ଦିବ୍ୟାଙ୍ଗ ଶିକ୍ଷକଙ୍କୁ ସାମାଜିକ ବାସନ୍ଦ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ପ୍ରଥା ଗୁରୁତର ବ୍ୟାଧିର ରୂପ ନେଇଛି। ପ୍ରତିଦିନ ‌ବିଭିନ୍ନ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିବା ବେ‌ଳେ ଜରିମାନା, ଧମକ, ଗାଁ ଛାଡ଼ିବା ଓ ହିଂସା ବି ଘଟୁଛି। ଫଳରେ ଜିଲ୍ଲା ପୁଲିସ ପାଇଁ ଏହା ବର୍ତ୍ତମାନ ମୁଣ୍ଡବ୍ୟଥା ପାଲଟିଛି। ଗାଁ କମିଟି କିମ୍ବା କୁଳ ସମାଜ ଦ୍ବାରା ବାସନ୍ଦ ହୋଇ ନିର୍ଯାତିତ ଗ୍ରାମବାସୀ ନ୍ୟାୟ ପାଇବା ଆଶାରେ ପୁଲିସ ପଦାଧିକାରୀଙ୍କ ଦ୍ବାରସ୍ଥ ହେଉଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନି।।

ବିଶେଷକରି ଗଞ୍ଜାମ ବ୍ଲକ୍ ତଥା ଗଞ୍ଜାମ ଏବଂ ରମ୍ଭା ଥାନା ଇଲାକାରୁ ଏଭଳି ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଫଳରେ ଏହାର ମୂଳୋତ୍ପାଟନ ପାଇଁ ଉଭୟ ଥାନା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିବା ସହ ଗତ କିଛି ଦିନ ମଧ୍ୟରେ ୩୧ଟି ବାସନ୍ଦ ପରିବାରକୁ ଗ୍ରାମରେ ସାମିଲ କରାଯାଇଛି। ତଥାପି କୌଣସି ସୁଫଳ ମିଳୁନି। ଏଭଳି ପରିସ୍ଥିତିରେ ରମ୍ଭା ଥାନା ଇଲାକାର ଜଣେ ଦିବ୍ୟାଙ୍ଗ ତଥା ସହକାରୀ ଶିକ୍ଷକଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଭଳି ସଂଗିନ୍ ଅଭିଯୋଗ ସାମ୍ନାକୁ ଆସିଛି। ଶିକ୍ଷକଜଣକ ହେଲେ, ରମ୍ଭା ଥାନା ଅଧୀନ ତାରିଣୀପଲ୍ଲୀ ଗ୍ରାମର ରବୀନ୍ଦ୍ର କୁମାର ସେଠୀ।

ବାସନ୍ଦ ହେବା ପରେ ରବୀନ୍ଦ୍ର ନ୍ୟାୟ ପାଇଁ ଗଞ୍ଜାମ ଏସ୍‌.ପି.ଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅତିରିକ୍ତ ଏସ୍‌.ପି. ପି‌କେ.ଦଳେଇଙ୍କୁ ଏସ୍‌.ପି.ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ବଡ଼ଚକଡ଼ା ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ରବୀନ୍ଦ୍ରଙ୍କ ଅଭିଯୋଗ ଅନୁସା‌ରେ ଗ୍ରାମର ସଭାପତି ତାଙ୍କ ଘର ଆଗରେ ବାଲି ଜମା କରି ରଖିଥିଲେ। ବାଲି ରଖିବା ପରେ ତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ସେ ଦିବ୍ୟାଙ୍ଗ ହୋଇଥିବାରୁ ଘରୁ ଠିକ୍ ଭାବେ ବାହାରି ପାରୁ ନଥିଲେ। ବାଲି ଗଦା ନକରିବା ପାଇଁ ସଭାପତିଙ୍କୁ କହିବା ସତ୍ତ୍ବେ ସେ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ଏଥିପାଇଁ ସେ ବାଧ୍ୟ ହୋଇ ଗଞ୍ଜାମ ବିଡିଓ ଓ ରମ୍ଭା ଥାନାଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ଜାଣିବା ପରେ ଗତ ମାର୍ଚ୍ଚ ୬ ତାରିଖରେ ଗାଁରେ ଏକ ବୈଠକ ଡକାଯାଇ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ଏପରିକି ସେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଆକ୍ଷେପ କରାଯାଇଥିଲା। ‘ଗାଁର କଥା ବିଡିଓ ଓ ପୁଲିସକୁ ଜଣାଇ ଭୁଲ୍ କରିଛୁ ବୋଲି କହି ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା ବୋଲି ରବୀନ୍ଦ୍ର କହିଛନ୍ତି।
ବାସନ୍ଦ ହେବା ପରେ ଗ୍ରାମର କୌଣସି ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଉପରେ ତାଙ୍କ ପରିବାର ଉପରେ ଅଙ୍କୁଶ ଲଗାଯାଇଛି। ଏପିରକି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରାଯାଇଛି। ରମ୍ଭା ପୁଲିସ ଗ୍ରାମରେ ପହଞ୍ଚି ବୁଝାସୁଝା କରିଥିଲେ ବି କୌଣସି ସୁଫଳ ନମିଳିବାରୁ ସେ ନ୍ୟାୟ ପାଇଁ ଗଞ୍ଜାମ ଏସ୍‌.ପି.ଙ୍କ ଦ୍ବାରସ୍ଥ ହୋଇଥିବା ରବୀନ୍ଦ୍ର କହିଛନ୍ତି।

ଅତିରିକ୍ତ ଏସ୍‌.ପି ପିକେ.ଦଳାଇ କହିଛନ୍ତି ଯେ, ରବୀନ୍ଦ୍ରଙ୍କୁ ବାସନ୍ଦ କରାଯାଇନି କି, ଜରିମାନା ମଗାଯାଇନି। କିନ୍ତୁ ଅଭିଯୋଗର ତଦନ୍ତ ‌ହେବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ସମ୍ବନ୍ଧିତ ଖବର