ବଲାଙ୍ଗୀର: ମୌସୁମୀ ବର୍ଷା ବଲାଙ୍ଗୀର ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆହୁରି ଚିନ୍ତାଜନକ କରିଛି। ଜିଲ୍ଲାରେ ଗତ ୨୩ ତାରିଖରୁ ରବି ଧାନକିଣା ଆରମ୍ଭ ହୋଇଛି। ଏହାପରେ ଲଗାତାର ବର୍ଷା ଛିଞ୍ଚିବ ବୋଲି ପାଣିପାଗ ପୂର୍ବାନୁମାନ ଥିଲା। ଚାଷୀ ନିଜ ଧାନକୁ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ବ୍ୟବସ୍ଥା ହେଲା ନାହିଁ। ଫଳରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ଭିଜି ଗଜା ହୋଇସାରିଛି। ମଣ୍ଡିରେ ଚାଷୀଙ୍କ ଧାନଗଦା ହୋଇଥିବାବେଳେ ସ୍ଥାନାଭାବରୁ ସେସବୁ ଖୋଲା ଆକାଶ ତଳେ ପଡ଼ି ରହିଛି। 

Advertisment

ନିୟମିତ ବର୍ଷା ଯୋଗୁଁ ଧାନ ଭିଜୁଛି। ସେପଟେ ବର୍ଷା ‌ଯୋଗୁଁ ଧାନ କଟ୍‌ନିଛଟ୍‌ନି ପାଇଁ ପଥ ପରିଷ୍କାର ହୋଇଯାଇଛି। ମିଲର୍‌ମାନେ ପୂର୍ବରୁ ଗନିବ୍ୟାଗ୍‌ ଆଳରେ ଧାନ କାଟୁଥିଲେ। ଏବେ ଧାନରେ ଆର୍ଦ୍ରତା ବଢ଼ିଥିବା ଦର୍ଶାଇ କଟ୍‌ନିଛଟ୍‌ନି କରିବେ ବୋଲି ଚାଷୀ ମହଲରେ ଆଶଙ୍କା ବ୍ୟକ୍ତ କରାଯାଇଛି। ଏଥର ୧୧,୧୨୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯୦୨ଜଣଙ୍କ ଧାନ କିଣା ହୋଇଛି। ଏଣେ ବର୍ଷା ଲାଗି ରହିଥିବାରୁ ଚାଷୀ ଚିନ୍ତାରେ। ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କୁ ପର୍ଯ୍ୟାପ୍ତ ପଲିଥିନ୍‌ ଯୋଗାଇ ଦିଆଯାଇନଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ବାଧ୍ୟ ହୋଇ ନିଜ ଖର୍ଚ୍ଚରେ ପଲିଥିନ୍ କିଣି ଧାନର ସୁରକ୍ଷା ଦେଉଛି। ମିଲର୍ସ ନିଜ ମର୍ଜିରେ ଧାନ କିଣୁଥିବାବେଳେ ଯୋଗାଣ ବିଭାଗ ନିରବ ରହିଛି।