ଝାରସୁଗୁଡ଼ା: ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଘର ଓ କମ୍ପାନି ସମେତ ବିଭିନ୍ନ ସ୍ଥାନରେ ଗତ ୫ ଦିନ ହେଲା ଆୟକର ଚଢ଼ଉ ଜାରି ରହିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ୩ ଥର ଆୟକର ବିଭାଗ ସ୍ବର୍ଗତ ଦାସଙ୍କ ପରିବାରର ବିଭିନ୍ନ ଠିକଣାରେ ଓ ସହଯୋଗୀଙ୍କ ଘରେ ଚଢ଼ଉ କଲାଣି। କିନ୍ତୁ ଏହି ପ୍ରସଙ୍ଗରେ ବିଜେଡି ନିରବ ରହିବାକୁ ନେଇ ସ୍ଥାନୀୟ କର୍ମୀ, ବିଶେଷ କରି ନବଙ୍କ ପରିବାର ଅନୁଗତମାନେ ସହଜରେ ଗ୍ରହଣ କରି ପାରିନାହାନ୍ତି। ନବଙ୍କ ପରିବାର ଅନୁଗତ ତଥା ଦୀପାଳି ଦାସଙ୍କ ସମର୍ଥକ ଓ କର୍ମୀ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଟିମ୍‌ ଦୀପାଳି ଦାସ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରତିଫଳିତ ହେବା ସହ ‘ବିଜେଡ଼ି ଛାଡ଼ିଦେବା କଥା’ ବୋଲି ମତପ୍ରକାଶ ପାଇଲାଣି। ଏ ନେଇ ଜିଲ୍ଲା ବିଜେଡି ସଭାପତି ହରୀଶ ଗଣତ୍ରାଙ୍କୁ ପଚାରିବାରେ, ଯେତେବେଳେ ଏକ ସରକାରୀ ପ୍ରକ୍ରିୟା ଜାରି ରହିଛି ସେ ସମୟରେ କୌଣସି ବିବୃତି ଦେବା ଠିକ୍‌ ନୁ‌ହେଁ; ସମୟ ଆସିଲେ ସେମାନେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି। ସେପଟେ ଦଳ ଛାଡ଼ିଦେବା ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି ସତ, କିନ୍ତୁ ଯେ ପର୍ଯ୍ୟନ୍ତ ନବଙ୍କ ପୁଅ ବିଶାଳ ଦାସ କିମ୍ବା ଝିଅ ଦୀପାଳି ଦାସ ନିଜେ ଘୋଷଣା ନ କରିଛନ୍ତି ତାକୁ ସତ ବୋଲି ଗ୍ରହଣ କରାଯିବନି ବୋଲି ଶ୍ରୀ ଗଣତ୍ରା କହିଛନ୍ତି।

Advertisment

ଦଳ ଉପରେ ଖପ୍ପା ନବ ପରିବାରର ଅନୁଗତ 

ଆୟକର ଚଢ଼ଉ ପରେ ଆଜି ଝାରସୁଗୁଡ଼ା ଜିଲ୍ଲା ପରିଷଦ ବିଜେଡି, ଝାରସୁଗୁଡ଼ା ମ୍ୟୁନିସିପାଲଟି ବିଜେଡି ଓ ଟିମ୍‌ ଦୀପାଳି ଦାସ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ କର୍ମୀ ସେଠାରେ ଲେଖିଛନ୍ତି ‘ଆମର ନେତା ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ବିଜେପି ସରକାର ଦ୍ବାରା ହଇରାଣ କରାଯାଉଛି। କିନ୍ତୁ ଦୁଃଖର ବିଷୟ ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତାମାନେ ଏ ବିଷୟରେ ବିରୋଧ ମଧ୍ୟ କରୁନାହାନ୍ତି। ଧନ୍ୟବାଦ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ଯେ ସେ ମିଡିଆରେ ଏହି ଘଟଣାକୁ ବିରୋଧ କରିବା ସହ ଅଗଣତାନ୍ତ୍ରିକ ବୋଲି କହିଲେ।’ ଏହି ପ୍ରସଙ୍ଗରେ ଉତ୍ତର ରଖି ଅନ୍ୟ ଜଣେ କର୍ମୀ ‘ବିଜେଡି ପାର୍ଟି ଛାଡ଼ିଦେବା କଥା’ ବୋଲି ମତବ୍ୟକ୍ତ କରିଛନ୍ତି। ଯାହାକୁ ଦଳୀୟ ନେତା ଓ କର୍ମୀମାନେ ‘ଥମ୍ବସ୍‌ ଅପ୍‌’ ଦେଇ ସ୍ବୀକାର ବି କରିଛନ୍ତି। ତେବେ ଏହା କେବଳ ଗୋଟିଏ ଚାଟ୍‌ର ଦୃଶ୍ୟ ହୋଇଥିବା ବେଳେ ବିଭିନ୍ନ ଗ୍ରୁପ୍‌ରେ ଆଜି ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର୍‌ ଧରିଛି। କେବଳ ସେତିକି ନୁହେଁ, ବିଶାଳ ଦାସ ଏବଂ ଦୀପାଳି ଦାସ କଂଗ୍ରେସ ଯାଉଥିବା ନେଇ ମଧ୍ୟ ବିଭିନ୍ନ ଗ୍ରୁପ୍‌ରେ ଚର୍ଚ୍ଚା ଚାଲିଛି। ଦିବଙ୍ଗତ ନବ ଦାସ ୨୦୧୯ ନିର୍ବ‌ାଚନ ପୂର୍ବରୁ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଥିଲେ। ଏପରିକି ସ୍ବର୍ଗତ ଦାସ କଂଗ୍ରେସ ଛାଡ଼ିଦେବା ପରେ ଦଳ ଦୁର୍ବଳ ହୋଇଯାଇଥିବା ୨୦୨୩ ଉପନିର୍ବାଚନ ସମୟରେ ଖୋଦ୍‌ କଂଗ୍ରେସର ବରିଷ୍ଠ ନେତାମାନେ ଗଣମାଧ୍ୟମ ସମ୍ମୁଖରେ ସ୍ବୀକାର କରିଥିଲେ।