ପାଳନ ହେଉନି ସାମାଜିକ ଦୂରତା: ମାଛ ବଜାର, ବହି ଦୋକାନରେ ଠେଲପେଲା

ରାଉରକେଲା: ମହାମାରୀ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ପାଳନକୁ ପ୍ରାଥମିକତା ଦିଆଯାଉଛି। ସ୍ମାର୍ଟ ସିଟି ରାଉରକେଲାରେ ଏହି ନିୟମର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବୁଧବାର, ଶୁକ୍ରବାର, ରବିବାର ମାଛ, ପରିବାର ବଜାରରେ ନହିଁ ନଥିବା ଭିଡ ହେଉଛି। ଲୋକମାନେ ସାମାଜିକ ଦୂରତା ମାନୁ ନାହାନ୍ତି। ଅଧିକାଂଶ ଲୋକ ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି। ଆଜି ସହରର ହୋ‌ଲ୍‌ସେଲ୍‌ ମାଛ ଓ ପରିବା ବଜାରରେ ଅସମ୍ଭବ ଭିଡ ହୋଇଥିଲା। ନିୟନ୍ତ୍ରଣ କରିବାକୁ ନା ଥିଲେ ପୁଲିସ ଓ ଆର୍‌ଏମ୍‌ସିର କୌଣସି କର୍ମଚାରୀ। ଭିଡ ନିୟନ୍ତ୍ରଣ ପାଇଁ ଗଠନ ହୋଇଥିବା ଲକ୍‌ଡାଉନ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ର କାହାରିକୁ ଆଉ ଦେଖିବାକୁ ମିଳୁ ନାହିଁ। ଏଥିପାଇଁ ମାଛ, ପରିବା ନେବାକୁ ଲୋକଙ୍କ ମଧ୍ୟରେ ଲାଗିଥିଲା ‌ଠେଲାପେଲା। ଦୋକାନୀମାନେ ବେପାର ନିଶାରେ ସେମାନଙ୍କୁ ବାରଣ କରୁ ନାହାନ୍ତି।‌ କେବଳ ହୋଲ୍‌ସେଲ୍‌ ମାର୍କେଟ ନୁହେଁ ସହରର ଛେଣ୍ଡ କଲୋନି, ଟ୍ରାଫିକ୍‌ ଗେଟ୍‌, ଡିଏଭି ମାଛ ମାର୍କେଟ, ସେକ୍ଟର-୧୯ ଇସ୍ପାତ ମାଛ ମାର୍କେଟ, ମୁଣ୍ଡା ମାର୍କେଟ ମାଛ ବଜାର ସବୁଠି ସେହି ସମାନ ଚିତ୍ର ଦେଖିବାକୁ ମିଳି ଥିଲା। ସେହିପରି ଲକ୍‌ଡାଉନ୍‌ର ସୁ‌ଯୋଗ ନେଇ କିଛି ଖୁଚୁରା ଦୋକାନୀ ଗ୍ରାହକଙ୍କୁ ମନଇଚ୍ଛା ଲୁଟୁଛନ୍ତି। ହୋଲ୍‌ସେଲ୍‌ ମାର୍କେଟରେ ରୋହି, ଭାକୁଡ କେଜି ପ୍ରତି ୧୨୦ରୁ ୧୪୦ ଟଙ୍କା ପର୍ଯ୍ୟନ୍ତ ରହିଥିଲାବେଳେ କେତେକ ଖୁଚୁରା ଦୋକାନରେ ୨୦୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଚିଙ୍ଗୁଡି କେଜି ୩୦୦ରୁ ୩୫୦ ଟଙ୍କା ଥିଲାବେଳେ ୧୦୦ ଟଙ୍କା ଅଧିକ ଦରରେ ଅର୍ଥାଥ୍‌ ୪୦୦ରୁ ୪୫୦ ଟଙ୍କାରେ ବିକ୍ରି କରୁଛନ୍ତି। ମୀରକାଳି ହୋଲ୍‌ସେଲ୍‌ରେ କେଜି ପ୍ରତି ୧୬୦ ଥିଲାବେଳେ ଖୁଚୁରା ବଜାରରେ ୨୨୦ ଟଙ୍କା ବିକ୍ରି କରୁଛନ୍ତି।

କାତଲା ୧୬୦ ଟଙ୍କା ଥିଲାବେଳେ ବିକ୍ରି ହେଉଛି ୨୫୦ ଟଙ୍କାରେ। କେତେକ ମାଛ ମାର୍କେଟ ଗ୍ରାହକଙ୍କୁ ଏପରି ଲୁଟୁଥିଲେ ହେଁ ଜିଲ୍ଲା ପ୍ରଶାସନର ନଜର ପଡୁ ନାହିଁ। ସେପଟେ ସରକାର ବାହାରକୁ ଆସିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ହେଲେ ଅଧିକାଂଶ ଲୋକ ବିନା ମାସ୍କରେ ମାର୍କେଟକୁ ଆସିଥିଲେ। ସର୍ବସାଧାରଣ ଜାଗାରେ ଛେପ, ଖଙ୍କାର ପକାଇଲେ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା। ଏହି ନିୟମକୁ ମଧ୍ୟ ସାଧାରଣ ଲୋକ ଫୁଃ କରି ଉଡାଇ ଦେଇଛନ୍ତି। କେବଳ ମାଛ, ପରିବା ବଜାର ନୁହେଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶପରେ ଖୋଲିଥିବା ବହି ଦୋକାନରେ ମଧ୍ୟ ସମାନ ଭିଡ ଦେଖିବାକୁ ମିଳୁଛି। ଦୋକାନୀମାନଙ୍କୁ ସାମାଜିକ ଦୂରତା ନିୟମକୁ ପାଳନ କରିବ। ନ ହେଲେ ଅପରାଧିକ କାର୍ଯ୍ୟାନୁଷ୍ଠାନ ସହ ଦୋକାନ୍‌ ସିଲ୍‌ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ସହରର କେତେକ ପ୍ରମୁଖ ବହି ଦୋକାନୀ ରୋଜଗାର ନିଶାରେ ସାମାଜିକ ଦୂରତାକୁ ଆଦୌ ଧ୍ୟାନ ଦେଉ ନାହାନ୍ତି। ଗତ ଦୁଇ ଦିନ ତଳେ ଉଦିତନଗର ଏକ ବହି ଦୋକାନରେ ବହି ‌ଦେବାକୁ ଅଭିଭାବକଙ୍କ ଠେଲାପେଲା ହୋଇଥିଲା। ସ୍ଥାନୀୟ ପୁଲିସ ପହଞ୍ଚି ଦୋକାନୀଙ୍କୁ ଦାଗିଦ୍‌ କରିବା ପରେ ଅଭିଭାବକମାନେ ସାମାଜିକ ଦୂରତା ନିୟମ ପାଳନ କରିଥିଲେ। କେବଳ ଉଦିତନଗର ନୁହେଁ ଇସ୍ପାତ ସହରାଞ୍ଚଳ, କୋଏଲନଗର ମଧ୍ୟ ଏଭଳି ଭିଡ ହେଉଛି। କେବଳ ଏତିକି ନୁହେଁ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ବହି ଦୋକାନ ଖୋଲିବାକୁ ନିୟମ ରହିଛି। ବାସନ୍ତି କଲୋନିରେ ମଧ୍ୟ ବହି ଖାତା ଦୋକାନୀ ରାତିରେ ଦୋକାନ ଖୋଲି ବହି ଖାତା ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର