କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ସାମାଜିକ ଦୂରତ୍ବ ରକ୍ଷା ପାଇଁ ନିର୍ଦ୍ଦେଶ

ଜବତ ଗାଡ଼ି ଓ ଜରିମାନା ସଂକ୍ରାନ୍ତରେ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କର
ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଓ ଦୁର୍ନୀତିକୁ ବନ୍ଦ କରିବାକୁ ଗୁରୁତ୍ବ
ଲକଡାଉନ୍ ଅବଧି ବଢିବା ପରେ ଡିଜିପିଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର : କାର୍ଯ୍ୟରତ ପୁଲିସ କର୍ମଚାରୀମାନେ କିପରି ସାମାଜିକ ଦୂରତ୍ବ ରକ୍ଷା କରିବେ, କିପରି ଅଭିଯୋଗକାରୀ ଓ ଲୋକଙ୍କ ସଂସ୍ପର୍ଶରେ ନ ଆସିବା ଲାଗି ଯଥା ସମ୍ଭବ ଦୂରତ୍ବ ରଖିବେ, କିପରି ଏ ସବୁ ପାଳନ କରିବା ସହ ନିଜ ଦାୟିତ୍ବ ତୁଲାଇବେ ସେ ସମ୍ପର୍କରେ ସବୁ ଜିଲ୍ଲା ଏସପି, ରେଞ୍ଜ ଡିଆଇଜି ଓ ଆଇଜିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ପୁଲିସ ଡିଜି ଅଭୟ। ରାଜଧାନୀ ଭୁବନେଶ୍ବରରେ ପିସିଆର ଭ୍ୟାନ୍ କର୍ମଚାରୀ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଡ୍ୟୁଟି ବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି। କରୋନା ମୁକାବିଲା ଲାଗି ସାମାଜିକ ଦୂରତ୍ବ ଏକମାତ୍ର ବାଟ ହୋଇଥିବା ବେଳେ ଲକଡାଉନ୍ ଅବଧିକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି ରାଜ୍ୟ ସରକାର। ଲକଡାଉନ୍ ଅବଧି ବଢିବା ପରେ ଭିଡିଓ କନଫରେନ୍ସିଂ ଜରିଆରେଏସପି, ରେଞ୍ଜ ଡିଆଇଜି ଓ ଆଇଜି ମାନଙ୍କ ସହ ଡିଜି ଆଲୋଚନା କରିଛନ୍ତି। ଜବତ ଗାଡ଼ି ଓ ଜରିମାନା ସଂକ୍ରାନ୍ତରେ ହାଇକୋର୍ଟ ଦେଇଥିବା ଆଦେଶ ସଂକ୍ରାନ୍ତରେ ଅନ୍ୟ ଅଧିକାରୀଙ୍କ ସହ ବିଚାରବିମର୍ଷ କରିଛନ୍ତି। ଏହି ସମୟ ଭିତରେ ପୁଲିସର କାର୍ଯ୍ୟପନ୍ଥା କ’ଣ ରହିବ, ଅତ୍ୟାବଶ୍ୟକ ମାଲ ପରିବହନ ଗାଡ଼ିର ମୁକ୍ତ ଚଳପ୍ରଚଳ, କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ବିଶ୍ରାମ ଓ ବଦଳ ଡ୍ୟୁଟି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅଧସ୍ତନ କର୍ମଚାରୀଙ୍କ ଦୁର୍ବବ୍ୟବହାର ଓ ଦୁର୍ନୀତିକୁ ବନ୍ଦ କରିବା ପାଇଁ ଡିଜିପି କଡ଼ା ନିର୍ଦ୍ଦେଶ ଦେଇଥିଲେ। କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶିକ୍ଷଣ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୁଲିସର ଭୂମିକା କ’ଣ ରହିବ ସେ ନେଇ ଡିଜିପି ବୁଝାଇଥିଲେ। ଏହି ସମୀକ୍ଷା ବୈଠକରେ ସ୍ବତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି, ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆର.କେ ଶର୍ମା, ଆଇଜି ରେଖା ଲୋହାନୀ ଓ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଡିଆଇଜି ଯତୀନ୍ଦ୍ର କୋୟଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର