ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ

ଭୁବନେଶ୍ବର : ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଗବେଷକ ପ୍ରଫେସର୍‌ ଲାଲା ବିହାରୀ ଶୁକ୍ଲା ସ୍ଥାନ ପାଇଛନ୍ତି। ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ପ୍ରଫେସର୍‌ ଶୁକ୍ଲା ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ୱରେ ୩୨୮ ତମ ସ୍ଥାନରେ ରହିଛନ୍ତି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞଙ୍କ ଦ୍ୱାରା ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍‌-ଇଣ୍ଡେକ୍ସ, କୋ-ଅଥରସିପ୍ ଓ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ବିଶ୍ୱର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ ହୋଇଛି। ବାୟୋମିନେରାଲ୍‌ ପ୍ରୋସେସିଂ ଏବଂ ହାଇଡ୍ରୋମେଟାଲର୍ଜି ସମ୍ପର୍କିତ ଗବେଷଣା କ୍ଷେତ୍ରରେ ତାଙ୍କର ୪୪ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ସେ ସିଏସ୍‌ଆଇଆର୍‌ର ଏମିରିଟସ୍‌ ସାନ୍‌ଟିଫିଷ୍ଟ ଓ ନୂଆଦିଲ୍ଲୀସ୍ଥିତ ଏକାଡେମି ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ(ଏସିଏସ୍‌ଆଇଆର୍‌)ର ଏମିରଟ୍ସ ପ୍ରଫେସର୍‌ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଭୁବନେଶ୍ୱରସ୍ଥିତ ସିଏସ୍‌ଆଇଆର୍-ଆଇଏମ୍‌ଏମ୍‌ଟିର ମୁଖ୍ୟ ବୈଜ୍ଞାନିକ ଓ ବାୟୋ-ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଫେସର୍‌ ଶୁକ୍ଲାଙ୍କ ଆନ୍ତର୍ଜାତୀୟ ଓ ଜାତୀୟ ଜର୍ନାଲଗୁଡ଼ିକରେ ୨୨୬ଟି ପେପର୍‌ ପ୍ରକାଶିତ ହୋଇଥିବା ବେଳେ ତାଙ୍କ ନାମରେ ୧୦ଟି ପ୍ୟାଟେଣ୍ଟ ରହିଛି।

ସମ୍ବନ୍ଧିତ ଖବର