କରୋନାରୁ ସୁସ୍ଥ ଯୁବକଙ୍କ ପରିବାରକୁ ସାମାଜିକ ବାସନ୍ଦ : ଗାଁ ଦୋକାନରୁ ସାମଗ୍ରୀ ମନା; ନଳକୂପରୁ ମିଳୁନି ପାଣି

ସାମାଜିକ ଗଣମାଧ୍ୟମରେ ବାସନ୍ଦ ପାଇଁ ପ୍ରଚାର

ଆଳି : କରୋନା ମହାମାରୀର ମୁକାବିଲା ପାଇଁ ପାରସ୍ପରିକ ସହଯୋଗ ଓ ରୋଗୀକୁ ଘୃଣା ନ କରିବାକୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରଚାର ଓ ସଚେତନତା କରାଯାଉଛି। ହେଲେ କରୋନାରୁ ସୁସ୍ଥ ହୋଇଥିବା ଜଣେ ଯୁବକଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯିବା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍‌ ଚଣ୍ଡିଆଗଡ଼ି ପଞ୍ଚାୟତର ବଇଦମାଳ ଗ୍ରାମର ଏହି ଘଟଣା ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଗ୍ରାମର ଜଣେ ୩୦ ବର୍ଷ ବୟସ୍କ ଯୁବକ ଦେବେନ୍ଦ୍ର ପଣ୍ଡା ବାଙ୍ଗଲୋରରୁ ଆସି ମାର୍ଶାଘାଇ ବ୍ଲକ୍‌ ମାଣତିରା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସଙ୍ଗରୋଧର ୧୨ ଦିନ ପରେ ତାଙ୍କର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏହା ପରେ ଦେବେନ୍ଦ୍ରଙ୍କୁ ସଙ୍ଗରୋଧରୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ନିମନ୍ତେ ଛତାସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୮ ଦିନ ଚିକିତ୍ସା ପରେ ଦେବେନ୍ଦ୍ର ସୁସ୍ଥ ହୋଇଥିଲେ। ତାଙ୍କୁ ଆରୋଗ୍ୟ ପ୍ରମାଣପତ୍ର ଦିଆଯାଇ ହୋମ୍ କ୍ବାରାଣ୍ଟିନରେ ରହିବାକୁ ପରାମର୍ଶ ଦିଆଯିବା ସହ ଘରକୁ ପଠାଇ ଦିଆଯାଇଥିଲା। ଗଲା ୫ ଦିନ ହେଲା ଦେବେନ୍ଦ୍ର ନିଜ ଘରେ ପହଞ୍ଚି ସଙ୍ଗରୋଧରେ ରହୁଥିବା ବେଳେ ପରିବାର ଲୋକଙ୍କୁ କିନ୍ତୁ ଗ୍ରାମରେ ସାମାଜିକ ବାସନ୍ଦ ଦଣ୍ଡ ଭୋଗିବାକୁ ପଡ଼ୁଛି। କେତେକ ପଡ଼ୋଶୀ ସେମାନଙ୍କୁ ବାସନ୍ଦ କରିଥିବା ଦେବେନ୍ଦ୍ରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଗାଁ ଦୋକାନରୁ ରାସନ ଓ ଅନ୍ୟ ସାମଗ୍ରୀ କିଣିବାକୁ ଗଲା ବେଳେ ସାମଗ୍ରୀ ଦିଆଯାଉ ନାହିଁ। ନଳକୂପରୁ ପିଇବା ପାଣି ବାରଣ କରାଯାଉଛି। ସେହି ଗ୍ରାମରେ ଥିବା ଦେବେନ୍ଦ୍ରଙ୍କ ମାମୁ ଘରକୁ ତାଙ୍କ ମା ଓ ପରିବାର ଲୋକଙ୍କୁ ଛଡ଼ା ଯାଉ ନ ଥିବା ବେଳେ ଦେବେନ୍ଦ୍ରଙ୍କୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ମା ହେମଲତା, ପତ୍ନୀ ମାନସୀ ଓ ବାପା ନରେନ୍ଦ୍ର। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପାନୀୟ ଜଳ ଓ ସାମାଜିକ ସମ୍ପର୍କରୁ ବଞ୍ଚିତ ପରିବାର ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବାବେଳେ ଏଥିପାଇଁ ଏବେ ଏକପ୍ରକାର ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣାର ଦଣ୍ଡ ଭୋଗୁଛନ୍ତି। ଏ ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ଘଟଣାର ଯାଞ୍ଚ କରାଯାଇ ଏଭଳି କାଣ୍ଡ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର।

ସମ୍ବନ୍ଧିତ ଖବର