ପଦୋନ୍ନତି ନେଇ ଅସନ୍ତୋଷ ଝାଡ଼ିଲେ କର୍ମଚାରୀ, ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ଅଭିଯୋଗ ପ୍ରଦାନ କଲେ ଏସ୍ଓ

ଭୁବନେଶ୍ବର : ସାଧାରଣ ବର୍ଗର ଏସଓମାନଙ୍କ ପାଇଁ ଉଦ୍ଦିଷ୍ଟ ପଦୋନ୍ନତି ପଦବି ନିୟମ ଭାଙ୍ଗି ଅନୁସୂଚିତ ବର୍ଗର ଏସଓମାନଙ୍କୁ ଡେସ୍କ ଅଫିସର ପାହ୍ୟାକୁ ପଦୋନ୍ନତି ଦେବା ପାଇଁ ଉଦ୍ୟମ କରିଛି ରାଜ୍ୟ ଗୃହ ବିଭାଗ। ଆଜି ଅନୁଷ୍ଠିତ ବିଭାଗୀୟ ପଦୋନ୍ନତି କମିଟି ବୈଠକକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଲୋକସେବା ଭବନରେ କାର୍ଯ୍ୟରତ ସାଧାରଣ ବର୍ଗର ଏସଓମାନେ ମିଳିତ ହୋଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ଶୁଣିବା ପରେ ମନ୍ତ୍ରୀ ଶ୍ରୀ ମିଶ୍ର ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। କୌଣସି ପ୍ରକାରେ କାହା ପ୍ରତି ଅନ୍ୟାୟ ହେବାକୁ ଦିଆଯିବନି ବୋଲି ମନ୍ତ୍ରୀ କର୍ମଚାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଲୋକସେବା ଭବନରେ ୧୯୮୪-୮୫ ଓ ୧୯୯୧-୯୨ରୁ କାର୍ଯ୍ୟରତ ଏସଓମାନଙ୍କ ଭିତରୁ ୩୦୦ ଜଣଙ୍କୁ ଡେସ୍କ ଅଫିସର ପାହ୍ୟାକୁ ପଦୋନ୍ନତି ଦେବା ପାଇଁ ପଦବି ଖାଲି ପଡ଼ିଛି। ଆଜି ସକାଳ ୧୦ଟା ୧୫ ମିନିଟରେ ଲୋକସେବା ଭବନରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପଦୋନ୍ନତି କମିଟି ବୈଠକ ବସିଥିଲା। ଏହି ବୈଠକରେ ଶ୍ରୀ ଚୋପ୍ରାଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ତଥା ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଗଣେଶ ଚନ୍ଦ୍ର ପାତ୍ର ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ। ପଦକ୍ରମ ତାଲିକାର ଶୀର୍ଷରେ ଥିବା ଅନୁସୂଚିତ ବର୍ଗର ଏସଓମାନଙ୍କୁ ଆଗକରି ଡେସ୍କ ଅଫିସର ପାହ୍ୟାକୁ ପଦୋନ୍ନତି ଦିଆଯିବ ବୋଲି ଗୃହ ବିଭାଗ କରିଥିବା ସୁପାରିସକୁ କମିଟି ମୋହର ମାରିଥିବା ଜଣାପଡ଼ିଛି। ଯାହାକୁ ନେଇ ସାଧାରଣ ବର୍ଗର ଏସଓମାନେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଏ କଥା ବିଜୁଳି ବେଗରେ କର୍ମଚାରୀ ମହଲରେ ଖେଳିଯିବା ପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ସାଧାରଣ ବର୍ଗର ଏସଓମାନେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଭେଟି ଆପତ୍ତି ଜଣାଇଥିଲେ।

କର୍ମଚାରୀମାନେ ଅଭିଯୋଗ କରିଥିଲେ, ବିଭାଗୀୟ ପଦୋନ୍ନତି କମିଟିକୁ ସମ୍ପୂର୍ଣ୍ଣ ଭୁଲ ତଥ୍ୟ ପ୍ରଦାନ କରାଯାଇଛି। ସାଧାରଣ ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ୧୯୯୫ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଗୃହ ବିଭାଗ ଉଲଂଘନ କରିଛି। ୧୯୮୪-୮୫ ମସିହାରେ ଚାକିରିରେ ଯୋଗ ଦେଇଥିବା ସାଧାରଣ ବର୍ଗର କର୍ମଚାରୀ ଆଜି ଏସଓ ପଦବି ତାଲିକାର ଶୀର୍ଷରେ ଅଛନ୍ତି। ଚଳିତ ବର୍ଷ ଗୃହ ବିଭାଗର ନିଷ୍ପତ୍ତି, ଆର.କେ ସଭରଵାଲ୍ ଏବଂ ପଞ୍ଜାବ ସରକାରଙ୍କ ମଧ୍ୟରେ ହୋଇଥିବା ମାମଲାରେ ୧୯୯୫ ଫେବ୍ରୁଆରି ୧୦ ତାରିଖରେ ସୁପ୍ରିମ କୋର୍ଟ ଦେଇଥିବା ଆଦେଶର ବିରୁଦ୍ଧାଚରଣ କରୁଛି। ଶୁକ୍ରବାର ବିଭାଗୀୟ ପଦୋନ୍ନତି କମିଟି ଯେଉଁ କେତେଜଣ ଅନୁସୂଚିତ ବର୍ଗର ଏସଓମାନଙ୍କୁ ପଦୋନ୍ନତି ଦେବା ପାଇଁ ନିଷ୍ପତ୍ତି ନେଇଛି, ସେମାନଙ୍କ ଭିତରୁ କେହି ବି ମେଧାବୀ ତାଲିକାରେ ଚୟନ ହୋଇନହାନ୍ତି ବୋଲି ସାଧାରଣ ବର୍ଗର ଏସଓ ଡମ୍ବରୁଧର ଘଣା, ପୀୟୁଷ ରଞ୍ଜନ ପରିଡ଼ା, କେ. ରାଘବ ରାଓ ଅଭିଯୋଗ କରିଛନ୍ତି।

କୌତୁହଳର କଥା ହେଉଛି, ପଦୋନ୍ନତି ପାଇଁ ସୁପ୍ରିମ କୋର୍ଟ ଦେଇଥିବା ରାୟର ଅନୁପାଳନ ପୂର୍ବକ ୨୦୧୦ ମସିହାରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ତରୁଣ କାନ୍ତି ମିଶ୍ର ବିଭିନ୍ନ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବି ଭିତ୍ତିକ ପଦୋନ୍ନତି ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଖୋଦ ବିଧି ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଓ ଏସସି-ଏସଟି ଉନ୍ନୟନ ବିଭାଗ ମଧ୍ୟ ୨୦୧୦ରୁ ୨୦୧୮ ପର୍ଯ୍ୟନ୍ତ ଏହି ନିୟମ ଅନୁପାଳନ କରିଆସୁଛି।

ସମ୍ବନ୍ଧିତ ଖବର