ୍ଗଲରେ କ’ଣ ଏତେ ସଂଖ୍ୟାରେ ବାଘ ଓ ହରିଣ ଅଛନ୍ତି? ଏତେ ମାତ୍ରାରେ ଶିକାର ଚାଲିଛି? ତେବେ ବନ ବିଭାଗ କରୁଛି କ’ଣ? ଫୁଲବାଣୀ ଓ ବାଲିଗୁଡ଼ା ବନଖଣ୍ଡ ଅଧୀନରେ ସମଗ୍ର କନ୍ଧମାଳ ଜିଲ୍ଲାର ଜଙ୍ଗଲ ସମ୍ପଦ ନିୟନ୍ତ୍ରିତ ହେଉଛି। କନ୍ଧମାଳ ଜିଲ୍ଲା ଅଧୀନରେ କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ ରହିଛି। ଜିଲ୍ଲାର ବିଭିନ୍ନ ଘଞ୍ଚ ଜଙ୍ଗଲରେ କଲରାପତରିଆ ବାଘ ଅଛନ୍ତି। ଏହା ସାଙ୍ଗକୁ ବହୁ ସଂଖ୍ୟାରେ ହରିଣ, ସମ୍ବର, ବାର୍‌ହା ଓ ବଜ୍ରକାପ୍ତା ଆଦି ରହିଛନ୍ତି। ଏଠାରେ ଜଙ୍ଗଲ ମାଫିଆଙ୍କ ରୢାକେଟ୍‌ କାର୍ଯ୍ୟ କରୁଛି। କିନ୍ତୁ ବନ ବିଭାଗ ସବୁ ଜାଣି ନିରବଦ୍ରଷ୍ଟା। କାଁ ଭାଁ କେଉଁଠି ଚଢ଼ଉ କରି କେତେଟା ବାଘ ଛାଲ ଜବତ କରି କେତେ ଜଣଙ୍କୁ ଗିରଫ କରି ବନ ବିଭାଗ ନିଜର ଦାୟିତ୍ବ ସାରିଦେଉଛି। କିନ୍ତୁ ଅସଲ ରୢାକେଟ୍‌ର ଚେର ପର୍ଯ୍ୟନ୍ତ ପହଞ୍ଚି ପାରୁନି। କେବଳ ସେତିକି ନୁହେଁ,  ବିଭାଗ ଜ୍ଞାତସାରରେ କନ୍ଧମାଳର ବିଭିନ୍ନ ସଂରକ୍ଷିତ ଜଙ୍ଗଲମାନଙ୍କରେ ଗଞ୍ଜେଇ ଚାଷ ସହିତ ନିୟମିତ ବନ୍ୟ ଜୀବଜନ୍ତୁ ଶିକାର ଚାଲିଛି। ଏ ନେଇ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍‌ଙ୍କ କହିବା ଅନୁଯାୟୀ, ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ନିୟମିତ ଚଢ଼ଉ କରାଯାଉଛି। ଯଦି ବନବିଭାଗ ଠିକ୍‌ କରୁଛି, ଏତେ ସଂଖ୍ୟାରେ ବାଘ ଛାଲ ଜବତ ଘଟଣା ସବୁ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।