ଭୁବନେଶ୍ବର: ଲମ୍ବା ସମୟ ବ୍ୟବଧାନ ପରେ ସରକାର ବିଭିନ୍ନ ପଦପଦବିରେ ରାଜନୈତିକ ନିଯୁକ୍ତି ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟ‌ରେ ୧୨ ଜଣ ନାରୀ ନେତ୍ରୀଙ୍କୁ ଦାୟିତ୍ବ ବାଣ୍ଟିଛନ୍ତି। ବାଲେଶ୍ବର ଜିଲ୍ଲା ରେମୁଣାର ସୋଭନା ମହାନ୍ତିଙ୍କୁ ମହିଳା କମିସନ୍‌ ଅଧ୍ୟକ୍ଷା ଏବଂ ବ୍ରହ୍ମପୁରର ବବିତା ପାତ୍ରଙ୍କୁ ଶିଶୁ ଅଧିକାର ସୁରକ୍ଷା କମିସନ୍‌ ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି। ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ପରେ ରାଜ୍ୟରେ ବିଭିନ୍ନ ସରକାର ନିଗମ ଓ ବୋର୍ଡରେ ରାଜନୈତିକ ନିଯୁକ୍ତି ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଥି ପାଇଁ ଦଳୀୟ ନେତାମାନେ ନିଜ ନିଜ ଲବିକୁ ଜୋର୍‌ଦାର କରିଛନ୍ତି। ଏହାକୁ ନେଇ କ୍ଷମତା କରିଡରରେ ଧାଁ ଧପଡ଼ ଆରମ୍ଭ ହୋଇଛି। 
Advertisment
ମହିଳ‌ା କମିସନ୍‌ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିବା ସୋଭନା ମହାନ୍ତି ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଟିକେଟରେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ହାରିଯାଇଥିଲେ। ସେ ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଥିଲେ। ତାଙ୍କୁ ତିନି ବର୍ଷ ପାଇଁ ଏହି ପଦବିରେ ନିଯୁକ୍ତି ମିଳିଛି। ସେହିପରି ଶିଶୁ ଅଧିକାର ସୁରକ୍ଷା କମିସନ୍‌ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଥିବା ବବିତା ପାତ୍ର ବ୍ରହ୍ମପୁରର ଜଣାଶୁଣା ବିଜେପି ନେତ୍ରୀ। ତାଙ୍କୁ ମଧ୍ୟ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଛି। 
ଶିଶୁ ଅଧିକାର ସୁରକ୍ଷା କମିସନ୍‌ର ସଦସ୍ୟା ଭାବେ ୬ ଜଣ ଦଳୀୟ ନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ କେନ୍ଦୁଝରର ସୁକେଶୀ ଓରାମ, ରାଉରକେଲାର କଳ୍ପନା ଲେଙ୍କା, ଭଦ୍ରକର ମନସ୍ମିତା ଖୁଣ୍ଟିଆ, ଭୁବନେଶ୍ବରର ଚନ୍ଦନା ଦାସ, କସ୍ତୁରୀ ମିଶ୍ର ଓ ସୁଜାତା ନାୟକ। ସମସ୍ତେ ତିନି ବର୍ଷ କିମ୍ବା ୬୫ ବର୍ଷ ହେବା ପର୍ଯ୍ୟନ୍ତ ଏହି ପଦବିରେ ରହିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ମହିଳା କମିସନ୍‌ର ସଦସ୍ୟା ଭାବେ ୪ ଜଣ ନେତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି। ସେମାନେ ହେଲେ କଟକର ପ୍ରତିଭା ଶତପଥୀ, ଭୁବନେଶ୍ବରର ଉର୍ମିଳା ମହାପାତ୍ର, କେନ୍ଦ୍ରାପଡ଼ାର କଳ୍ପନା ମଲ୍ଲିକ ଓ ବରଗଡ଼ର ମୁକ୍ତା ସାହୁ। ସମସ୍ତଙ୍କୁ ତିନି ବର୍ଷ ପାଇଁ ଏହି ନିଯୁକ୍ତି ମିଳିଛି।