ଜିଲ୍ଲାରେ ବଢ଼ୁଛି ଅସାମାଜିକଙ୍କ ଉତ୍ପାତ: କରୋନା ଯୋଦ୍ଧା ହେଉଛନ୍ତି ଆକ୍ରମଣର ଶିକାର, ପୁଲିସ୍‌ ନିଷ୍କ୍ରିୟ

ସମ୍ବଲପୁର: ‌ସମ୍ବଲପୁର ଜିଲ୍ଲାରେ ଆଇନ୍‌ ଶୃଂଖଳା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ବେଧଡ଼କ ହୋଇ ଉତ୍ପାତ କରିବା ଆରମ୍ଭ କରିଥିବାବେଳେ ପୁଲିସ୍‌ର ଢିଲାପଣ ଯୋଗୁଁ ସାଧାରଣରେ ଭୟ ସଂଚାର କରୁଛି। କିଛି ଦିନ ମଧ୍ୟରେ ତିନି ତିନିଟି ଅପହରଣ, ବ୍ୟବସାୟୀଙ୍କୁ ଆକ୍ରମଣ, କିଛି ଦିନ ଅନ୍ତରାଳରେ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ୍ କରିଥିବା ଆଉ ଜଣେ ବ୍ୟବସାୟୀଙ୍କୁ ପୁଣି ଆକ୍ରମଣ, ଏକାଧିକ ଭୁଜାଲି ମାଡ଼, ଏକାଧିକ ଚୋରି ଓ ହତ୍ୟା ଆଦି ଘଟଣା ଗ୍ରାମରୁ ସହର ସବୁ ଆଡ଼େ ଅପରାଧୀଙ୍କ ଆତଙ୍କରାଜକୁ ସୂଚନାଉଛି। ଏବେ ଲଗାମଛଡ଼ା ଅପରାଧୀମାନେ କରୋନାଯୋଦ୍ଧାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ସୋମବାର ତଅଁଲାପଡ଼ାକୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କୁ ଆଣିବାକୁ ଯାଇଥିବା ସ୍ବାସ୍ଥ୍ୟ ଟିମ୍‌କୁ ଜଣେ ମଦ୍ୟପ ଯୁବକ ଯେଭଳି ଖୋଲାଖୋଲି ଅସଭ୍ୟ ଗାଳିଗୁଲଜ ଓ ଦୁର୍ବ୍ୟବହାର କରୁଛି ତଥା ମାଡ଼ ମାରିବାର ଧମକ ଦେଇ ମୁହଁ ପାଖକୁ ହାତ ନେଉଛ ତା’ର ଭିଡିଓ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଅପରପ‌େକ୍ଷ ଜମନକିରାରେ ଜଣେ ସାମ୍ବାଦିକ ଓ ତାଙ୍କ ଭାଇଙ୍କୁ ଅକାରଣରେ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା, ଅସଭ୍ୟ ଗାଳି ଗୁଲଜ କରିବା ୨ ଜଣ ମଦ୍ୟପ ଅପରାଧୀଙ୍କୁ ପୁଲିସ୍‌ ଘଟଣା ସ୍ଥଳରୁ ଧରିଥିଲେ ବି ସେମାନଙ୍କ ବିରୋଧରେ କୋହଳ ଦଫା ଲଗାଇ ଛାଡ଼ି ଦେଇଛି। ଓଲଟି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଉକ୍ତ ୨ ଯୁବକଙ୍କ ଅଭିଯୋଗ ଆଧାରରେ ବିନା ତଦନ୍ତରେ ଜମନକିରା ପୁଲିସ୍‌ ସାମ୍ବାଦିକ ଓ ତାଙ୍କ ଭାଇଙ୍କ ନାମରେ ପାଲଟା ଏତଲା ଦାଏର କରିଛି।

