ପ୍ରତିଷ୍ଠା ହେବ ସୋସିଆଲ ରେଜିଷ୍ଟ୍ରି ଓ ଏସ୍‌ପିଡିପି

ଭୁବନେଶ୍ବର: ଠିକ୍ ହିତାଧିକାରୀ ଚିହ୍ନଟ ଓ ଜଲ୍‌ଦି ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ରାଜ୍ୟରେ ସୋସିଆଲ ରେଜି‌ଷ୍ଟ୍ରି ଓ ଇଣ୍ଟିଗ୍ରେଟେଡ୍‌ ସାମାଜିକ ସୁରକ୍ଷା ବଣ୍ଟନ ଫ୍ଲାଟଫର୍ମ (ଏସ୍‌ପିଡିପି) ପ୍ରତିଷ୍ଠା ହେବାକୁ ଯାଉଛି। ରାଜ୍ୟର ବିଭିନ୍ନ ବିଭାଗରେ ରହିଥିବା ହିତାଧିକାରୀ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବେ। ଏଭଳି କାର୍ଯ୍ୟକ୍ରମ ପୂର୍ବରୁ ରାଜସ୍ଥାନ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ବେଶ ସଫଳ ହୋଇଛି। ତେଣୁ ଆଗାମୀ ଦିନରେ ଓଡ଼ିଶାରେ ଏଭଳି ଫ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଆଜି ହୋଟେଲ ନ୍ୟୁ ମାରିଅନ୍‌ରେ ଇଣ୍ଟିଗ୍ରେଟେଡ୍ ସୋସିଆଲ ପ୍ରୋଟେକସନ୍ ଡେଲିଭରି ଫ୍ଲାଟଫର୍ମ ନେଇ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ରାଜ୍ୟ ସରକାରଙ୍କ ‘୫ଟି’କୁ ନେଇ ଏସ୍‌ପିଡିପି ପର୍ଯ୍ୟବସିତ। ସୋସିଆଲ ରେଜିଷ୍ଟ୍ରିରେ ପ୍ରକୃତ ତଥ୍ୟ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯିବା ଜରୁରୀ ବୋଲି ସେ କହିଥିଲେ। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ଜାରି ରହିଛି। ବିଭିନ୍ନ ବିଭାଗ ଅଧୀନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଚାଲୁଛି। ତେଣୁ ସୋସିଆଲ ରେଜିଷ୍ଟ୍ରି ଜରିଆରେ ହିତାଧିକାରୀଙ୍କ ଚିହ୍ନଟ ସହିତ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆସିପାରିବ। ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକୁ ତ୍ବରାନ୍ବିତ କରିବାରେ ଖର୍ଚ କମିପାରିବ ବୋଲି ଶ୍ରୀ ମୀନା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବ୍ୟାଙ୍କର ପ୍ରତିନିଧି ଜନ୍ ବ୍ଲାକ୍ବେଂଷ୍ଟ, କେନ୍ଦ୍ରୀୟ ଡିବିଟି ମିସନ୍‌ର ଯୁଗ୍ମ ସଚିବ ସୌରଭ ତିୱାରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କୃଷି ଉତ୍ପାଦନ କମିସନର ଗଗନ ଧଳ, ଆଇଟି ବିଭାଗର ପ୍ରମୁଖ ସଚିବ ସି.ଜେ ବେଣୁଗୋପାଳ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଗତ ୩ବର୍ଷ ହେବ ହିତାଧିକାରୀଙ୍କୁ ସିଧାସଳଖ ଲାଭ ବିତରଣ ବା ଡିବିଟି କାର୍ଯ୍ୟକାରୀ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଏକ ସେଲ୍‌ ଗଠନ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମିଶାଇ ସମୁଦାୟ ୧୭ଟି ଯୋଜନା ଡିବିଟି ଜରିଆରେ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି। ଆଗାମୀ ଦିନରେ ଅଧିକ ଯୋଜନାକୁ ଏଥିରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର