ସାମାଜିକ ଦୂରତାକୁ ନେଇ ମୟୂରଭଞ୍ଜ ଜିଲ୍ଲାପ୍ରଶାସନର କଡ଼ା ଆଭିମୁଖ୍ୟ : ସର୍ବନିମ୍ନ ୨ମିଟର ବ୍ୟବଧାନ ନରଖିଲେ କାର୍ଯ୍ୟାନୁଷ୍ଠାନ

ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ କଡ଼ା ନିର୍ଦ୍ଦେଶ, ଖୁବଶୀଘ୍ର ଲାଗୁହୋଇପାରେ କିଣାକିଣି ପାଇଁ ନିର୍ଦ୍ଦିଷ୍ଟ ସମୟସୀମା

ବାରିପଦା : ମୟୂରଭଞ୍ଜରେ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। କରୋନାକୁ ସଫଳତାର ସହିତ ପ୍ରତିହତ କରିବାକୁ ହେଲେ ସାମାଜିକ ଦୂରତା ହିଁ ଏକମାତ୍ର ଉପାୟ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି। ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଆଦେଶନାମାରେ କୌଣସି ଦୋକାନୀ ବା ବ୍ୟବସାୟୀ ତାଙ୍କ ନିକଟକୁ ଆସୁଥିବା ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ସର୍ବନିମ୍ନ ୨ ମିଟର ରକ୍ଷା କରିବାରେ ବିଫଳ ହେଲେ ଉକ୍ତ ଦୋକାନକୁ ତୁରନ୍ତ ବନ୍ଦ କରି ଦିଆଯିବାର ଉଲ୍ଲେଖ ରହିଛି । ଏଥି ସହିତ ଦୋକାନ ମାଲିକଙ୍କ ନାମରେ ଥାନାରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଦର୍ଶାଯାଇଛି ।

ଜିଲ୍ଲାରେ ଲକ୍‌ଡାଉନ ସମୟରେ ଖୋଲାରହୁଥିବା ଜରୁରୀ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ଗ୍ରାହକମାନଙ୍କ ପାଇଁ ସାନିଟାଇଜର ସହିତ ହାତ ଧୋଇବା ନିମନ୍ତେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବଜାରକୁ ଆସୁଥିବା ଲୋକମାନେ ସାମାଜିକ ଦୂରତାକୁ ଅଣଦେଖା କରୁଥିବା ନଜରକୁ ଆସିବା ପରେ ଜିଲ୍ଲାପାଳ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଏକ ସପ୍ତାହ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ଜିଲ୍ଲାବାସୀ ଘରେ ରହିବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଅଯଥା ଗହଳିକୁ ଏଡ଼ାଇବା ପାଇଁ ଜିଲ୍ଲାରେ କିଣାକିଣି ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଲାଗୁ କରିବା ପାଇଁ ପ୍ରଶାସନ ବିଚାର କରୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଶ୍ରୀ ଭରଦ୍ବାଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର