ତାଲାବନ୍ଦ ପରେ ମଧ୍ୟ ସାମାଜିକ ଦୂରତା ନିୟମ ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ନିୟମ ଉଲଂଘନକାରୀଙ୍କ ଦୋକାନ ବନ୍ଦ କରାଯିବ

ଭୁବନେଶ୍ୱର: ଆଜି ରାତି ୮ଟା ପରେ ସଟ୍‌ଡାଉନ୍ ସମୟ ଶେଷ ହୋଇଯିବ । ଏହା ପରେ ମଧ୍ୟ ଲକଡାଉନ ଜାରି ରହିବ । କିନ୍ତୁ ଆଜି କୌଣସି ଦୋକାନ ଖୋଲାଯିବ ନାହିଁ । କାଲିଠାରୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦୋକାନଗୁଡ଼ିକ ଖୋଲିବ ବୋଲି ଭୁବନେଶ୍ୱର ମହାନଗର କମିସନର ଓ କମିସନରେଟ ପୁଲିସ ପକ୍ଷରୁ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ସମସ୍ତେ ଶୃଙ୍ଖଳିତ ଭାବେ ଦୋକାନରୁ ଜିନିଷ ପତ୍ର କିଣନ୍ତୁ ବୋଲି କୁହାଯାଇଛି । ଭିଡ ଲଗାନ୍ତୁ ନାହିଁ । ସାମାଜିକ ଦୂରତ୍ୱକୁ ରକ୍ଷା କରନ୍ତ ।

ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସଟଡାଉନ ହେଉ କି ଲକଡାଉନ ହେଉ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ଦୋକାନୀମାନେ ପ୍ରତି ୫ ଫୁଟ ବ୍ୟବଧାନରେ ଗୋଲ ବୁଲାଇବେ । ଦୋକାନୀ ନିଜର ଜଣେ ବ୍ୟକ୍ତିଙ୍କୁ ଦୋକାନ ସାମ୍ନାରେ ରଖିବେ । ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି କାମ କରିବାକୁ ହେବ । ଯଦି ଦୋକାନୀମାନେ ଏହି ନିୟମକୁ ଅନୁସରଣ ନ କରିବେ ତାହେଲେ ଦୋକାନର ଲାଇସେନ୍ସ ବାତିଲ କରିଦିଆଯିବ । ଏଥି ସହିତ ଉଲଂଘନକାରୀ ଦୋକାନୀଙ୍କୁ ଗିରଫ ମଧ୍ୟ କରାଯିବ ବୋଲି ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ଏକ ଯୁଗ୍ମ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦେଇଛନ୍ତି । ତେଣୁ ସେମାନେ ଦୋକାନ ସାମ୍ନାରେ ଗ୍ରାହକଙ୍କ ପାଇଁ ଚିହ୍ନ ଦିଅନ୍ତୁ । କାଲିଠୁ ଯେଉଁ ଦୋକାନୀ ନିୟମ ଭାଙ୍ଗିବେ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସାମାଜିକ ଦୂରତା ନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସାମାଜିକ ଦୂରତା ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ । ଦୋକାନରେ ସାମାଜିକ ଦୂରତା କିପରି ରହିବ ଦୋକାନୀଙ୍କ ଦାୟିତ୍ୱ ।

କରୋନା ଭାଇରସ ସଂକ୍ରମଣ ଗୋଟିଏ କି ଦୁଇ ଦିନର ନୁହେଁ । ଏହା ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ନୁହେଁ, ଯେତେ ଦିନ ପର୍ଯ୍ୟନ୍ତ କରୋନାକୁ ଆମେ ବିଜୟୀ ନ ହୋଇଛୁ ସେତେଦିନ ପର୍ଯ୍ୟନ୍ତ ଏହି ନିୟମ ମାନିବାକୁ ପଡ଼ିବ । ତେଣୁ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଅନ୍ତୁ । ସମସ୍ତେ ସହଯୋଗ କରନ୍ତୁ । ବର୍ତ୍ତମାନ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ହେଉଛି ସବୁଠାରୁ ବଡ଼ କାମ ।

ସମ୍ବନ୍ଧିତ ଖବର