ଘଟଣାରୁ ପ୍ରକାଶ‌ ଯେ ଏକ ପ୍ରତିଷ୍ଠିତ ଖବର କାଗଜରେ ସହସଂପାଦକ ଥିବା ଦେବେନ ପଟେଲ ଓ ତାଙ୍କ ବଡ଼ ଭାଇ ପ୍ରକାଶ ପଟେଲ ସୋମବାର ସଂଧ୍ୟାରେ ଜମନକିରା ଦେଇ ମୋଟର ସାଇକଲ୍‌ରେ ଯାଉଥିବା ବେଳେ ଆଶିଷ ଦାସ ଏବଂ ଅମରେଶ ପଟ୍ଟନାୟକ ଓରଫ ସିପୁନ୍ ନାମକ ଦୁଇ ଜଣ ଯୁବକ ଏକ ବଲେରୋରେ ଯାଇ ସେମାନଙ୍କୁ ରାସ୍ତା ଉପରେ ଅଟକାଇଥିଲେ। ଏହାପରେ ସାଇଡ୍ କାହିଁକି ଦେଉ ନାହଁ କହି ଗାଳିଗୁଲଜ କରି ଆକ୍ରମଣ ଆରମ୍ଭ କରିଥି‌ଲେ। କୌଣସି ମତେ ପଟେଲ ଭାତା ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍ ଆସି ପହଞ୍ଚିଥିଲା। ପୁଲିସ୍ ଓ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଥାନାକୁ ନେଇଥିଲେ। ସେଠାରେ ଦେବେନ୍‌ଙ୍କ ଅଭିଯୋଗ ଆଧାରରେ ଆଇପିସିର ଦଫା ୩୪୧, ୨୯୪, ୩୨୩, ୩୭୯, ୫୦୬, ୩୪ ଧାରାରେ ଆଶିଷ ଓ ଅମରେଶ ନାମରେ ମାମଲା ରୁଜୁ କରିଥିଲା। କିନ୍ତୁ ଏତଲାରେ ଥିବା ସତ୍ତ୍ବେ ମଦ୍ୟପାନ କରି ଗାଡ଼ି ଚଳାଇବା ମାମଲା ରୁଜୁ କରାଯାଇ ନାହିଁ। ୫୦୬ ଭଳି ସଂଗୀନ ଦଫା ଲାଗିଥିଲେ ବି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ ନକରି ପୁଲିସ୍‌ ଅଧା ରାତିରେ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଛାଡ଼ି ଦେଇଥିବା ଜଣା ପଡ଼ିଛି। ବୀମା କିମ୍ବା ପଲ୍ୟୁସନ୍ ପ୍ରମାଣପତ୍ର ନଥିଲେ ବି ଅପରାଧରେ ବ୍ୟବହୃତ ବଲେରୋକୁ ପୁଲିସ୍ ଜବତ କରି ନାହିଁ। ଉକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଜଣେ ସରକାରୀ ଅଧିକାରୀଙ୍କ ସମେତ ବିଭିନ୍ନ ଲୋକଙ୍କୁ ଆକ୍ରମଣ କରିବାର ମାମଲା ରହିଛି।

ଅପରପକ୍ଷରେ ତଅଁଲା ପଡ଼ାରେ ସ୍ବାସ୍ଥ୍ୟ ଟିମ୍‌କୁ ଦୁର୍ବ୍ୟବହାର କରିଥିବା ପଙ୍କଜ କୁମାର ଦାସ ନାମକ ଦୁର୍ବୃତ୍ତକୁ ମଙ୍ଗଳବାର ଟାଉନ୍‌ ପୁଲିସ୍‌ ଗିରଫ କରିଛି। କୋର୍ଟ ତା’ ଜାମିନ ଆବେଦନକୁ ଖାରଜ କରି ଜେଲ୍‌କୁ ପଠାଇ ଦେଇଛନ୍ତି। ତଅଁଲାପଡ଼ାର ଜଣେ କୋଭିଡ୍ ପଜିଟିଭ୍‌ ଚିହ୍ନଟ ହେବା ପରେ ଆଶା କର୍ମୀଙ୍କ ସହିତ ସ୍ବାସ୍ଥ୍ୟ ଟିମ୍ ତାଙ୍କୁ ଡାକ୍ତରଖାନା ନେବା ପାଇଁ ସୋମବାର ପଡ଼ାରେ ପହଞ୍ଚିଥିଲେ। ଉକ୍ତ ଆକ୍ରାନ୍ତଙ୍କର କୌଣସି ଆପତ୍ତି ନଥିବା ବେଳେ ପଡ଼ୋଶୀ ଯୁବକ ପଙ୍କଜ ତାଙ୍କୁ ନେବାକୁ ଦିଆଯିବ ନାହିଁ ବୋଲି କହି ପାଟିତୁଣ୍ଡ କରିଥିଲା। ଏପରିକି ତମେ ପଇସା ଖାଇବା ପାଇଁ ଏମାନଙ୍କୁ ନେଉଛ ବୋଲି କହିବା ସହ ଦୁର୍ବ୍ୟବହାର କରିଥିଲା।

ସମ୍ବନ୍ଧିତ ଖବର