ସମ୍ବଲପୁର: ‘ଆଦର୍ଶ ଶିଶୁମନ୍ଦିର ପରିଚାଳିତ ‘ସମର୍ଥ’ର ମାତ୍ର ଦୁଇଟି କୋଠରିରେ ସମୁଦାୟ ୩୦ (୧୬ ପୁରୁଷ, ୧୪ ମହିଳା) ଅନ୍ତେବାସୀ ରହୁଛନ୍ତି। କୋଠରିର ସ୍ଥିତି ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଏବଂ ବାହାରେ ସର୍ବଦା ତାଲା ଝୁଲୁଥାଏ। ଅନ୍ତେବାସୀଙ୍କ ପାଇଁ ଶଯ୍ୟା ନ ଥିବାରୁ ସେମାନେ ତଳେ ଶୋଉଛନ୍ତି। ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଏହି ସଂସ୍ଥା ପରିଚାଳିତ ହେଉନାହିଁ। ତେଣୁ ଏହି ହାଫ୍‌ୱେ ହୋମ୍‌ (ସମର୍ଥ କେନ୍ଦ୍ର)କୁ ବଇଜାମୁଣ୍ଡାସ୍ଥିତ ସରକାରୀ ସମନ୍ବିତ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କରାଯାଉ ଏବଂ ଏହାର ପରିଚାଳନା ଦାୟିତ୍ବ ଆଉ ଏକ ସଂସ୍ଥାକୁ ଦିଆଯାଉ।’ ୨୦୨୪ ମସିହା ଅଗଷ୍ଟ ୧୪ ତାରିଖରେ ସମର୍ଥ କେନ୍ଦ୍ର ପରିଚାଳନାକୁ ନେଇ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ଏଫ୍‌ଏ ତଥା ସ୍ବତନ୍ତ୍ର ସଚିବଙ୍କୁ ଏହି ମର୍ମରେ ରିପୋର୍ଟ ଦେଇଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ। ରିପୋର୍ଟର ପ୍ରତି ଧାଡ଼ିରେ ଅନ୍ତେବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅବହେଳାର ସ୍ପଷ୍ଟ ଚିତ୍ର ବାରି ହେଉଥିଲା। ଏହାସତ୍ତ୍ବେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ କାହିଁକି ‘ସମର୍ଥ’କୁ ବଇଜାମୁଣ୍ଡାସ୍ଥିତ ସମନ୍ବିତ କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇ ନ ଥିଲା ଏବଂ ପରିଚାଳନା ଦାୟିତ୍ବ ପ୍ରତ୍ୟାହାର କରିନଥିଲା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେଉଁ ପଦସ୍ଥ ଅଧିକାରୀଙ୍କ ଛତ୍ରଛାୟା ତଳେ ‘ସମର୍ଥ’ ଓ ଏହାର ପରିଚାଳକ ହରିଶ ଦାଶ ସବୁ ନିୟମକୁ ଉଲ୍ଲଂଘନ କରି କାର୍ଯ୍ୟ କରୁଥିଲେ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Advertisment

ଅନ୍ତେବାସୀଙ୍କୁ ଦିଆଯାଉଥିଲା ଅମାନୁଷିକ ନିର୍ଯାତନା 

ଅବ୍ୟବସ୍ଥାର ଭୟଙ୍କର ଚିତ୍ର ସଂପର୍କରେ ଦିଆଯାଇଥିଲା ରିପୋର୍ଟ
ସ୍ଥାନାନ୍ତରଣ, ପରିଚାଳନା ପ୍ରତ୍ୟାହାର ପାଇଁ ବି ଥିଲା ସୁପାରିସ
ସରକାରୀ କର୍ମଚାରୀଙ୍କୁ ଧମକ ଦେଉଥିଲେ କେନ୍ଦ୍ର ପରିଚାଳକ

