ଖୋର୍ଦ୍ଧା : ଖୋର୍ଦ୍ଧା ଅଂଚଳର ଜଣାଶୁଣା ସାହିତ୍ୟିକ, ସମାଜସେବୀ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତଥା ଖୋର୍ଦ୍ଧା ରୋଟାରୀ କ୍ଲବର ପୂର୍ବତନ ସଭାପତି ପ୍ରମୋଦ କୁମାର ସାହୁ(୬୪)ଙ୍କ ଶନିବାର ରାତିରେ ପରଲୋକ ଘଟିଛି।

Advertisment

ସେ ଦୀର୍ଘ ଦିନ ଧରି ଯକୃତଜନିତ ରୋଗରେ ପୀଡ଼ିତ ଥିଲେ ଓ କିଛି ମାସ ତଳେ ତାଙ୍କର ହାଇଦ୍ରାବାଦରେ ଯକୃତ ପ୍ରତିରୋପଣ କରାଯାଇଥିଲା। ତେବେ ଗତ ମାସରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦିନ ତାଙ୍କ ମରଶରୀର ଖୋର୍ଦ୍ଧା ମୁକୁନ୍ଦପ୍ରସାଦସ୍ଥିତ ବାସଭବନରେ ପହଂଚିବା ପରେ ସହରରେ ଶୋକର ଛାୟା ଖେଳିଯାଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜଟଣୀ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ଷୀରାବ୍ଧି ତନୟା ସାହୁ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। କନିଷ୍ଠ ପୁତ୍ର ଅତିରିକ୍ତ ତହସିଲଦାର ସୌମ୍ୟକାନ୍ତ ସୌମ୍ୟଦର୍ଶୀ ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରମୋଦ ସାହୁ ରଣପୁର ରାଜାଙ୍କ ଦରବାରର ଖ୍ୟାତନାମା ସଂଗୀତଜ୍ଞ ଲୋକନାଥ ସାହୁଙ୍କ ନାତି ତଥା ଆଦର୍ଶ ଶିକ୍ଷକ କୁଳମଣି ସାହୁଙ୍କ ପୁତ୍ର। ୧୯୫୬ ମସିହା ଏପ୍ରିଲ ୨୧ ତାରିଖରେ ବୋଲଗଡ଼ ବ୍ଲକ୍ ଦେଉଳି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଅର୍ଥନୀତିରେ ଏମ୍ଏ କରିବା ପରେ ସେ ବାରଙ୍ଗ କୁଂଜବିହାରୀ କଲେଜରେ ଅଧ୍ୟାପନା କରିଥିଲେ। ପରବର୍ତୀ ସମୟରେ ସେ ବ୍ୟାଂକ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଭାବେ ଯୋଗଦେଇଥିଲେ। ଉଭୟ ଓଡ଼ିଆ ଓ ଇଂଲିଶ ଭାଷାରେ ସେ ପ୍ରାଂଜଳ ଭାବେ ଲେଖିପାରୁଥିଲେ ଓ କହିପାରୁଥିଲେ। ତାଙ୍କର ଲେଖା ରିଡର୍ସ ଡାଇଜେଷ୍ଟ, ଭବନସ ଜର୍ନାଲ ଭଳି ପତ୍ରିକାରେ ପ୍ରକାଶ ପାଉଥିଲା। ଷ୍ଟ୍ରିକ୍ ଅଫ୍ ହାର୍ଟ୍, ବ୍ରେନ ବଡ୍, ଇଟରନାଲ ଫ୍ଲେମ୍, ରିଫୁଲଜେଂଟ ଡ୍ରିମ୍ ଆଦି ପୁସ୍ତକ ସେ ଲେଖିଥିଲେ। ନିକଟରେ ପୁରୀରେ ୱାର୍ଲଡ ପୋଏଟ୍ରି କନଫରେନ୍ସର ଆୟୋଜନ କରିଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ସର୍ଭ, ଯୁବ ଭାରତୀ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାରିଅର ଗାଇଡାନ୍ସ, ସାହିତ୍ୟ ଅନୁଷ୍ଠାନ ବ୍ରେନ୍ ବଡ୍ ଆଦି ବିଭିନ୍ନ ଅନୁଷ୍ଠାନ ସେ ପ୍ରତିଷ୍ଠା କରିଥିଲେ। ଖୋର୍ଦ୍ଧା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି, ଜଟଣୀ ପୁସ୍ତକମେଳାର ମୁଖ୍ୟ ପୃଷ୍ଠପୋଷକ, ଗଡ଼ବାଣୀକିଲୋ ଉଚ୍ଚବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ବାଣୀପ୍ରଭାର ମୁଖ୍ୟ ସଂପାଦକ ଭଳି ବହୁମୁଖୀ ସମାଜମଂଗଳ କାର୍ଯ୍ୟରେ ସେ ଲିପ୍ତ ଥିଲେ। ନିଜ ଗାଁ ଦେଉଳିରେ ସେ ରାଧା ଦାମୋଦର ମନ୍ଦିର ପ୍ରତିଷ୍ଠା କରିଥିଲେ।