କୃଷିର ବିକାଶ ବିନା ବେକାରୀ ଓ ଦାରିଦ୍ର୍ୟ ହଟାଇବା ସମ୍ଭବ ନୁହେଁ: ଗଡ଼କରି

‘ସୋଆ’ର ୬ଷ୍ଠ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର : ଦେଶରେ ଏବେ ବି ‌ବେକାରୀ ଓ ଦାରିଦ୍ର୍ୟ ସମସ୍ୟା ରହିଛି। ଏହାର ଦୂରୀକରଣ ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ସହ ଦୂରଦର୍ଶିତାର ଆବଶ୍ୟକତା ରହିଛି। ଭଲ ନେତା ଓ ଭଲ ଯୋଜନା ମାଧ୍ୟମରେ ଏହି ସମସ୍ତ ସମସ୍ୟାକୁ ପ୍ରତିହତ କରିହେବ। ବୈଜ୍ଞାନିକ ଜ୍ଞାନକୌଶଳ, ପର୍ଯ୍ୟାପ୍ତ ଗ‌ବେଷଣା ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଦ୍ବାରା ସଶକ୍ତ ମାନବ ସମ୍ବଳ ନିର୍ମାଣ କରିପାରିଲେ, ଏଭଳି ସମସ୍ୟାର ସମାଧାନ ହେବା ସହ ଭାରତ ବିଶ୍ବ ଦରବାରରେ ଉନ୍ନତ ଓ ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିବ। ଶନିବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ(ସୋଆ)ରେ ଅନୁଷ୍ଠିତ ୬ଷ୍ଠ ସମାବର୍ତ୍ତନ ଉତ୍ସବରେ ଅତିଥିମାନେ ଏହା କହିଛନ୍ତି।

ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍‌ ଜୟରାମ ଗଡ଼କରି କହିଲେ, ଜ୍ଞାନ ବ୍ୟକ୍ତିର ଦୂରଦର୍ଶିତା ବୃଦ୍ଧି କରିବା ସହ ତା’ ଭିତରେ ନୂତନ ସୃଜନଶୀଳତା ଓ ଉଦ୍ୟୋଗପତି ହେବାର ମ‌ନୋଭାବ ସୃଷ୍ଟି କରିଥାଏ। ତେବେ ଭାରତରେ କୃଷିର ବିକାଶ ବିନା ବେକାରୀ ଓ ଦାରିଦ୍ର୍ୟ ହଟାଇବା ସମ୍ଭବ ନୁହେଁ। ତେଣୁ ଆମକୁ କୃଷି ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ। କୃଷିର ଉନ୍ନତି ଲକ୍ଷ୍ୟରେ ଦେଶରେ ପର୍ଯ୍ୟାପ୍ତ ଗ‌ବେଷଣାର ସୁଯୋଗ ସୃଷ୍ଟି କରିବା ପାଇଁ ନୂଆ ନୂଆ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାକୁ ପଡ଼ିବ। ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ସହ ଉପଯୁକ୍ତ ଦୂରଦର୍ଶିତା ଥିବା ଭଲ ନେତୃତ୍ବର ଆବଶ୍ୟକତା ରହିଛି। ଏଥିସହ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଓ ଉତ୍ତମ ଚରିତ୍ର ଗଠନ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ଜରୁରି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଲେ, କେବଳ ଜ୍ଞାନକୌଶଳ ଯ‌ଥେଷ୍ଟ ନୁହେଁ। ଭାରତୀୟ ଦର୍ଶନ ଓ ସଂସ୍କୃତିକୁ ପାଥେୟ କରି ଛାତ୍ରଛାତ୍ରୀମାନେ ସର୍ବଦା ଅନୁସନ୍ଧିତ୍ସୁ ହେବା ଉଚିତ। ଏଥିପାଇଁ ପ୍ରଶ୍ନ କରି ଶିଖିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଡିଗ୍ରିଧାରୀମାନଙ୍କ ଉଦ୍ଦେଶ୍ୟ‌ରେ କହିଲେ, ଏବେ ସେମାନଙ୍କ ଉପରେ ଗୁରୁଦାୟିତ୍ବ ପହଞ୍ଚିଛି। ଦେଶର ବିଭିନ୍ନ ସମସ୍ୟାକୁ ସେମାନେ ନିଜର ଜ୍ଞାନ ବଳରେ ହଟାଇବାକୁ ଚେଷ୍ଟା କରିବା ଉଚିତ। ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ନିଜ ବକ୍ତବ୍ୟ‌ରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ। ସୋଆର କୁଳାଧିପତି ପ୍ରଫେସର୍‌ ଖଗେଶ୍ବର ପ୍ରଧାନ ବିଶ୍ବତାପନ, ପ୍ରଦୂଷଣ, ପାନୀୟ ଜଳ ସମସ୍ୟା, ଶକ୍ତି ସଂକଟ ଭଳି ସମସ୍ୟାର ସମାଧାନ ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଥିଲେ। କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ସ୍ବାଗତ ଭାଷଣ ଦେବା ଅବସରରେ ବିଶ୍ବବିଦ୍ୟାଳୟ କୃତିତ୍ବ ଉପରେ ସୂଚନା ଦେଇଥିଲେ। ଏହି ଉତ୍ସବରେ କୋଲକାତା ବିର୍ଲା ପ୍ଲାନେଟୋରିୟମ୍‌ର ନିର୍ଦେଶକ ତଥା ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପ୍ରଫେସର୍‌ ଦେବୀପ୍ରସାଦ ଦୁଆରିଙ୍କୁ ଡକ୍ଟର ଅଫ ସାଇନ୍‌ସ ଉପାଧି ପ୍ରଦାନ କରାଯାଇଥିଲା। ୧୬୭ ଜଣଙ୍କୁ ପିଏଚ୍‌ଡି, ୧୩୨ ଜଣଙ୍କୁ ୟୁନିଭର୍ସିଟି ଗୋଲ୍ଡ ମେଡାଲ୍, ୪ ଜଣଙ୍କୁ ଚାନ୍‌ସେଲରସ୍‌ ଗୋଲ୍‌ଡ ମେଡାଲ, ୧୨୪୩ ଜଣଙ୍କୁ ପିଜି ଓ ୪୫୪୨ ଜଣଙ୍କୁ ସ୍ନାତକ ଡିଗ୍ରିରେ ଭୂଷିତ କରାଯାଇଥିଲା।

ସମ୍ବନ୍ଧିତ ଖବର