ସମ୍ବଲପୁର ସହର ପୁଟିବନ୍ଧସ୍ଥିତ ‘ସମର୍ଥ’ କେନ୍ଦ୍ରରେ ଅମାନୁଷିକ ନିର୍ଯାତନା ଘଟଣା ପଦାକୁ ଆସିବା ପରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ହଠାତ ତତ୍ପରତା ପ୍ରକାଶ କରିଛି। ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ଜଣେ ଉପସଚିବଙ୍କୁ ଗତକାଲି ବଦଳି କରାଯାଇଛି। ସେ ୧୫ ବର୍ଷ ଧରି ଗୋଟିଏ ବିଭାଗରେ ରହିଥିଲେ। ‘ସମର୍ଥ’ ମାମଲାରେ ଏହି ଅଧିକାରୀ ଏବଂ ଏଫ୍‌ଏଙ୍କ ଭୂମିକା ବର୍ତ୍ତମାନ ସନ୍ଦେହଘେରରେ ରହିଛି। ସରକାରୀ ମାନଦଣ୍ଡ ପୂରଣ କରୁନଥିବା ସାମାଜିକ ସଂସ୍ଥାଗୁଡ଼ିକୁ ସରକାରୀ ବିଭାଗଗୁଡ଼ିକ କିଭଳି ଅନୁକମ୍ପା ଦେଉଛନ୍ତି ‘ସମର୍ଥ’ କେବଳ ତା’ର ଉଦାହରଣ ମାତ୍ର। ଏହି ବଡ଼ ଅଧିକାରୀମାନଙ୍କ ସହିତ ‘ସମର୍ଥ’ ପରିଚାଳକ ହରିଶ ଦାଶର ସମ୍ପର୍କ ଏତେ ନିବିଡ଼ ଥିଲା ଯେ ସେ ସମ୍ବଲପୁର ଡିଏସ୍‌ଏସ୍‌ଓଙ୍କ ଡିଲିଂ ଆସିଷ୍ଟାଣ୍ଟଙ୍କୁ ଦୁଇଥର ଧମକ ମଧ୍ୟ ଦେଇଥିଲା। ଖାଲି ସେତିକି ନୁହେଁ, ସର୍ବସମ୍ମୁଖରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। କିନ୍ତୁ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଡିଏସ୍‌ଏସ୍‌ଓ କାର୍ଯ୍ୟାଳୟ କିମ୍ବା ନିଜେ ଡିଲିଂ ଆସିଷ୍ଟାଣ୍ଟ କେବେ ମଧ୍ୟ ଏହା ବିରୋଧରେ ମୁହଁ ଖୋଲିନାହାନ୍ତି। ଏପରିକି ରାସ୍ତାରେ ବୁଲୁଥିବା ମାନସିକ ରୋଗୀଙ୍କୁ ଉଦ୍ଧାର ପାଇଁ ଡିଏସ୍‌ଏସ୍‌ଓଙ୍କ ଜରିଆରେ ‘ସମର୍ଥ’ ସଂସ୍ଥା କିମ୍ବା ହରିଶ ଦାଶଙ୍କୁ ଯୋଗାଯୋଗ କରାଗଲେ ମଧ୍ୟ ସେ ଅଧିକାଂଶ ସମୟରେ ଭ୍ରୂକ୍ଷେପ କରୁନଥିବା ଅନେକ ସାମାଜିକ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। 

ଡିସେମ୍ବର ମାସରେ ସମ୍ବଲପୁରରେ ଆୟୋଜିତ ଭିନ୍ନକ୍ଷମ ଉପକରଣ ବଣ୍ଟନ ସମୟରେ ମଧ୍ୟ ‘ସମର୍ଥ’ର ଅନିୟମିତତା ନେଇ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀମାନେ ଅବଗତ ହୋଇଥିଲେ। କିନ୍ତୁ କୌଣସି ରହସ୍ୟଜନକ କାରଣରୁ କେନ୍ଦ୍ରକୁ ଅନୁକମ୍ପା ପ୍ରଦର୍ଶନ ଜାରି ରହିଥିଲା। ‘ସମର୍ଥ’ର ଏହି ମାନସିକ ରୋଗୀ ଥଇଥାନ କେନ୍ଦ୍ରକୁ ସାମାଜିକ ସୁରକ୍ଷା ବିଭାଗ ସହିତ ଜିଲ୍ଲା ଆଇନ୍ ସହାୟତା କେନ୍ଦ୍ର, ପୁଲିସ ଓ ଜେଲ୍‌ ବିଭାଗର କର୍ମଚାରୀମାନେ ନିୟମିତ ପରିଦର୍ଶନରେ ଯାଉଥିଲେ। କିନ୍ତୁ କେହି କେବେ ଅବହେଳା ନେଇ ଦୃଷ୍ଟି ଆକର୍ଷଣ କରିନାହାନ୍ତି। ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଭାବେ ବୁଲୁଥିବା ମାନସିକ ରୋଗୀଙ୍କୁ ଉଦ୍ଧାର କରାଯାଇ ଏଠାରେ ଅସ୍ଥାୟୀ ଭାବେ ରଖି ସୁସ୍ଥ ହେବା ପରେ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଏ। ତେବେ ୨୦୧୯ରୁ ଆଜି ପର୍ଯ୍ୟନ୍ତ ‘ସମର୍ଥ’ରେ କେତେଜଣ ଅନ୍ତେବାସୀଙ୍କୁ ରଖାଯାଇଥିଲା, ସୁରକ୍ଷିତ ଭାବେ କେତେଜଣଙ୍କୁ ଘରକୁ ପଠାଯାଇଛି ଏବଂ ଘରକୁ ପଠାଯାଇଥିବା ଅନ୍ତେବାସୀ ବିଶେଷକରି ମହିଳାଙ୍କ ପ୍ରତି କେନ୍ଦ୍ର ପରିଚାଳକ ଏବଂ ସାମାଜିକ ସୁରକ୍ଷା ବିଭାଗର ଏହି ବଡ଼ ଅଧିକାରୀଙ୍କର କଣ ଆଭିମୁଖ୍ୟ ରହୁଥିଲା ତାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଆର୍‌ଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୪ ମସିହାରେ ଏଠାରେ ୬ ଜଣଙ୍କର ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ୨୦୧୯ରୁ ଆଜି ପର୍ଯ୍ୟନ୍ତ କେତେ ଜଣଙ୍କର ଏବଂ କେଉଁଭଳି ଅବସ୍ଥାରେ ମୃତ୍ୟୁ ହୋଇଛି, ତାହା ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି କୁହାଯାଉଛି।