ଖଣି ଅଞ୍ଚଳରେ ରହୁନି ସାମାଜିକ ଦୂରତା

ଆନନ୍ଦପୁର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ୫ ତାରିଖରୁ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଛୋଟବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ଝୁଲୁଛି। କ୍ଷୁଦ୍ର ବ୍ୟବସାୟୀମାନେ ଜୀବିକା ହରାଇ ମୁଣ୍ଡରେ ହାତଦେଇ ବସିଥିବାବେଳେ ଅନେକ ବଡ଼ବଡ଼ ବ୍ୟବସାୟୀ ମଧ୍ୟ ନିଜ ଅସହାୟତା ପ୍ରକାଶ କଲେଣି। ତାଲାବନ୍ଦ କରି ସରକାର କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ଚାହୁଁଥିବାବେଳେ କେନ୍ଦୁଝର ଜିଲ୍ଲାରେ ଟ୍ରକ୍‌ ଯୋଗେ ଲୁହାପଥର ପରିବହନ ସମସ୍ୟା ସୃଷ୍ଟି କରିଛି। ଖଣି ଅଞ୍ଚଳରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉ ନଥିବାରୁ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି।

କେନ୍ଦୁଝର ଜିଲ୍ଲାରେ ରାଜ୍ୟ ତଥା ରାଜ୍ୟ ବାହାରର ୧୦ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍‌ ଲୁହାପଥର ପରିବହନ ପାଇଁ ନିୟୋଜିତ ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ଖଣିଖାଦାନରୁ ପ୍ରତିଦିନ ହଜାର ହଜାର ଟ୍ରକ୍‌ ୨୦ ନମ୍ବର ଜାତୀୟ ରାଜପଥ ଦେଇ ପାରାଦୀପ, ଗୋପାଳପୁର ସମେତ ବିଭିନ୍ନ ଶିଳ୍ପସଂସ୍ଥାକୁ ଲୁହାପଥର ପରିବହନ କରୁଛନ୍ତି। ଲୋଡିଂ ପଏଣ୍ଟରେ ଟୋକନ୍ ପାଇଁ ପ୍ରତିଦିନ ସକାଳ ସମୟରେ ଅସମ୍ଭବ ଭିଡ଼ ହେଉଛି। ଟ୍ରକ୍‌ ଡ୍ରାଇଭର, ହେଲପରଙ୍କ ସହ ମାଲିକଙ୍କ ଉପସ୍ଥିତି ଯୋଗୁଁ ଏଠାରେ ସାମାଜିକ ଦୂରତା ରହୁ ନଥିବା ଅଭିଯୋଗ ହେଉଛି। ସେହିପରି ଅଧିକାଂଶଙ୍କ ମୁହଁରେ ମାସ୍କ ରହୁନି। ପୁଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନଥିବାରୁ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି।

ସେହିପରି ରାସ୍ତାଘାଟରେ ମଧ୍ୟ ମାଳମାଳ ଟ୍ରକ୍‌ ଧାଡ଼ିବନ୍ଧି ଠିଆ ହେଉଛନ୍ତି। ହାଣ୍ଡିଆ ହାଟରେ ଡ୍ରାଇଭର ଓ ହେଲପରଙ୍କ ଭିଡ଼ ଜମୁଛି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍ ସତ୍ତ୍ବେ ଗାଡ଼ି ମାଲିକମାନେ ନିିଜ ଗାଡ଼ିକୁ ଅପେକ୍ଷା କରିବା ଆଳରେ ରାସ୍ତାକଡ଼ରେ ଭିଡ଼ ଜମାଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର